୫୬ କେଜି ଗଞ୍ଜେଇ ଜବତ, ବାପପୁଅଙ୍କ ସହିତ ମହିଳା ଗିରଫ

ବାରିପଦା/ବଡ଼ସାହି, ୨୩/୧୧ (ଇମିସ): ବାରିପଦା‌ ଓ ବଡ଼ସାହି ଥାନା ଅଞ୍ଚଳରୁ ୫୬ କେଜିରୁ ଊର୍ଦ୍ଧ୍ବ ବେଆଇନ୍ ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ ୨ ଜଣ ପୁରୁଷ ଓ ଜଣେ ମହିଳା ଗିରଫ ହୋଇଛନ୍ତି। ବାରିପଦାର ଏକ ଗେଷ୍ଟହାଉସ୍‌ ରୁମ୍‌କୁ ଭଡ଼ାରେ ନେଇ ବାପପୁଅ ଗଞ୍ଜେଇ ବେପାର ଚଳାଇଥିଲେ। ଦୀର୍ଘ ଦିନ ହେଲା ଦୁହେଁ ଗଞ୍ଜେଇ ବେପାର କରୁଥିଲେ ହେଁ ପୁଲିସ କିମ୍ବା ଅବକା‌ରୀ ବିଭାଗ ଏ ସଂପର୍କରେ ଟେର୍‌ ପାଉନଥିଲା। ଗତକାଲି ରାତିରେ ବାହାର ଜିଲ୍ଲାରୁ ବାରିପଦାକୁ ଗଞ୍ଜେଇ ଆସୁଥିବା ଖବର ପାଇଥିଲେ ମୟୂରଭଞ୍ଜ ଏସ୍‌ପି ରିଷିକେଶ ଦ୍ୟାନଦେଓ ଖିଲାରୀ। ତାଙ୍କ ନିର୍ଦ୍ଦେଶ କ୍ରମେ ଟାଉନ୍‌ ଥାନା ଅଧିକାରୀ ବିରେନ୍ଦ୍ର କୁମାର ସେନାପତି ଓ ପୁଲିସ ଟିମ୍‌ ‌ଗେଷ୍ଟହାଉସ୍‌ରେ ଚଢଉ କରି ସେଠାରୁ ୫୧ କେଜି ଗଞ୍ଜେଇ ଜବତ କରିବା ସହ ବାରିପଦା ଗାଙ୍ଗରାଜ ସାହିର ଗିରିଶ ଚନ୍ଦ୍ର ମହାକୁଡ଼ ଓ ତାଙ୍କ ପୁଅ ଅବିନାଶ ମହାକୁଡ଼ଙ୍କୁ ଗିରଫ କରିଥିଲେ। ସେମାନଙ୍କ ନିକଟରୁ ନଗଦ ୪୧ ହଜାର ୫୦୦ ଟଙ୍କା ଓ ୮ଟି ମୋବାଇଲ ମଧ୍ୟ ଜବତ ହୋଇଛି।

ସେହିପରି ବଡ଼ସାହି ଥାନା ଉଠାଣି ନୂଆଗାଁ ଗ୍ରାମରେ ଆଜି ଅବକାରୀ ବିଭାଗ ଚଢ଼ଉ କରି ୫୦ ହଜାର ଟଙ୍କାର ଗଞ୍ଜେଇ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ଲିପିକା ଗୋଚ୍ଛାୟତ(୩୨)ଙ୍କୁ ଗିରଫ କରିଛି। ବୁଧବାର ଅବକାରୀ ବିଭାଗର ମୋବାଇଲ୍‌ ସ୍କ୍ବାଡ୍‌ ଇନ୍ସପେକ୍ଟର ବିଜୟଲକ୍ଷ୍ମୀ ଦାସ, ସଦର ଅବକାରୀ ବିଭାଗର ଇନ୍ସପେକ୍ଟର ବିକାଶ ଟପ୍ନୋ, ବେତନଟୀ ଅବକାରୀ ଥାନା ଅଧିକାରୀ ନିରଞ୍ଜନ ସାହୁ, ଏଏସ୍‌ଆଇ ସୁଧାଂଶୁ ବେହେରା, କାଶୀନାଥ ସୋରେନ୍‌, ଦୀପିକା ପରିଡ଼ା ପ୍ରମୁଖ ଉଠାଣି ନୂଆଗାଁ ଗ୍ରାମରେ ଚଢ଼ଉ କରି ଲିପିକାଙ୍କ ଘରୁ ୫ କିଲୋଗ୍ରାମ ୬୦ ଗ୍ରାମର ଗଞ୍ଜେଇ ଜବତ କରିଥିଲେ। ଏ ନେଇ ଅବକାରୀ ଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଲିପିକାଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର