ଭୁବନେଶ୍ବର: ଜଳବାୟୁ ପରିବର୍ତ୍ତନ ଯୋଗୁଁ ବୃଷ୍ଟିପାତରେ ବ୍ୟତିକ୍ରମ ଦେଖାଦେଇଛି। ବର୍ଷତମାମ ବୃଷ୍ଟିପାତ ହେବା ପରିବର୍ତ୍ତେ ସ୍ବଳ୍ପସମୟରେ ବ୍ୟାପକ ପରିମାଣରେ ବର୍ଷା ଯୋଗୁଁ ପ୍ରାକୃତିକ ବିପର୍ଯ୍ୟୟ ସୃଷ୍ଟି ହେବା ସହିତ ଅଧିକାଂଶ ସମୟରେ ଜଳସଙ୍କଟ ଲାଗିରହିଛି। ନଦୀନାଳରେ ଦେଖାଦେଇଥିବା ଜଳସଙ୍କଟକୁ ଭରଣା କରିବା ପାଇଁ ଶିଳ୍ପାନୁଷ୍ଠାନଗୁଡ଼ିକ ପ୍ରାକୃତିକ ଜଳଉତ୍ସକୁ ଗ୍ରୀଷ୍ମଦିନରେ ବ୍ୟବହାର ନ କରିବା ଉପରେ କଟକଣା ରହିଛି। ଏପରିକି ବର୍ଷାଜଳକୁ ସଂରକ୍ଷଣ କରିବା ପାଇଁ ଶିଳ୍ପାନୁଷ୍ଠାନଗୁଡ଼ିକ ଜଳଅମଳ ପ୍ରକଳ୍ପ ନିର୍ମାଣ କରି ବ୍ୟବହାର କରିବାକୁ କମ୍ପାନିଗୁଡ଼ିକ ସହ ଏମଓୟୁ କରାଯାଇଛି। ଏହାକୁ ଅଧିକାଂଶ କମ୍ପାନି ପାଳନ କରୁନାହାନ୍ତି। ଏପରିକି ବର୍ଷତମାମ ଜଳ ବ୍ୟବହାର କରୁଥିବା ସଂସ୍ଥାଗୁଡ଼ିକ ଜଳକର ଫାଙ୍କି ଚାଲିଛନ୍ତି। ରାଜ୍ୟରେ ୫୬ଟି ସଂସ୍ଥା ଉପରେ ୧୨୨୬କୋଟି ଟଙ୍କା ଜଳକର ବାକି ରହିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିକଟରେ ବିଧାନସଭାରେ ପ୍ରକାଶ କରିଛନ୍ତି।
ପ୍ରକାଶଥାଉକି, ରାଜ୍ୟରେ ଜଳସଙ୍କଟ ବର୍ଷତମାମ ଲାଗି ରହିଥିବା ବେଳେ ଅନେକ ଶିଳ୍ପାନୁଷ୍ଠାନ ଅନିୟନ୍ତ୍ରିତ ଭାବେ ନଦୀଜଳ ଶୋଷି ଚାଲିଛନ୍ତି। ଫଳରେ ନଦୀର ତଳମୁଣ୍ଡରେ ବସବାସ କରୁଥିବା ଅଞ୍ଚଳବାସୀ ବର୍ଷାଦିନ ବ୍ୟତୀତ ଅଧିକାଂଶ ସମୟରେ ଜଳଯନ୍ତ୍ରଣାରେ କଲବଲ ହେଉଛନ୍ତି। ବହୁ ଶିଳ୍ପାନୁଷ୍ଠାନ ଖୁବ୍ କମ୍ ପରିମାଣ ଜଳ ବ୍ୟବହାର କରୁଥିବା ଦର୍ଶାଉଥିଲେ ମଧ୍ୟ ତାଠାରୁ ଅଧିକ ଜଳ ବ୍ୟବହାର କରୁଛନ୍ତି। ସରକାରୀ ରିପୋର୍ଟ ଅନୁସାରେ, ୨୦୨୫ ମାର୍ଚ୍ଚ ୨୦ ତାରିଖ ସୁଦ୍ଧା ୧୩୫ଟି ଶିଳ୍ପସଂସ୍ଥା ୮ଟି ନଦୀର ଜଳ ବ୍ୟବହାର କରୁଛନ୍ତି। ସେଥିରୁ ୫୬ଟି ଶିଳ୍ପସଂସ୍ଥା