ଆଜିଠାରୁ ୫୫୦ ହାଉସ୍‌ସର୍ଜନ ପିନ୍ଧିବେ କଳାବ୍ୟାଜ୍, ଷ୍ଟାଇପେଣ୍ଡ୍ ନ ବଢିଲେ ୨୮ରୁ କାର୍ଯ୍ୟ ବନ୍ଦ

କଟକ : ଶୁକ୍ରବାରଠାରୁ ରାଜ୍ୟର ତିନୋଟି ମେଡିକାଲ କଲେଜର ୫୫୦ ଅନ୍ତଚିକିତ୍ସକ ତଥା ହାଉସ୍‌ ସର୍ଜନ ଡାକ୍ତର ପିନ୍ଧିବେ କଳାବ୍ୟାଜ୍। ଷ୍ଟାଇପେଣ୍ଡ୍ ବୃଦ୍ଧି କରାନଯିବା ଘଟଣାର ପ୍ରତିବାଦରେ ୨୨ ତାରିଖରୁ ସେମାନେ କଳାବ୍ୟାଜ୍ ପିନ୍ଧି କାର୍ଯ୍ୟ କରିବେ। ଯଦି ତା’ପରେ ବି ଏ ଦିଗରେ ସରକାର ପଦକ୍ଷେପ ନ ନେବେ, ତା‌’ହେଲେ ୨୮ରୁ ରାଜ୍ୟବ୍ୟାପି କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛି ସଂଘ। ଏହି ଦାବିକୁ ସମର୍ଥନ ଜଣାଇ ଆଗକୁ ପିଜି ଡାକ୍ତରୀ ସଂଘ ମଧ୍ୟ ଆନ୍ଦୋଳନକୁ ସମର୍ଥନ ଦେବ ବୋଲି ସଂଘର ସଭାପତି ଡାକ୍ତର ଦୀପକ କୁମାର ସାମଲ ସୂଚନା ଦେଇଛନ୍ତି। ଏସ୍‌ସିବି ମେଡିକାଲ ହାଉସ୍‌ ସର୍ଜନ ସଂଘ ବାରମ୍ବାର ରାଜ୍ୟସରକାରଙ୍କୁ ପତ୍ର ଲେଖି ଷ୍ଟାଇପେଣ୍ଡ ବୃଦ୍ଧି ପାଇଁ ନିବେଦନ କରି ଆସିଥିଲେ ବି ସରକାର ଏ ଦିଗରେ ପଦକ୍ଷେପ ନେଉ ନଥିବାରୁ ସଂଘ ଏଭଳି ଚରମ ନିଷ୍ପତ୍ତି ନେଇଛି।

ଏସ୍‌ସିବି ମେଡିକାଲ ହାଉସ୍‌ ସର୍ଜନ ସଂଘ ରାଜ୍ୟ ସରକାରଙ୍କୁ ୨୦୧୯, ସେପ୍ଟେମ୍ବର ୨୧ ତାରିଖରେ ପତ୍ର ଲେଖି ଏ ସଂକ୍ରାନ୍ତରେ ନିବେଦନ କରିଥିଲା। ଏହାପରେ ବି ଚିଠି ଲେଖି ପୁଣି ଥରେ ଦାବି ଦୋହରାଇ ଥିଲେ। ଏସ୍‌ସିବି ଅଧୀକ୍ଷକଙ୍କ ଜରିଆରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ମଧ୍ୟ ପତ୍ର ଲେଖା ଯାଇଥିଲା। ପାଖାପାଖି ୪ ମାସ ବିତି ଯାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇନଥିବାରୁ ସଂଘ ପକ୍ଷରୁ ଶେଷରେ ଚରମ ପତ୍ର ଲେଖାଯାଇ ଏଭଳି କଡା ଚେତାବନୀ ଦିଆଯାଇଛି। ପ୍ରକାଶଥାଉ କି ୨୦୧୮, ପତ୍ର ସଂଖ୍ୟା ୮୯ ରେ ସ୍ବାସ୍ଥ୍ୟ ବିଭାଗ ତରଫରୁ ଷ୍ଟାଇପେଣ୍ଡ୍ ଅର୍ଥ ୧୫ ହଜାରରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିଲା। ତାହାକୁ ପିଛିଲା ଭାବେ ୨୦୧୭, ଏପ୍ରିଲ ୧ରୁ ଲାଗୁ କରାଯାଇଥିଲା। ୩ ବର୍ଷ ପରେ ତାହା ବୃଦ୍ଧି କରାଯିବ ବୋଲି ଦର୍ଶଯାଇଥିଲା। କିନ୍ତୁ ୨୦୨୦, ଏପ୍ରିଲ ୧ରୁ ଏଯାଏ ପାଖାପାଖି ୧୦ ମାସ ପରେ ବି କୌଣସି ନିଷ୍ପତ୍ତି ନିଆଯାଇ ନଥିବାରୁ ସଂଘ ଏବେ ଆନ୍ଦୋଳନ ନିଷ୍ପତ୍ତି ନେଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର