୫୬ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମିଳିବ ପଦୋନ୍ନତି

ପ୍ରତି ଜିଲ୍ଲା ପାଇଁ ନିଯୁକ୍ତ ହେଲେ ନୋଡାଲ ଅଫିସର, ସ୍କୁଲ ଓ ଯୁକ୍ତ୨ କଲେଜ ପାଠ୍ୟକ୍ରମ କମ୍‌ କରିବାକୁ ନିର୍ଦେଶ

ଭୁବନେଶ୍ୱର : ରାଜ୍ୟର ୫୬ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପଦୋନ୍ନତି ଦିଆଯିବ। ଏହି ପ୍ରକ୍ରିୟା ଚଳିତ ମାସ ସୁଦ୍ଧା ‌ଶେଷ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

ଅନ୍ୟପକ୍ଷରେ ବିଭାଗ ଅଧୀନସ୍ଥ ସମସ୍ତ ନିର୍ଦେଶାଳୟକୁ ଚଳଚଞ୍ଚଳ କରିବା ଲାଗି ପଦକ୍ଷେପ ନିଆଯାଇଛି। ବିଭାଗ ପକ୍ଷରୁ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଜଣେ ଲେଖାଏଁ ବରିଷ୍ଠ ଅଧିକାରୀଙ୍କୁ ନୋଡାଲ ଅଫିସର ଭାବେ ନିୟୋଜିତ କରାଯାଇଛି। ଏଥିରେ ଯୁଗ୍ମ ନିର୍ଦେଶକ, ଅତିରିକ୍ତ ନିର୍ଦେଶକମାନେ ରହିଛନ୍ତି। ସେମାନେ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମକୁ ତଦାରଖ କରିବେ। ପ୍ରତ୍ୟେକ ସୋମବାର ଦିନ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇ ସମାଧାନର ବାଟ ବାହାର କରାଯିବ।
ଏହି ପରିପ୍ରେକ୍ଷୀରେ ଆଜି ବିଭାଗୀୟ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ବିଭାଗର ସମସ୍ତ ନିର୍ଦେଶକ, ଅତିରିକ୍ତ ଯୁଗ୍ମ ଶାସନ ସଚିବଙ୍କ ସହ ଆଲୋଚନା କରିଛନ୍ତି। ପଦୋନ୍ନତି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବା ସହ ପଦୋନ୍ନତି ଦିଆଯାଇ ଖାଲିଥିବା ପଦଗୁଡ଼ିକୁ ପୂରଣ କରିବା ଲାଗି ଚିଠା ପ୍ରସ୍ତୁତ ହୋଇଛି। ଖୁବ୍‌ଶୀଘ୍ର ଚୂଡ଼ାନ୍ତ ମୋହର ବାଜିବ। କୋଭିଡ୍‌-୧୯ ଯୋଗୁଁ ଶିକ୍ଷାନୁଷ୍ଠାନ ବନ୍ଦ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ପ୍ରାଥମିକଠାରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପର୍ଯ୍ୟନ୍ତ ପାଠ୍ୟକ୍ରମକୁ ଚଳିତବର୍ଷ କମ୍‌ କରିବା ଲାଗି ସମ୍ପୃକ୍ତ ସଂସ୍ଥାର ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି। ଏହି ବୈଠକରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା), ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ, ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ସମସ୍ତ ଅତିରିକ୍ତ ଶାସନ ସଚିବ ଓ ଅର୍ଥ ପରାମର୍ଶଦାତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର