ବିନିକା: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର-ଡୁଙ୍ଗୁରିପାଲି ରାସ୍ତାର ବିନିକା କଲେଜ ଛକରେ ବିନିକା ଥାନା ପୁଲିସ ଶୁକ୍ରବାର ରାତିରେ ଏକ କାର୍ରୁ ନଗଦ ୫୫ ଲକ୍ଷ ୨୦ ହଜାର ଟଙ୍କା ଜବତ କରିବା ସହ ୬ ଜଣଙ୍କୁ ଅଟକ ରଖିଛି। ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ସମୟରେ ଏତେ ପରିମାଣର ନଗଦ ଟଙ୍କା କାର୍ରେ ନିଆଯାଉଥିବାରୁ ପୁଲିସ ଖୋଳତାଡ଼ ଆରମ୍ଭ କରିଛି।
ଶୁକ୍ରବାର ରାତିରେ ବିନିକା କଲେଜ ଛକ ନିକଟରେ ପୁଲିସ ଯାନବାହନ ଯାଞ୍ଚ କରୁଥିଲା। ଏହି ସମୟରେ ଏକ କାର୍ରେ ବିପୁଳ ପରିମାଣର ନଗଦ ଟଙ୍କା ନିଆଯାଉଥିବା ବିଷୟରେ ଏକ ଅଜଣା ନମ୍ବରରୁ ବିନିକା ପୁଲିସକୁ ଫୋନ୍ ଆସିଥିଲା। କିଛି ସମୟ ପରେ ଇନୋଭା କାର୍ (ଏପି ୦୫ ଟିସି ୮୧୮୧) ଆସୁଥିବା ଦେଖି ତାକୁ ଅଟକାଇ ଯାଞ୍ଚ କରାଯାଇଥିଲା। ଗାଡ଼ିରୁ ଉକ୍ତ ନଗଦ ଟଙ୍କା ଥିବା ଦେଖି ଗାଡ଼ି ସହ ଏଥିରେ ବସିଥିବା ୬ ଜଣଙ୍କୁ ଥାନାକୁ ଅଣାଯାଇଥିଲା। ଗାଡ଼ି ଚାଳକ ଆନ୍ଧ୍ରପ୍ରଦେଶର ଜି. ବିନୟକ୍ରିଷ୍ଣ(୨୩), କାର୍ରେ ଥିବା କାକିନାଡ଼ା ଜିଲ୍ଲାର ପି. ଚନ୍ଦ୍ରଶେଖର (୬୨), ପି. ସମହାଦ୍ରି (୬୨), ପି. ସୁଭୟମ୍ମା (୯୨), ପି. ଛନ୍ନାବ୍ଦୀ (୫୦), ବୋନାସୁ ଭେଙ୍କଟ (୫୬)ଙ୍କୁ ପୁଲିସ ଥାନାରେ ଅଟକ ରଖିଛି। ଏସ୍ବିଆଇ ବିନିକା ଶାଖାରୁ ୨ଟି ଟଙ୍କା ଗଣିବା ମେସିନ ଅଣାଯାଇ ସମସ୍ତ ଟଙ୍କା ଗଣତି କରାଯାଇଥିଲା। ଏନେଇ ଏସ୍ପି ୟଶ ପ୍ରତାପ ଶ୍ରୀମାଲଙ୍କୁ ପଚରାଯିବାରୁ ଏହି ମାମଲା ଆୟକର ବିଭାଗକୁ ହସ୍ତାନ୍ତର କରାଯାଇଛି, ବିଭାଗ ତଦନ୍ତ କରି ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବ ବୋଲି ସେ କହିଥିଲେ। ତେବେ ଏହି ଟଙ୍କା କେଉଁଠୁ ଆସୁଥିଲା, କାହା ପାଖକୁ ଯାଉଥିଲା ସେସଂପର୍କରେ କେହି ମୁହଁ ଖୋଲୁନାହାନ୍ତି। ଅଟକ ଥିବା ବ୍ୟକ୍ତିମାନେ ଏବିଷୟରେ କଣ କହିଛନ୍ତି, ତାହା ମଧ୍ୟ ପ୍ରକାଶ କରାଯାଇ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/ffhssfhfhsfhsfh.jpg)