ଉପରେ ୧୨୨୬ କୋଟିରୁ ଅଧିକ ଟଙ୍କା ଜଳକର ବାକିରହିଛି। ଏହି ଶିଳ୍ପସଂସ୍ଥାଗୁଡ଼ିକ ନିୟମିତ ଭାବେ ନଦୀଜଳ ବ୍ୟବହାର କରୁଥିଲେ ମଧ୍ୟ ବର୍ଷ ବର୍ଷ ଧରି ଜଳକର ପ୍ରଦାନ କରୁନାହାନ୍ତି। ମହାନଦୀରୁ ନେଉଥିବା ୫୦ଟି ଶିଳ୍ପସଂସ୍ଥା ମଧ୍ୟରୁ ୨୮ଟି ଶିଳ୍ପସଂସ୍ଥା ଉପରେ ଜଳକର ବାବଦକୁ ୫୩୨.୬୧୨ କୋଟି ଟଙ୍କା ଅନାଦାୟ ରହିଛି।
ସେହିପରି ବୈତରଣୀ ନଦୀରୁ ଜଳ ନେଉଥିବା ୧୭ଟି ଶିଳ୍ପସଂସ୍ଥା ମଧ୍ୟରୁ ୪ଟି ଶିଳ୍ପସଂସ୍ଥା ଉପରେ ୧.୩୧୬ କୋଟି ଟଙ୍କା, ବ୍ରାହ୍ମଣୀରୁ ଜଳ ନେଉଥିବା ୫୧ଟି ଶିଳ୍ପସଂସ୍ଥା ମଧ୍ୟରୁ ୧୩ଟି ଶିଳ୍ପସଂସ୍ଥା ଉପରେ ୪୫୭.୬୮୧ କୋଟି, ଇନ୍ଦ୍ରାବତୀରୁ ଜଳ ନେଉଥିବା ୨ଟି ଶିଳ୍ପସଂସ୍ଥା ମଧ୍ୟରୁ ୧ଟି ଶିଳ୍ପସଂସ୍ଥା ଉପରେ ୧.୯୨୮ କୋଟି ଟଙ୍କା ଜଳକର ବାକି ରହିଛି। ସେହିପରି କୋଲାବରୁ ଜଳ ନେଉଥିବା ୬ଟି ଶିଳ୍ପସଂସ୍ଥା ମଧ୍ୟରୁ ୩ଟି ଶିଳ୍ପସଂସ୍ଥା ଉପରେ ୧୯୬.୪୧୬ କୋଟି ଟଙ୍କା, ନାଗାବଳୀରୁ ଜଳ ନେଉଥିବା ୩ଟି ଶିଳ୍ପସଂସ୍ଥାରୁ ୨ଟି ଶିଳ୍ପସଂସ୍ଥା ଉପରେ ୩୪.୩୫୨ କୋଟି ଟଙ୍କା, ଋଷିକୁଲ୍ୟାରୁ ଜଳ ନେଉଥିବା ୫ଟି ଶିଳ୍ପସଂସ୍ଥାରୁ ୪ଟି ଶିଳ୍ପସଂସ୍ଥା ଉପରେ ୨.୫୬୩ କୋଟି ଟଙ୍କା, ସୁବର୍ଣ୍ଣରେଖାରୁ ଜଳ ନେଉଥିବା ୧ଟି ଶିଳ୍ପସଂସ୍ଥା ଉପରେ ୨ ହଜାର ଟଙ୍କା ଜଳକର ବାକି ପଡିଛି। କୋଲାବ, ମହାନଦୀ, ବ୍ରାହ୍ମଣୀ ନଦୀରୁ ଜଳ ନେଉଥିବା ଶିଳ୍ପସଂସ୍ଥା ଉପରେ ସବୁଠାରୁ ଅଧିକ ଜଳକର ଅନାଦାୟ ଥିବା ବେଳେ ଏହି ଶିଳ୍ପସଂସ୍ଥାମାନଙ୍କୁ ଜଳ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି। ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଅବା କଟକଣା ନାହିଁ। ଯାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।