ଭଞ୍ଜନଗର : ସଡ଼କ ଦୁର୍ଘଟଣାକୁ ରୋକିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି। ବିଭିନ୍ନ ନିୟମକୁ କଡ଼ାକଡ଼ି କରାଯିବା ସହ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେଉଛି। କିନ୍ତୁ ଟ୍ରାଫିକ୍ ନିୟମକୁ ନମାନି ବେପରୁଆ ଭାବେ ଗାଡ଼ି ଚାଳନା ଓ ରାସ୍ତାରେ ଖାଲଖମା ସମେତ ବିଭିନ୍ନ କାରଣରୁ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ଚିନ୍ତାଜନକ ଭାବେ ବଢ଼ିବାରେ ଲାଗିଛି। ଏହିକ୍ରମରେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଆଞ୍ଚଳିକ ପରିବହନ ତଥା ଭଞ୍ଜନଗର ଉପଖଣ୍ଡକୁ ବିଚାରରେ ନେଲେ ଗତ ୫ ବର୍ଷ ମଧ୍ୟରେ ୫୫୨ଟି ଦୁର୍ଘଟଣାରେ ୩୭୮ ଜଣ ପ୍ରାଣ ହରାଇଥିବା ବେଳେ ୩୦୦ରୁ ଅଧିକ ଆହତ ହୋଇଛନ୍ତି।

Advertisment

୨୦୧୮ରେ ୯୯ଟି ଦୁର୍ଘଟଣାରେ ୭୨ ଜଣ ଓ ୨୦୧୯ରେ ୭୨ଟି ଦୁର୍ଘଟଣାରେ ୫୩ ଜଣଙ୍କ ମୃତ୍ୟୁ ଘଟିଥିଲା। ୨୦୨୦ ମସିହାରେ କରୋନା ପାଇଁ ଦୀର୍ଘଦିନ ଧରି ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ବଳବତ୍ତର ରହିଥିଲେ ହେଁ, ଦୁର୍ଘଟଣା ହାରରେ କୌଣସି ପରିବର୍ତ୍ତନ ଆସି ନଥିଲା। ଉକ୍ତବର୍ଷ ୭୭ଟି ଦୁର୍ଘଟଣାରେ ୬୧ ଜଣ ପ୍ରାଣ ହରାଇଥିଲେ। ସେହିପରି ୨୦୨୧ରେ ୧୩୭ଟି ଦୁର୍ଘଟଣାରେ ୮୬ ଜଣ ଓ ଗତବର୍ଷ ୧୬୭ଟି ଦୁର୍ଘଟଣାରେ ୧୦୬ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ୫ ବର୍ଷର ସଂଖ୍ୟାକୁ ଅନୁଧ୍ୟାନ କଲେ ମୃତ୍ୟୁହାର ଚିନ୍ତାଜନକ ଭାବେ ବଢ଼ିଛି।

ଚିନ୍ତା ବଢ଼ାଇଛି ବେପରୁଆ ଗାଡ଼ି ଚାଳନା, ଖାଲଖମା ରାସ୍ତା
ଗତବର୍ଷ ସର୍ବାଧିକ ୫୫ ଜଣ ମଦ୍ୟପ ଚାଳକ ଗିରଫ

