୫୫ ନମ୍ବର ଜାତୀୟ ରାଜପଥ ପାଲଟିଛି ମୃତ୍ୟୁପଥ,ରାସ୍ତା ସାରା ଖାଲ

ଅନିଶ୍ଚିତତା‌ ଭିତରେ ୪ ଲେନ୍‌ ପ୍ରକଳ୍ପ. ସ୍ଥାନୀୟ ଲୋକ, ଯାତ୍ରୀ, ରୋଗୀ ସମସ୍ତେ ହନ୍ତସନ୍ତ

ଯୁଯୁମୁରା (ବିଜୟ ସ୍ବାଇଁ): ସମ୍ବଲପୁର-କଟକ ୫୫ ନମ୍ବର ରାଜପଥ ଚାରିଥାକିଆ ହେବ। ଗାଡ଼ି ଗୁଡ଼ିକ ପବନ ବେଗରେ ଗତି କରିବ। ସମ୍ବଲପୁରରୁ ବାହାରି ୪ ଘଣ୍ଟାରେ ଜଣେ ରାଜଧାନୀରେ ପହଞ୍ଚିବ। ବୁର୍ଲା ଡାକ୍ତରଖାନାରୁ କଟକ ବଡ଼ ଡାକ୍ତରଖାନା ଯାଉଥିବା ବହୁ ଗୁରୁତର ରୋଗୀଙ୍କ ଜୀବନ ବଞ୍ଚିଯିବ। ଏଭଳି ସ୍ବପ୍ନ ଦେଖିଥିଲେ ସମଗ୍ର ପଶ୍ଚିମ ଓଡ଼ିଶାବାସୀ। କିନ୍ତୁ ୬ ବର୍ଷ ପରେ ଏହି ସ୍ବପ୍ନ ପୂରଣ ହେବା ବଦଳରେ କ୍ରମେ ମଉଳି ଯିବାରେ ଲାଗିଛି। ରାସ୍ତାକୁ ଦେଖିଲେ କେହି କହିବେନି ଏହା ଜାତୀୟ ରାଜପଥ ବୋଲି। ରାସ୍ତାର ଠାଏଠାଏ ସିମେଣ୍ଟ ଢଳେଇ ହୋଇଛି। କିନ୍ତୁ ଅନେକ ଅଂଶରେ ମାଟି ମୁଠାଏ ବି ପଡ଼ିନି। ଅଧାପନ୍ତରିଆ କାମ କରି ଛାଡ଼ି ଦିଆ ଯାଇଥିବା ରାସ୍ତା ସାରା ଗାଡ଼, ଖାଲ। ଏହି ଖାଲରେ ଗାଡ଼ି ଚକା ପଡ଼ିଗଲେ କଥା ସରିଲା। ବଡ଼ବଡ଼ ଗାଡ଼ି କୌଣସି ପ୍ରକାର ଏହି ରାସ୍ତା ପାର ହୋଇ ଯାଉଛନ୍ତି। କିନ୍ତୁ ମୋଟର୍‌ ସାଇକଲ୍, କାର୍‌ ଓ ଅଟୋ ଚାଳକ ଏହି ରାସ୍ତାରେ ଯିବାକୁ ଭୟ କରୁଛନ୍ତି। ବିଶେଷକରି ଏହି ରାସ୍ତା ପଶ୍ଚିମ ଓଡ଼ିଶା ସହିତ ପୂର୍ବ ଓଡ଼ିଶାକୁ ଯୋଡ଼ୁଥିବାରୁ ଏହି ରାସ୍ତାକୁ ଓଡ଼ିଶାର ଅନ୍ୟତମ ଜୀବନ ରେଖା ବୋଲି କୁହାଯାଇଥାଏ। ମାତ୍ର ଜୀବନ ରେଖା ଏବେ ଅକାଳରେ ଅନେକଙ୍କ ଜୀବନ ଦୀପ ଲିଭାଇ ଦେବାର ଆଶଂକା ସୃଷ୍ଟି କରୁଛି। ସ୍ଥାନୀୟ ଲୋକେ ଏହାକୁ ଜୀବନ ରେଖା ନୁହେଁ ଜୀବନ ନିଆ ରାସ୍ତା କହିବା  ଆରମ୍ଭ କଲେଣି।

