ଟ୍ରେନ୍‌ରୁ ଉଦ୍ଧାର ହେଲେ ୫୫୦ ପାରା

ଗଞ୍ଜେଇ ରୢାକେଟ୍‌ର ବି ପର୍ଦ୍ଦାଫାସ

ଭୁବନେଶ୍ବର : ଦୁଇଟି ସ୍ବତନ୍ତ୍ର ଚଢ଼ଉରେ ରେଳବାଇ ସୁରକ୍ଷା ବଳ ଏକ ପାରା ଚୋରା ଚାଲାଣ ରୢାକେଟ୍‌ ଏବଂ ଗଞ୍ଜେଇ ଚାଲାଣ ରୢାକେଟ୍‌ର ପର୍ଦ୍ଦାଫାସ କରିଛି। ବଲାଙ୍ଗୀର ରେଳ‌େଷ୍ଟସନ୍‌ରେ ଆରପିଏଫ୍ ହାୱଡା-ଜଗଦଲପୁର ସମଲେଶ୍ବରୀ ଏକ୍ସପ୍ରେସ୍ ଟ୍ରେନ୍‌ର ସାଧାରଣ ଦ୍ବିତୀୟ ଶ୍ରେଣୀ ବଗିରୁ ବେଆଇନ ଭାବେ ଚାଲାଣ ହେଉଥିବା ୭ଟି ଟୋକେଇରୁ ୫୫୦ ପାରାଙ୍କୁ ଉଦ୍ଧାର କରିବା ସହ ଜଣଙ୍କୁ ଅଟକ ରଖାଯାଇଛି। ପାରା ଓ ଅଟକ ରହିଥିବା ବ୍ୟକ୍ତିଙ୍କୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି।

ସେହିପରି ଅନ୍ୟ ଏକ ଘଟଣାରେ ଢେଙ୍କାନାଳ ଓ ଖୋର୍ଦ୍ଧାସ୍ଥିତ ଆରପିଏଫ୍‌ ଢେଙ୍କାନାଳସ୍ଥିତ କୁଞ୍ଜକଣ୍ଟାଠାରେ ଗୋଟିଏ ଦୋକାନ ଉପରେ ମିଳିତ ଚଢ଼ଉ କରି ଜଣଙ୍କୁ ଗିରଫ କରିବା ସହ ଚାରି ବସ୍ତା (୧୬୦କେଜି) ଗଞ୍ଜେଇ ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ୮୦ ହଜାର ଟଙ୍କା ହେବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ ଯେ ଗତ ୧୧ ତାରିଖରେ ଚଳନ୍ତା ହାୱଡା-ସମ୍ବଲପୁର ଏକ୍ସପ୍ରେସ୍‌ରୁ ଗଞ୍ଜେଇ ବସ୍ତା ଫୋପାଡ଼ିବା ଘଟଣାରେ ରେଳ ଧାରଣାରେ କାର୍ଯ୍ୟ କରୁଥିବା ତିନିଜଣ ରେଳବାଇ କର୍ମଚାରୀ ଗୁରୁତର ହୋଇଥିଲେ। ଏହି ଘଟଣାର ତଦନ୍ତ କରି ଆରପିଏଫ୍‌ କୁଞ୍ଜକଣ୍ଟାଠାରେ ଏକ ଦୋକାନ ଉପରେ ଚଢ଼ଉ କରି ଜଣଙ୍କୁ ଗିରଫ କରିବା ସହ ଚାରି ବସ୍ତା ଗଞ୍ଜେଇ ଜବତ କରିଥିଲା। ଗିରଫ ବ୍ୟକ୍ତି ନିଜ ସାନ ଭାଇଙ୍କ ସହାୟତା‌‌‌ରେ ଏହି ଗଞ୍ଜେଇ ଚାଲାଣ କରୁଥିଲେ। ଗିରଫ ଅଭିଯୁକ୍ତଙ୍କୁ ଢେଙ୍କାନାଳସ୍ଥିତ ଏସ୍‌ଡିଜେଏମ୍‌ କୋର୍ଟ‌‌‌‌ରେ ହାଜର କରାଯାଇଛି।

ସମ୍ବନ୍ଧିତ ଖବର