ଅନ୍ୟପକ୍ଷରେ ୫୯ ନମ୍ବର ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ବଡ଼ ଖାଲଖମା ଦୁର୍ଘଟଣାର ପ୍ରମୁଖ କାରଣ ଭାବେ ଉଭା ହୋଇଛି। ବିଶେଷକରି ଭଞ୍ଜନଗର-ଆସିକା ରାସ୍ତାର ଅବସ୍ଥା ନକହିବା ଭଲ। ରାସ୍ତା ଅବସ୍ଥା ଶୋଚନୀୟ ହୋଇଥିବା ବେଳେ ଖାଲଖମା ଯୋଗୁଁ ଛୋଟବଡ଼ ଦୁର୍ଘଟଣା ଘଟୁଛି। ପୁନରୁଦ୍ଧାର କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବାରୁ ଜନସାଧାରଣ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେହିପରି ଧରାକୋଟ ନିକଟ କିଛି ସ୍ଥାନରେ ମଧ୍ୟ ୫୯ ନମ୍ବର ଜାତୀୟ ରାଜପଥରେ ଖାଲଖମା ସୃଷ୍ଟି ହୋଇଛି। କିନ୍ତୁ ଏହାର ମରାମତି ଦିଗରେ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଆଯାଉ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।
ଅନ୍ୟପକ୍ଷରେ ଟ୍ରାଫିକ୍ ନିୟମକୁ କଡ଼ାକଡ଼ି କରିବାକୁ ଜରିମାନା ଆଦାୟ ଓ ସଚେତନତାକୁ ବ୍ୟାପକ କରାଯାଇଛି। ଏହିକ୍ରମରେ ଭଞ୍ଜନଗର ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଆଜି ସୁଦ୍ଧା ମଦ୍ୟପ ଗାଡ଼ିଚାଳକଙ୍କ ସମେତ ବିଭିନ୍ନ ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କଠୁ ୯ ଲକ୍ଷ ୯୬ ହଜାର ୪୨୮ ଟଙ୍କା ଜରିମାନା ଆଦାୟ ହୋଇଛି।

୨୦୧୯ରେ ୬୯ ଜଣ ମଦ୍ୟପ ଗାଡ଼ି ଚାଳକଠୁ ଜରିମାନା ଆଦାୟ ସହ କୋର୍ଟ ଚାଲାଣ କରାଯାଇଥିଲା। ଏହାସହ ହେଲମେଟ୍ ପିନ୍ଧି ନଥିବା ୬୨୧ଜଣ ଓ ସିଟ୍ ବେଲ୍ଟ୍ ପିନ୍ଧି ନଥିବା ୬୬୨ ଜଣ ଚାଳକଙ୍କଠୁ ଜରିମାନା ଆଦାୟ ହୋଇଥିଲା।

୪୩୭ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହୋଇଥିଲା। ୨୦୨୦ରେ ୧୪ ଜଣ ମଦ୍ୟପ ଚାଳକ, ୩୫୬ ଜଣ ବିନା ହେଲମେଟ୍‌ଧାରୀ ଓ ୩୭୦ ଜଣ ବିନା ସିଟ୍ ବେଲ୍ଟ୍‌ଧାରୀ ଚାଳକ ଧରାପଡ଼ିଥିବା ବେଳେ ୨୩୦ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହୋଇଥିଲା। ୨୦୨୧ରେ ୬ଜଣ ମଦ୍ୟପ ଚାଳକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ବିନା ହେଲମେଟ୍‌ଧାରୀଙ୍କଠୁ ମୋଟ ୨ ଲକ୍ଷ ୫୩,୦୦୦ ଟଙ୍କା ‌ଏବଂ ବିନା ସିଟ୍‌ ବେଲ୍ଟ୍‌ଧାରୀଙ୍କଠୁ ୮୬ ହଜାର ଟଙ୍କା ଆଦାୟ ଜରିମାନା ଆଦାୟ ହୋଇଥିଲା। ୫୩୩ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ୍ ରଦ୍ଦ କରାଯାଇଛି।

ତେବେ ଗତବର୍ଷ ସର୍ବାଧିକ ୫୫ ଜଣ ମଦ୍ୟପ ଚାଳକଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏଥିସହ ବିନା ହେଲମେଟ୍‌ଧାରୀଙ୍କଠୁ ୧ ଲକ୍ଷ ୫୯ ହଜାର ଟଙ୍କା ‌ଏବଂ ବିନା ସିଟ୍‌ ବେଲ୍ଟଧାରୀଙ୍କଠୁ ୧ ଲକ୍ଷ ୯ ହଜାର ଟଙ୍କା ଆଦାୟ ହୋଇଥିବା ବେଳେ ୨୯୨ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ୍ ରଦ୍ଦ ହୋଇଛି। ତଥାପି ଦୁର୍ଘଟଣା ସଂଖ୍ୟା ବଢ଼ିବା ଚିନ୍ତାଜନକ ପ୍ରସଙ୍ଗ ପାଲଟିଛି।