ଅନୁଗୁଳ: ଜାଲିଆତି କରି ରାସନ କାର୍ଡ ହାତେଇଥିବା ହିତାଧିକାରୀଙ୍କୁ ଧରିବା ପାଇଁ ସରକାର କରିଥିବା ଇ-କେୱାଇସି ପ୍ରକ୍ରିୟା ଶେଷ ହୋଇଛି। ବାରମ୍ବାର କଣ୍ଟ ବଢ଼ାଇବା ସତ୍ତ୍ବେ ଅନୁଗୁଳ ଜିଲ୍ଲାରେ ପ୍ରାୟ ୫୫ ହଜାର ଖାଉଟି ଏହି ଇ-କେୱାଇସି ଦାଖଲ କରି ନାହାନ୍ତି। ଫଳରେ ସେମାନେ ରାସନ୍ ସାମଗ୍ରୀ ପାଇବାରୁ ବଞ୍ଚିତ ହେବା ନିଶ୍ଚିତ ହୋଇଯାଇଛି। ଅନୁଗୁଳ ଜିଲ୍ଲାରେ ୯ ଲକ୍ଷ ୫୦ ହଜାର ୭୭୫ ଜଣ ରାସନ କାର୍ଡ ହିତାଧିକାରୀ ରହିଛନ୍ତି। ଏଥିରୁ ୯ ଲକ୍ଷ ୩୫ ହଜାର ହିତାଧିକାରୀଙ୍କର ଅନ୍ଲାଇନ୍ ମୋଡ୍ରେ ଇ-କେୱାଇସି କରିବାକୁ ଟାର୍ଗେଟ୍ ରଖାଯାଇଥିଲା। ଆଉ ପ୍ରାୟ ସାଢ଼େ ୧୫ ହଜାର ହିତାଧିକାରୀଙ୍କୁ ଅଫ୍ଲାଇନ୍ ମାଧ୍ୟମରେ ଏହି ସୁଯୋଗ ଦେବାକୁ ସ୍ଥିର ହୋଇଥିଲା। କିନ୍ତୁ ଜୁନ୍ ୩୦ ତାରିଖ ସୁଦ୍ଧା ୮ଲକ୍ଷ ୮୨ ହଜାର ୬୧୧ ଜଣ ଇ-କେୱାଇସି ଦାଖଲ କରିଛନ୍ତି। ସେହିପରି ଅଫଲାଇନ୍ ଏଫ୍ପିଏସ୍ରେ ୧୩,୪୬୯ ଜଣ ହିତାଧିକାରୀ ଏହି ପ୍ରକ୍ରିୟା ଶେଷ କରିଛନ୍ତି। ଏମିତି ସମୁଦାୟ ୮ଲକ୍ଷ ୯୬ ହଜାର ୮୦ ଜଣ ଇ-କେୱାଇସି ଦାଖଲ କରି ସାରିଛନ୍ତି। ଆଉ ୫୪,୬୯୫ ଜଣ ଇ-କେୱାଇସି ପ୍ରକ୍ରିୟାରେ ସାମିଲ ହୋଇନାହାନ୍ତି। ହିସାବ ଅନୁସାରେ ଅନୁଗୁଳ ଜିଲ୍ଲାରେ ୯୪ ପ୍ରତିଶତ ହିତାଧିକାରୀ ଇ-କେୱାଇସି ଦାଖଲ କରି ରାସନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଅନ୍ୟମାନଙ୍କର ରାସନ ବନ୍ଦ ହୋଇଯିବ।