ସମ୍ବଲପୁରରୁ ଭୁବନେଶ୍ବର ଓ କଟକ ଯିବାକୁ ଏହା ପ୍ରମୁଖ ରାସ୍ତା। ରାଜ୍ୟର ଅନ୍ୟ ସବୁ ଅଞ୍ଚଳରେ ରାସ୍ତାର ଅବସ୍ଥା ଊଣା ଅଧିକେ ସୁଧୁରି ଯାଇଥିଲେ ବି ସମ୍ବଲପୁରଠାରୁ ରେଢ଼ାଖୋଲ ପର୍ଯ୍ୟନ୍ତ ଏହି ରାସ୍ତା ଶୋଚନୀୟ ଅବସ୍ଥାରେ ରହିଛି। ବିପର୍ଯ୍ୟସ୍ତ ଅବସ୍ଥା ଯୋଗୁଁ ଅନେକ ସମୟରେ ଜାତୀୟ ରାଜପଥର ଏହି ଅଂଶରେ ଦୁର୍ଘଟଣା ଘଟୁଛି। ଫଳରେ ଅକାରଣରେ ଅନକେ ଲୋକଙ୍କ ଜୀବନ ଯାଉଛି।

ରାସ୍ତା ନିର୍ମାଣ ପାଇଁ ଲୋକମାନଙ୍କ ଦାବିକୁ ଦୃଷ୍ଟିରେ ରଖି ଜାତୀୟ ରାଜପଥ ପ୍ରାଧିକରଣ କତ୍ତୃର୍ପକ୍ଷ ପ୍ରଥମ ପର୍ଯ୍ୟାୟରେ ସମ୍ବଲପୁର-ଅନୁଗୁଳ ରାଜପଥକୁ ଚାରିଥାକିଆ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥି ପାଇଁ ୨୦୧୬ ମସିହାରେ ଟେଣ୍ଡର ହୋଇଥିଲା। ୧୨୫୫ କୋଟି ଟଙ୍କାରେ ଗାୟତ୍ରୀ ପ୍ରଜେକ୍ଟସ୍ ଏହି ମହତ୍ବାକାଂକ୍ଷୀ ପ୍ରକଳ୍ପ ହାତେଇଥିଲା। ଇତିମଧ୍ୟରେ ଗାୟତ୍ରୀ ପ୍ରଜେକ୍ଟସ୍‌କୁ ଏହି କାମ ମିଳିବାର ୬ ବର୍ଷ ପୂରିଲାଣି। ନିର୍ମାଣ ପାଇଁ ଧାର୍ଯ୍ୟ ସମୟ କେବେଠୁ ଶେ ହେଲାଣି। ୨/୩ ଥର ଏହି ଅବଧି ସଂପ୍ରସାରଣ ବି କରାଯାଇଛି। ମାତ୍ର ଠିକା ସଂସ୍ଥା ମନ୍ଥର ଗତିରେ କାମ କରି ଅଧା ବି ଶେଷ କରି ନାହିଁ। ପାଖାପାଖି ୫/୬ ମାସ ହେବ ରାସ୍ତା ନିର୍ମାଣ କାମ ସଂପୂର୍ଣ୍ଣ ବନ୍ଦ ପଡ଼ିଛି। କାମ ଆଗେଇ ପାରୁ ନାହିଁ। ଏହି ରାଜପଥ ସମ୍ବଲପୁର, ରେଢ଼ାଖୋଲ ଓ ଅନୁଗୁଳ ଆଦି ବନଖଣ୍ଡ ଦେଇ ଯାଇଥିବା ବେଳେ ହାତୀ ଚଲାପଥ ରହିଛି। ହାତୀମାନଙ୍କ ସୁରକ୍ଷିତ ଚଳାଚଳ ପାଇଁ ୧୨ଟି ଅଣ୍ଡର ପାସ୍ ନିର୍ମାଣ କରାଯିବାର ଯୋଜନା ଥିଲା। ଏଥି ପାଇଁ ଜଂଗଲ ଓ ପରିବେଶ ମନ୍ତ୍ରଣାଳୟର ଆବଶ୍ୟକ ଅନୁମତି ବି ମିଳିଛି। ହେଲେ ଏହି ଠିକାସଂସ୍ଥା ଉକ୍ତ କାମ ଆଦୌ ଆରମ୍ଭ କରି ନାହିଁ। ଠିକା ସଂସ୍ଥା ଆର୍ଥିକ ସଂକଟ ମଧ୍ୟ ଦେଇ ଗତି କରୁଥିବାରୁ କାମ ଅଧାରୁ ବନ୍ଦ କରି ଦେଇଥିବା କହାଯାଉଛି। ଯେଉଁ ସ୍ଥାନୀୟ ଠିକାଦାର ମାନେ ଏହି ଠିକା ସଂସ୍ଥା ଜରିଆରେ କାମ କରୁଥିଲେ କିମ୍ବା  ନିର୍ମାଣ ସାମଗ୍ରୀ ଯୋଗାଇଥିଲେ, ସେମାନଙ୍କୁ ବି ପ୍ରାପ୍ୟ ମିଳି ନଥିବାରୁ ଅନେକ ଥର ଆନ୍ଦୋଳନକୁ ଓହ୍ଲାଇଲେଣି।

