ପୁରୀ : ଅସୁରକ୍ଷିତ ହୋଇପଡ଼ିଛି ସମୁଦ୍ର ସ୍ନାନ। ଅକାଳରେ ସମୁଦ୍ରରେ ସମାଧି ନେଉଛି ନୀରିହ ଜୀବନ। ଅଣ୍ଡର୍ କରେଣ୍ଟ୍ ସାଜୁଛି ବିପଦ। ବାରମ୍ବାର ସମୁଦ୍ର ଆଁ'ରେ ଫସି ଯାଉଛନ୍ତି ସମୁଦ୍ର ସ୍ନାନର ମଜା ନେବାକୁ ଆସୁଥିବା ପର୍ଯ୍ୟଟକ। ବିଡମ୍ବନା ଏହି ଯେ ଚଳିତ ମାସରେ ୨ଦିନରେ ସମୁଦ୍ର ୪ଟି ମୁଣ୍ଡ ନେବା ପରେ ଅଗ୍ନିଶମ ବାହିନୀ ପକ୍ଷରୁ ୧୨-୧୩-୧୪ ନମ୍ବର ସେକ୍ଟରରେ ନାଲି ପତାକା ମାରି ସେହି ସ୍ଥାନରେ ଗାଧେଇବାକୁ ବାରଣ କରାଯାଇଛି। କିନ୍ତୁ କେତେକ ଅମାନିଆ ଏହା ମାନିବାକୁ ନାରାଜ।
ଅଗ୍ନିଶମ ବାହିନୀର ହିସାବ ମୁତାବକ, ଚଳିତ ବର୍ଷ ଜାନୁଆରିରୁ ମେ ମାସ ପ୍ରଥମ ସପ୍ତାହ ମଧ୍ୟରେ ମୋଟ ୫ଜଣଙ୍କର ପ୍ରାଣ ଯାଇଥିବା ବେଳେ ୪୬ ଜଣଙ୍କୁ ଉଦ୍ଧାର କରାଯାଇଛି। ସେହିଭଳି ୨୦୨୨ରେ ୬ ଜଣ ସମୁଦ୍ରରେ ବୁଡ଼ି ପ୍ରାଣ ହରାଇଥିବା ବେଳେ ୨୪ ଜଣ ଉଦ୍ଧାର ହୋଇଥିଲେ। ୨୦୨୧ରେ ମାତ୍ର ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଥିବା ବେଳେ ୧୯ ଜଣଙ୍କୁ ଉଦ୍ଧାର କରାଯାଇଥିଲା।
ବେଳାଭୂମିରେ ଗାଧୋଇବା ପାଇଁ ୧୪ଟି ବାଥିଂ ଜୋନ୍ ନିଦ୍ଧାରଣ କରାଯାଇଛି। ଏଥିମଧ୍ୟରୁ ପିଙ୍କ୍ ହାଉସ୍, ଚୈତନ୍ୟ ଛକ, ଦିଗବାରେଣୀ ଛକ ଓ ଲାଇଟ୍ ହାଉସ୍ ନିକଟରେ ପ୍ରବଳ ଭିଡ଼ ଜମୁଥିବାରୁ ଏହି ସ୍ଥାନମାନଙ୍କରେ ଲାଇଫ୍ ଗାର୍ଡଙ୍କ ନିୟନ୍ତ୍ରଣ ରହୁନାହିଁ। ଫଳରେ ଗତ ୨୦୧୫ରୁ ଏପର୍ଯ୍ୟନ୍ତ ୫୬ ଜଣ ସମୁଦ୍ରରେ ସ୍ନାନବେଳେ ପ୍ରାଣ ହରାଇଛନ୍ତି। ମିଳିଥିବା ତଥ୍ୟ ମୁତାବକ, ୨୦୧୫ରେ ୧୧ ଜଣ, ୨୦୧୬ରେ ୧୨ ଜଣ, ୨୦୧୭ରେ ୭ ଜଣ, ୨୦୧୮ରେ ୮ ଜଣ, ୨୦୧୯ରେ ୪ ଜଣ, ୨୦୨୦ରେ ୨ ଜଣଙ୍କ ପ୍ରାଣ ଯାଇଛି। ଅର୍ଥାତ୍ ୨୧୦୫ରୁ ୨୦୨୩ ମେ ମାସ ପ୍ରଥମ ସପ୍ତାହ ମଧ୍ୟରେ ୫୬ ଜଣଙ୍କ ଜୀବନ ପାଣିରେ ବୁଡ଼ି ଯାଇଇଛି।
ବିଡ଼ମ୍ବନା ଏହି ଯେ ଅଗ୍ନିଶମ ବାହିନୀ ପକ୍ଷରୁ ୨୦୧୧ରେ ଯେତିକି ଲାଇଫ୍ ଗାର୍ଡ ନିୟୋଜିତ ହୋଇଥିଲେ, ଆଜି ବି ୧୧ ବର୍ଷ ପରେ ସେଇ ୯୬ ଜଣରେ ସୀମିତ ଅଛନ୍ତି। ଚନ୍ଦ୍ରଭାଗାଠୁ ନେଇ ପୁରୀ ବେଳାଭୂମି ପର୍ଯ୍ୟନ୍ତ ମାତ୍ର ୯୬ ଜଣ ଲାଇଫ ଗାର୍ଡଙ୍କୁ ମୁତୟନ କରାଯାଇଛି। ଫଳରେ ଅବସର ବିନୋଦନ ପାଇଁ ଆସୁଥିବ ପର୍ଯ୍ୟଟକଙ୍କୁ ସୁରକ୍ଷା ଯୋଗାଇବପା ସମ୍ଭବ ହେଉନାହିଁ।