ସରକାରୀ ସୂଚନା ଅନୁସାରେ, ଅଧିକାଂଶ ସ୍ଥାନରେ ବୁଢ଼ାବୁଢ଼ୀ ଲୋକ ଏହି ଇ-କେୱାଇସି ପ୍ରକ୍ରିୟାରେ ସାମିଲ ହୋଇନାହାନ୍ତି। ବିଶେଷକରି ଶଯ୍ୟାଶାୟୀ ଥିବା ଲୋକମାନେ କେନ୍ଦ୍ରକୁ ଆସି ତଥ୍ୟ ଦେବାକୁ ଅସମର୍ଥ ହୋଇଛନ୍ତି। ସେହିପରି ବାହାରେ କାମ କରୁଥିବା ଲୋକମାନେ ଇ-କେୱାଇସି କରିବାକୁ ଆସି ନାହାନ୍ତି। ସାତକୋଶିଆ ଓ ପାଳଲହଡ଼ାର କିଛି ଅଞ୍ଚଳରେ ମୋବାଇଲ ନେଟ୍ୱର୍କ ସମସ୍ୟା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ତଥାପି ନେଟ୍ୱର୍କ ନ ଥିବା ଅଞ୍ଚଳରେ ଥିବା ସମସ୍ତ ହିତାଧିକାରୀ ଇ-କେୱାଇସି କରିପାରି ନାହାନ୍ତି। ଏହା ସହ ଜାଲିଆତି କରି ରାସନ କାର୍ଡ ହାତେଇଥିବା ହିତାଧିକାରୀମାନେ ଇ-କେୱାଇସି କରିବାକୁ ଆସୁନାହାନ୍ତି।
ତାଲିକାରୁ କଟିଲେ ୧୬,୫୩୨
ଅପରପକ୍ଷରେ ରାସନ କାର୍ଡ ହିତାଧିକାରୀ ତାଲିକାରୁ ୧୨,୩୬୮ ମୃତ ହିତାଧିକାରୀଙ୍କୁ ବାଦ୍ ଦିଆଯାଇଛି। ବର୍ଷ ବର୍ଷ ଧରି ଏହି ଭୂତ ହିତାଧିକାରୀମାନେ ଚାଉଳ ଉଠାଉଥିଲେ। ଇ-କେୱାଇସି ପ୍ରକ୍ରିୟାରୁ ଏହି ସତ ସାମ୍ନାକୁ ଆସିଛି। ସେହିପରି ଆର୍ଥିକ ସ୍ବଚ୍ଛଳ ବର୍ଗର ହୋଇ ବି ଶସ୍ତାରେ ଚାଉଳ ନେଉଥିବା ଲୋକଙ୍କୁ ଠାବ କରାଯାଇଛି। ଏମିତି ୨୫୦୮ ଜଣ ହିତାଧିକାରୀଙ୍କୁ ତାଲିକା ବାଦ୍ ଦେଇଛନ୍ତି ସରକାର। ସରକାରୀ ଚାକିରି କରି ବି ରାସନ ନେଉଥିବା ୧୬୫୬ ଜଣ ହିତାଧିକାରୀ ଏହି ଇ-କେୱାଇସି ପ୍ରକ୍ରିୟା ସମୟରେ ଧରାପଡ଼ିଛନ୍ତି। ଏମିତି ୧୬,୫୩୨ ଜାଲ୍ ହିତାଧିକାରୀ ତାଲିକାରୁ ବାଦ୍ ପଡ଼ିଛନ୍ତି। ଏନେଇ ଅନୁଗୁଳ ବେସାମରିକ ଯୋଗାଣ ଅଧିକାରୀ ଶ୍ରୀନିବାସ ସାହୁ କହିଛନ୍ତି, ଇ-କେୱାଇସି ପ୍ରକ୍ରିୟା ଶେଷ ହୋଇଛି। ଅନୁଗୁଳ ଜିଲ୍ଲାରେ ୯୪ ପ୍ରତିଶତ ହିତାଧିକାରୀ ଇ-କେୱାଇସି ଦାଖଲ କରିଛନ୍ତି। ସରକାରଙ୍କ ନିର୍ଦ୍ଦେଶ ପରେ ଇ-କେୱାଇସି ଦାଖଲ କରିନଥିବା ହିତାଧିକାରୀଙ୍କ ରାସନ କାଟିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।