ରାସ୍ତା ଅଧାପନ୍ତରିଆ ପଡ଼ିଥିବାରୁ ରାତିରେ ଭୁବନେଶ୍ବର ଓ କଟକରୁ ଆସୁଥିବା ନାଇଟ୍‌ କୋଚ ବସ୍‌ ସମ୍ବଲପୁର ଆସିବାକୁ ରାଜି ହେଉ ନାହାନ୍ତି। ଏପରିକି ଖରାପ ରାସ୍ତା ଦର୍ଶାଇ ଯାତ୍ରୀଙ୍କଠାରୁ ଅଧିକ ଭଡ଼ା ଆଦାୟ କରୁଥିବା ଅଭିଯୋଗ ହେଉଛି। ସେହିପରି ଜରୁରୀ କାମରେ ସମ୍ବଲପୁର ଅଞ୍ଚଳରୁ ଭୁବନେଶ୍ବର କିମ୍ବା କଟକ ଯାଉଥିବା କାର୍‌ ଚାଳକ ମଧ୍ୟ ଲୋକଙ୍କଠାରୁ ଅଧିକ ଭଡ଼ା ନେଉଛନ୍ତି। ଖରାପ ରାସ୍ତା ଯୋଗୁଁ କାର୍‌ର ଯନ୍ତ୍ରାଂଶ ଭାଙ୍ଗିବାର ଆଶଙ୍କା ରହିଛି ବୋଲି କହି ଏହି ରାସ୍ତାରେ ଯିବାକୁ ରାଜି ହେଉ ନାହାନ୍ତି। ତେବେ ଅତ୍ୟନ୍ତ ଆବଶ୍ୟକ ଥିଲେ ଲୋକ ଦାମ୍‌ର ଦିଗୁଣା ଭଡ଼ା ଦେଇ ଯାତ୍ରା କରିବାକୁ ବାଧ୍ୟ ହେଉଛନ୍ତି। ସେହିପରି ରେଢ଼ାଖୋଲ, ଯୁଯୁମୁରା, ମାନେଶ୍ବର ଅଞ୍ଚଳରୁ ସମ୍ବଲପୁର ବୁର୍ଲା ମେଡିକାଲ୍‌କୁ ଆସୁଥିବା ଲୋକଙ୍କୁ ଏହି ରାସ୍ତା ପାଇଁ ଘୋର ଦୁର୍ଦ୍ଦଶା ଭୋଗିବାକୁ ପଡ଼ୁଛି। ଆମ୍ବୁଲାନ୍‌‌ସ୍‌ରେ ସମ୍ବଲପୁର ଆସୁଥିବା ରୋଗୀ ଓ ସଂପର୍କୀୟ ଅକଥନୀୟ ଯନ୍ତ୍ରଣା ସହୁଛନ୍ତି।  ଖରାପ ରାସ୍ତା ଯୋଗୁଁ ଡାକ୍ତରଖାନାରେ ପହଞ୍ଚିବା ବିଳମ୍ବ ହେଉଛି। ଖରାପ ରାସ୍ତା ଯୋଗୁଁ ବିଭିନ୍ନ ସମୟରେ ଟ୍ରାଫିକ୍‌ ଜାମ୍‌  ହେଉଛି। ଦିନରାତି ଧୂଳି ଉଡ଼ିବା ଯୋଗୁଁ ବାଇକ୍‌ ଓ ଅଟୋରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହେଉଛି।