/sambad/media/post_attachments/wp-content/uploads/2023/05/p11.jpg)
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବେଳାଭୂମିରେ ସ୍ନାନ କରିବା ଉଦ୍ଦେଶ୍ୟରେ ୧୪ଟି ବାଥିଂ ଜୋନ୍ ରହିଛି। କିନ୍ତୁ ୮କିଲୋମିଟର ଅଞ୍ଚଳ ମଧ୍ୟରେ ଲୋକେ ଗାଧୋଇବାକୁ ପସନ୍ଦ କରୁଥିବା ବେଳେ ବାଥିଂ ଜୋନ୍ଗୁଡ଼ିକ ୨ କିଲୋମିଟର ମଧ୍ୟରେ ସୀମିତ ରହିଛି। ହେଲେ ସୁରକ୍ଷିତ ସ୍ନାନ ପାଇଁ ଆବଶ୍ୟକ ପରିମାଣର ୱାଚ୍ ଟାୱାର କରାଯାଉ ନାହିଁ କି ଅଗ୍ନିଶମ ବାହିନୀରେ ଦକ୍ଷ ତାଲିମପ୍ରାପ୍ତ ଲାଇଫ୍ ଗାର୍ଡଙ୍କ ସଂଖ୍ୟା ବଢ଼ା ଯାଉନାହିଁ। ଅନ୍ୟପକ୍ଷରେ ଘରୋଇ ସ୍ତରରେ ୩୦୦ ଲାଇଫ୍ ଗାର୍ଡ ରହିଥିଲେ ବି ଅଧିକାଂଶ ପର୍ଯ୍ୟଟକ ଗାଧୋଇବା ବେଳେ ଲାଇଫ୍ ଗାର୍ଡଙ୍କ ସହାୟତା ନେଉନାହାନ୍ତି। ଯଦିଓ ଏନେଇ ସଚେତନ କରାଯାଉଛି କିନ୍ତୁ ବାଧ୍ୟବାଧକତା ନଥିବାରୁ ଲାଇଫ୍ଗାର୍ଡମାନେ ବି ନିରୂପାୟ। କେବଳ ଦୃଷ୍ଟିରେ ପଡ଼ିଲେ ବୁଡ଼ି ଯାଉଥିବ ପର୍ଯ୍ୟଟକଙ୍କୁ ଉଦ୍ଧାର କରୁଛନ୍ତି।
ଏନେଇ ଅଗ୍ନିଶମ ଅଧିକାରୀ ପ୍ରଦୀପ ରାଉତ କହିଛନ୍ତି, ସବୁଦିନ ପାଟ୍ରୋଲିଂ କରାଯାଉଛି। ଫୁଟ୍ ପାଟ୍ରୋଲିଂ ସମେତ ଜେଟସ୍କି ବୁଲୁଛି। ସାଇରନ୍ ବଜାଇ ସତର୍କ ମଧ୍ୟ କରାଯାଉଛି। ଲାଲ ପତାକା ଲଗାଇ ୩ଟି ଜୋନ୍ରେ ନାଗାଧେଇବାକୁ ସୂଚନା ଦିଆଯାଉଛି। କିନ୍ତୁ କିଛି ପର୍ଯ୍ୟଟକ ଏହାକୁ ମାନୁନାହାନ୍ତି। ଲାଇଫଗାର୍ଡମାନେ ବୁଝାଇଲେ ବି ଅଧିକାଂଶ ପର୍ଯ୍ୟଟକ ଯୁକ୍ତି କରୁଛନ୍ତି। ଯଥା ସମ୍ଭବ ଲାଇଫ୍ ଗାର୍ଡମାନେ ପର୍ଯ୍ୟଟକଙ୍କ ସ୍ନାନ ବେଳେ ନଜର ରଖୁଛନ୍ତି। ଅନ୍ତତଃ ପକ୍ଷେ ଯେଉଁ ପର୍ଯ୍ୟଟକମାନେ ସ୍ନାନ କରୁଛନ୍ତି ସେମାନେ ଲାଇଫ୍ ସେଭିଂ ଜାକେଟ୍ର ବ୍ୟବହାର କରିବା ଉଚିତ। ଆବଶ୍ୟକସ୍ଥଳେ ଲାଇଫଗାର୍ଡଙ୍କ ସହାୟତା ନେବା ଆବଶ୍ୟକ ବୋଲି ସେ କହିଛନ୍ତି। ଆଗକୁ ସ୍ନାନଯାତ୍ରା ଓ ରଥଯାତ୍ରା ଯୋଗୁ ଯେଉଁ ଅନୁପାତରେ ପର୍ଯ୍ୟଟକଙ୍କ ଆଗମନ ବଢ଼ିବ ସମୁଦ୍ରରେ ସ୍ନାନ ପାଇଁ ମଧ୍ୟ ସେତିକି ସମାଗମ ବୃଦ୍ଧି ପାଇବ। ତେଣୁ ଏଥିପାଇଁ ଏବେଠୁ ସତର୍କତା ମୂଳକ ପଦକ୍ଷେପ ସହ ୱାଚ୍ ଟାୱାର ଓ ଲାଇଫ୍ ଗାର୍ଡଙ୍କ ସଂଖ୍ୟା ବୃଦ୍ଧି କରିବା ଆବଶ୍ୟକ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/Puri-Sea-Beach-is-Not-Save_Thumbnail.jpg)