ଜୟପୁର:କୋରାପୁଟ ଜିଲ୍ଲାରେ ମହିଳା ଓ ଶିଶୁମାନେ ରକ୍ତହୀନତାରେ ଶିକାର ହେଉଛନ୍ତି । ବିଶେଷ କରି ଏଥିରେ ଗର୍ଭବତୀମାନଙ୍କ ସଂଖ୍ୟା ଅଧିକା।  ମିଳିଥିବା ସୂଚନା ଅନୁଯାୟୀ ଜୟପୁର  ରକ୍ତଭଣ୍ଡାରରୁ ପ୍ରତିଦିନ ୨୫ରୁ ୩୦ ୟୁନିଟ୍ ରକ୍ତ ଆବଶ୍ୟକ ପଡିଥାଏ। ସେଥି ମଧ୍ୟରୁ ରକ୍ତହୀନତାରେ ଶିକାର ହୋଇଥିବା ପ୍ରାୟ ୯୦ ପ୍ରତିଶତ ମହିଳା ଓ ଶିଶୁଙ୍କୁ ରକ୍ତର ଆବଶ୍ୟକ ହୋଇଥାଏ। ମହିଳାଙ୍କ ମଧ୍ୟରୁ ରକ୍ତହୀନତାରେ ଶିକାର ଗର୍ଭବତୀଙ୍କ ସଂଖ୍ୟା ପ୍ରାୟ୫୫ ପ୍ରତିଶତ।  ଏହି ସ୍ଥିତିରେ ଏଠାରେ ନିରାପଦ ମାତୃତ୍ବ ଯୋଜନା ବି ଫେଲ୍ ମାରିଛି।

Advertisment

ଜୟପୁର ରକ୍ତଭଣ୍ଡାର ଉପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ଘରୋଇ ଉଷା ହସ୍ପିଟାଲ ବି ନିର୍ଭର। କୋରାପୁଟରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଜୟପୁର ଆସିବା ପରେ ଜିଲ୍ଲାର କୋଣ ଅନୁକୋଣର ଗର୍ଭବତୀ ମା’ଙ୍କ ସହ ବିଭିନ୍ନ ରୋଗୀଙ୍କୁ ଚିକିତ୍ସା ପାଇଁ ଏଠାକୁ ଅଣାଯାଉଛି। ସେଭଳି ପ୍ରସବ ପାଇଁ ଆସୁଥିବା ବହୁ ଗର୍ଭବତୀଙ୍କ ହି‌ମୋଗ୍ଲୋବିନ୍ ୨ରୁ ୬ଗ୍ରାମ/ଡିଏଲ୍ ରହୁଛି। ଜୟପୁର ରକ୍ତଭଣ୍ଡାରରେ ବର୍ଷକ ମଧ୍ୟରେ ୬୪୭୪ୟୁନିଟ୍ ସଂଗ୍ରହ କରାଯାଇଥିଲା। ୩୪ଟି କ୍ୟାମ୍ପ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆୟୋଜନ କରି ଏଥିରୁ ୨୬୩୨ୟୁନିଟ୍ ସଂଗ୍ରହ କରିଥିଲେ। ଏଥିରୁ ୬୩୮୪ୟୁନିଟ୍ ରକ୍ତ ଦିଆଯାଇଛି। ସେଥିରୁ ସର୍ବାଧିକ ୨୨୭୬ୟୁନିଟ୍ କେବଳ ଗର୍ଭବତୀ ମା’ ଓ ପ୍ରସୁତି ମା’ଙ୍କୁ ଦିଆଯାଇଛି। ସିକିଲିନ୍ ରୋଗୀଙ୍କୁ ୭୦୦ୟୁନିଟ୍ ଓ ଥାଲେସେମିଆ ରୋଗୀଙ୍କୁ ୪୦୦ୟୁନିଟ୍ ଯୋଗାଇ ଦିଆଯାଇଥିବା ଜୟପୁର ରକ୍ତଭଣ୍ଡାରରୁ ସୂଚନା ମିଳିଛି।