ପଞ୍ଚାୟତ ନିର୍ବାଚନ ସମୟରେ ଅଞ୍ଚଳକୁ ଘନଘନ ଗସ୍ତ କରୁଥିବା ସରକାରୀ ଦଳ ନେତାଙ୍କୁ ଲୋକମାନେ ଏହି ରାସ୍ତା ସମସ୍ୟା ସଂପର୍କରେ ଗୁହାରି କରିଥିଲେ। ସେତେବେଳେ ଭୋଟ୍‌ ହାତେଇବାକୁ ନେତାମାନେ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ବି ଏବେ ସେମାନଙ୍କ ମୁହଁରେ ତୁଣ୍ଡି ବନ୍ଧା ହୋଇଛି। ରାସ୍ତାର ଏପରି ବିପର୍ଯ୍ୟସ୍ତ ଅବସ୍ଥା ଏବଂ ଜାତୀୟ ରାଜପଥ କାମ ଶେଷ କରିବା ନେଇ କେହି ମୁହଁ ଖୋଲୁ ନାହାନ୍ତି। ଏହି ଖଣ୍ଡିଆ ଶୋଚନୀୟ ରାସ୍ତାରେ ନେତା, ମନ୍ତ୍ରୀ ଓ ପ୍ରାଶାସନିକ ଅଧିକାରୀ ଦୈନିକ ଭୁବନେଶ୍ବର ଯାତ୍ରା କରୁଥିଲେ ମଧ୍ୟ ସେମାନେ ସତେ ଯେମିତି ଅସହାୟ ପାଲଟି ଯାଇଛନ୍ତି। ଆଗାମୀ ଦିନରେ ଏହି ରାସ୍ତାକୁ ନେଇ ବଡ଼ଧରଣର ଆନ୍ଦୋଳନ ଦାନା ବାନ୍ଧୁଛି। ଏ ସଂପର୍କରେ ଏନ୍ଏଚ୍‌ଏଆଇ ପ୍ରକଳ୍ପ ନିର୍ଦ୍ଦେଶକ ନାଗେଶ୍ବର ରାଓ କହିଛନ୍ତି ଯେ ନିର୍ମାଣକାରୀ ସଂସ୍ଥାର ଆର୍ଥିକ ସମସ୍ୟା କାରଣରୁ କାମ ବନ୍ଦ ରହିଛି। ତାକୁ ୧୫ ଦିନ ମଧ୍ୟରେ ପୁଣି କାମ ଆରମ୍ଭ କରିବାକୁ ନୋଟିସ୍ ଦିଆଯାଇଛି। ଯଦି ନ କରିବ ତା’ହେଲେ କାର୍ଯ୍ୟାନୁଷ୍ଠାନ ନିଆଯାଇ ତା’ସହ ଚୁକ୍ତି ବାତିଲ କରାଯିବ। ପୁଣି ସରକାରୀ ପ୍ରକ୍ରିୟା ଅନୁଯାୟୀ ବଳକା କାମ ପାଇଁ ଅନ୍ୟ ସଂସ୍ଥାକୁ ନିଯୁକ୍ତି ଦିଆଯିବ। କାମ ତ’ ହେବ ନିଶ୍ଚୟ, କିନ୍ତୁ ଏହାଦ୍ବାରା ବିଳମ୍ବ ହେବ। ଗାୟତ୍ରୀର ଉତ୍ତର ମିଳିବା ପରେ ଏହି ମାସ ଶେଷ ସୁଦ୍ଧା ଚିତ୍ର ସ୍ପଷ୍ଟ ହୋଇପାରିବ ବୋଲି ଶ୍ରୀ ରାଓ କହିଛନ୍ତି।

ସମ୍ବନ୍ଧିତ ଖବର