ଅନ୍ୟ ରାଜ୍ୟରୁ ଆସିଥିବା ୫୫୪୭ ଶ୍ରମଜୀବୀଙ୍କୁ ୩୬ଟି ଶିବିରରେ ରଖାଯାଇଛି : ସୁବ୍ରତ ବାଗଚୀ

ରାଜ୍ୟରେ ଆଇସୋଲେସନରେ ଅଛନ୍ତି ୩୭ ଜଣ

ଭୁବନେଶ୍ୱର: ସଂପ୍ରତି ବିଭିନ୍ନ ରାଜ୍ୟରୁ ୫୫୪୭ ଜଣ ଶ୍ରମଜୀବୀ ଓଡ଼ିଶା ଫେରି ଆସିଛନ୍ତି । ଏହି ଶ୍ରମଜୀବୀମାନେ ବିହାର, ଦିଲ୍ଲୀ, ମହାରାଷ୍ଟ୍ର, ହରିୟାଣା, ଝାଡ଼ଖଣ୍ଡ, ଛତିଶଗଡ଼, ତେଲେଙ୍ଗାନା ଆଦି ରାଜ୍ୟଗୁଡ଼ିକରେ କାମ କରୁଥିଲେ । ଏମାନଙ୍କୁ ୩୬ଟି ଶିବିରରେ ରଖାଯାଇଛି । ରାଜ୍ୟ ସରକାର ଏହି ଶ୍ରମଜୀବୀମାନଙ୍କର ଖାଦ୍ୟ ଓ ରହିବା ବ୍ୟବସ୍ଥା କରିଛନ୍ତି । ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର  ସୁବ୍ରତ ବାଗଚୀ ଆଜି  ସାମ୍ବାଦିକ ସମ୍ମିଳନୀରେ ଏହାୟି ସୂଚନା ଦେଇଛନ୍ତି । ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଶ୍ରୀ ବାଗଚୀ କହିଛନ୍ତି, ବର୍ତ୍ତମାନ ରାଜ୍ୟ ସରକାର ଆକ୍ରାନ୍ତଙ୍କ ସଂପର୍କରେ ଆସିଥିବା  ୩୭ ଜଣଙ୍କୁ ଆଇସୋଲେସନରେ ରଖିଛନ୍ତି । ଆଇସୋଲେସନରେ ଭର୍ତ୍ତି ହୋଇଥିବା ବ୍ୟକ୍ତିମାନଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି ।

ଶ୍ରୀବାଗଚୀ କହିଛନ୍ତି, କରୋନା ଭାଇରସ ମୁକାବିଲା  ଏକ ଯୁଦ୍ଧର ସମୟ । ଏହି ଯୁଦ୍ଧରେ ଆମେମାନେ ପ୍ରହରୀ ଭଳି କାମ କରିବା । ଜଣେ ବ୍ୟକ୍ତିଙ୍କ ଦ୍ୱାରା ଅନେକ ଲୋକଙ୍କୁ ସଂକ୍ରମଣ ହେବାର ଆଶଙ୍କା ଥାଏ । ଯେଉଁ ବ୍ୟକ୍ତି ସଂକ୍ରମିତ ହେବ, ତାଠାରୁ ପୁଣି ଅନ୍ୟମାନଙ୍କୁ ସଂକ୍ରମଣ ବ୍ୟାପିବାରେ ସମ୍ଭାବନା ରହିଛି । ତେଣୁ ଯେତେଦିନ ପର୍ଯ୍ୟନ୍ତ ଆମକୁ ନିର୍ଦେଶ ଆସିନାହିଁ, ସେତେଦିନ ପର୍ଯ୍ୟନ୍ତ ବାହାରକୁ ଯିବା ନାହିଁ । ଆମେ ଦକ୍ଷିଣ କୋରିଆର ସୁପରସ୍ପେଡରଙ୍କ ଭଳି ହେବା ନାହିଁ । କାରଣ ଦକ୍ଷିଣ କୋରିଆର ଜଣେ ବ୍ୟକ୍ତି ୧୧୬୦ ଜଣଙ୍କ ସଂସ୍ପର୍ଶରେ ଆସିଥିଲେ ।

ଆଜି ୨ଟା ୨୫ ମିନିଟ ସୁଦ୍ଧା ୧୮୯ଟି ଦେଶ କରୋନା ସଂକ୍ରମିତ ହୋଇଛନ୍ତି । ମୋଟ ୫ ଲକ୍ଷ ୩୭ ହଜାର ୧୭୮ଜଣ ସଂକ୍ରମିତ ହୋଇଛନ୍ତି । ସେହିଭଳି ମୃତ୍ୟୁ ସଂଖ୍ୟା ୨୪ ହଜାର ୧୨୬ରେ ପହଞ୍ଚିଛି । ଭାରତରେ ୭୫୩ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨୦ରେ ପହଞ୍ଚିଛି । ଆମେରିକାରେ ସର୍ବାଧିକ ୮୫ ହଜାରରୁ ଅଧିକ ସଂକ୍ରମିତ ହୋଇଥିବା ବେଳେ ୧୩୦୦ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ସେହିଭଳି ଇଟାଲୀ, ଫ୍ରାନ୍ସ ଓ ଚୀନରେ ମଧ୍ୟ କରୋନା ସ୍ଥିତି ଖରାପ ଅଛି ।

ସେହିପରି ଶ୍ରୀ ବାଗଚୀ ଦିନକୁ ଅତିକମରେ ୭ରୁ ୮ ଥର ୨୦ ସେକେଣ୍ଡ ପାଇଁ ହାତ ଧୋଇବାକୁ ପରାମର୍ଶ ଦେଇଛନ୍ତି । ସାମାଜିକ ଦୂରତ୍ୱ ରକ୍ଷାକରନ୍ତୁ । ଅସୁବିଧା ହେଲେ ୧୦୪କୁ ଫୋନ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି । ଏଥି ସହ ସେ କହିଛନ୍ତି ଯେ, ବର୍ତ୍ତମାନ ସଂଯମର ସମୟ । ଭୁଲ ଅଥବା ତ୍ରୁଟି ଦେଖୁଥିଲେ ସ୍ଥାନୀୟ ପ୍ରଶାସନକୁ ଜଣାନ୍ତୁ । କର୍ତ୍ତୃପକ୍ଷଙ୍କୁ ଅସୁବିଧା କୁହନ୍ତୁ । ସୁସ୍ଥ ରହିବା ପାଇଁ କେତେକ ନିୟମାବଳୀ ପାଳନ କରନ୍ତୁ ।

ସମ୍ବନ୍ଧିତ ଖବର