ସାଧାରଣତଃ ସୁସ୍ଥ ମହିଳାଙ୍କ କ୍ଷେତ୍ରରେ ଶରୀରରେ ହିମୋଗ୍ଲୋବିନ୍ ୧୧.୫ ଗ୍ରାମ /ଡିଏଲ୍ ଏବଂ ପୁରୁଷଙ୍କ କ୍ଷେତ୍ରରେ ୧୨ ଗ୍ରାମ /ଡିଏଲ୍ ରହିବାକୁ ପଡ଼ିଥାଏ। ଡାକ୍ତରଖାନାରେ ରକ୍ତ ଆବଶ୍ୟକ ପଡ଼ୁଥିବା ମହିଳାଙ୍କ କ୍ଷେତ୍ରରେ ୨ଗ୍ରାମ/ଡିଏଲ୍ରୁ ୪ଗ୍ରାମ/ଡିଏଲ୍ ହି‌ମୋଗ୍ଲୋବିନ୍ ଥିବା ଗର୍ଭବତୀ ମଧ୍ୟ ପ୍ରସବ ପାଇଁ ଚିକିତ୍ସାଳୟକୁ ଆସିଥିବା ନଜିର ରହିଛି। ତେବେ କୋରାପୁଟ ଜିଲ୍ଲାରେ ତଥା ଖାସ୍ କରି ଜୟପୁର ଉପଖଣ୍ଡରେ ଆବଶ୍ୟକ ଅନୁଯାୟୀ ଶିବିର ଆୟୋଜନ ହୋଇପାରୁ ନଥିବାରୁ ସବୁ ଦିନ  ରକ୍ତ ଅଭାବ ଦେଖାଦେଇଥାଏ। ତେଣୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ଆସିଥିବା ଗର୍ଭବତୀଙ୍କ ପରିବାରକୁ ରକ୍ତ ଯୋଗାଡ଼ ପାଇଁ ନୟାନ୍ତ ହେବାକୁ ପଡୁଛି। ପୁଷ୍ଟିକର ଖାଦ୍ୟ ଅଭାବ ଓ ଥାଲେସିମିଆ ରୋଗରେ ଆକ୍ରାନ୍ତ ହେବା ପରେ ରକ୍ତହୀନତାରେ ଶିକାର ହୋଇ ରୋଗୀ ରକ୍ତ ନିମନ୍ତେ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥାନ୍ତି । ପୁଷ୍ଟିହୀନତାକୁ ଦୂର କରିବା ପାଇଁ ଗତ ବର୍ଷ ପ୍ରଶାସନ ପକ୍ଷରୁ ମନରେଗା ଓଜୀବିକା ମିଶନରେ ପୁଷ୍ଟିକର ବଗିଚା ନିର୍ମାଣ କରାଯାଇଥିଲା। ଗ୍ରାମରେ ରହୁଥିବା ପ୍ରତି ପରିବାର ଘର ବାରିରେ ପୁଷ୍ଟିକର ଖାଦ୍ୟ ଯୋଗାଇବା ଭଳି ଚାରା ରୋପଣ କରି ସେହି ଖାଦ୍ୟ ଖାଇବା ପାଇଁ ଏହି ପୁଷ୍ଟିକର ବଗିଚା ଯୋଜନାର ଲକ୍ଷ୍ୟ ର‌ହିଥିଲା। ତେବେ ଏହି ଯୋଜନା ବର୍ତମାନ ବନ୍ଦ ହୋଇ ରହିଛି। ଆଇସିଡିଏସ ପକ୍ଷରୁ ଗର୍ଭବତୀ ଓ କିଶୋରୀ, ଶିଶୁମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଅଯାଉଥିଲେ ମଧ୍ୟ ରକ୍ତହନୀତା ଶିକାରଙ୍କ ସଂଖ୍ୟା କମୁନି। ସେଭଳି ଅଧିକାରୁ ଅଧିକା ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରିବା ସହ କିଭଳି ରକ୍ତହୀନତାରୁ ମହିଳା ମାନେ ଠିକ ହୋଇପାରିବେ ସେ ଦିଗରେ ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତ କରିବାର ନିହାତି ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।