ଭୁବନେଶ୍ବର : ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍କେୱାଇ) ଅଧୀନରେ ରାଜ୍ୟ ତଥା ରାଜ୍ୟ ବାହାରେ ୫୫୪ଟି ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ଯୋଡ଼ି ହୋଇଛନ୍ତି। ଏଥିରେ ୧୦୩ଟି ହସ୍ପିଟାଲ କେବଳ ରାଜ୍ୟ ବାହାରର। ଆସାମ, ଆନ୍ଧ୍ର, ଛତିଶଗଡ଼, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଦିଲ୍ଲୀ, ଗୁଜରାଟ, ପଞ୍ଜାବ, ତାମିଲନାଡ଼ୁ, ହରିୟାନା, ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ, ରାଜସ୍ଥାନ, ତେଲେଙ୍ଗାନା ଓ ଉତ୍ତରାଖଣ୍ଡର ହସ୍ପିଟାଲମାନଙ୍କୁ ବିଏସ୍କୱାଇରେ ସାମିଲ କରାଯାଇଛି। ଆହୁରି ୨୯ଟି ସ୍ପେଶାଲିଟି ହସ୍ପିଟାଲକୁ ଏଥିରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି। ଅନୁମୋଦିତ ୨୯ଟି ହସ୍ପିଟାଲ ପଞ୍ଜୀକୃତ ହେଲେ ବିଏସ୍କେୱାଇରେ ସମୁଦାୟ ହସ୍ପିଟାଲ ସଂଖ୍ୟା ୫୮୩କୁ ବୃଦ୍ଧି ପାଇବ।
ବିଏସ୍କେୱାଇର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡା.ବୃନ୍ଦା ଡି.ଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସ୍ବାସ୍ଥ୍ୟ ପ୍ରତିଶ୍ରୁତି ସମିତି ସଭାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶୁଭାନନ୍ଦ ମହାପାତ୍ର ବିଭିନ୍ନ ଯୋଜନାର କାର୍ଯ୍ୟାନ୍ବୟନ ସମ୍ବନ୍ଧିତ ସଦ୍ୟତମ ତଥ୍ୟ ଉପସ୍ଥାପନ କରିଥିଲେ। ବିଲ ଗୁଡ଼ିକୁ ଅନୁମୋଦନ ଦେବା ପୂର୍ବରୁ ସମସ୍ତ ଦରକାରୀ ତଥ୍ୟ, କାଗଜପତ୍ର ଓ ନିର୍ଦ୍ଧାରିତ ଦର ତାଲିକାକୁ ଠିକ୍ ଭାବେ ତନଖି କରି ବିଲ ପୈଠ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ନିର୍ଦେଶ ଦିଆଯାଇଛି। ରାଜ୍ୟ ବାହାରେ ପଞ୍ଜୀକୃତ ହୋଇଥିବା ହସ୍ପିଟାଲମାନଙ୍କ ସହ ଭିଡିଓ କନ୍ଫରେନ୍ସିଂ ଓ ମୋବାଇଲ ଫୋନ ମାଧ୍ୟମରେ ନିୟମିତ ଯୋଗାଯୋଗରେ ରହିବାକୁ ନୋଡାଲ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି। ବିଏସ୍କେୱାଇ ସଫ୍ଟୱେୟାର ନବୀକରଣ ଓ ଚିକିତ୍ସା ବିଲ୍ଗୁଡ଼ିକର ସମୟାନୁବନ୍ଧିତ ପୈଠ ଆଦି ବିଷୟ ମୁଖ୍ୟତଃ ସମୀକ୍ଷା କରାଯାଇଥିଲା।