ଭଦ୍ରକ : ବିଶିଷ୍ଟ ସମାଜସେବୀ, ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ବିଧାୟକ ସ୍ବର୍ଗତ ମୁରଲୀଧର ଜେନାଙ୍କ ୫୬ତମ ସ୍ମୃତି ସମାରୋହ ବୁଧବାର ଭଦ୍ରକ ସଂସ୍କୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ‘ସମ୍ବାଦ’ର ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ବର୍ଗତ ଜେନାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଏହି ଅବସରରେ ଶ୍ରୀ ପଟ୍ଟନାୟକ ସ୍ବର୍ଗତ ଜେନାଙ୍କ ସ୍ମୃତିଚରଣ କରି କହିଥିଲେ, ମୁରଲୀ ବାବୁ ଆମ ସମସ୍ତଙ୍କ ପାଇଁ ଏକ ଉଦାହରଣ। ବେଶୀ ପାଠ ପଢ଼ିବାର ସୁଯୋଗ ନପାଇ ମଧ୍ୟ ସେ ନିଜ ଅଞ୍ଚଳରେ ଅନେକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିଥିଲେ। ମାତ୍ର ୯ ବର୍ଷର ବିଧାୟକ ସମୟ ଭିତରେ ସେ ନିଜ ମାଟି ପାଇଁ ଅନେକ କାମ କରିଥିଲେ। ମୁରଲୀ ବାବୁ ଜଣେ ନିଆରା ଆଦର୍ଶ ମଣିଷ ଥିଲେ। ଆମେ ନିଜ ସ୍ବାର୍ଥ ପାଇଁ ବ୍ୟାକୁଳ ହେଉଥିବା ବେଳେ ମୁରଲୀ ବାବୁ ନିଜ ମାଟିର ବିକାଶ କଥା ଚିନ୍ତା କରୁଥିଲେ। ଆଜିର ନାଗରିକ ସମାଜ ମୁରଲୀ ବାବୁଙ୍କ ପରି ଆମ ଗଣତନ୍ତ୍ରର ସୁରକ୍ଷା ପାଇଁ ଚିନ୍ତା କରିବା ଉଚିତ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।
ସ୍ମୃତି ସଂସଦର ସଭାପତି ବରିଷ୍ଠ ଆଇନଜୀବୀ ଅନନ୍ତ ପ୍ରସାଦ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟବକ୍ତା ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ସାହିତ୍ୟିକ ଡ.କ୍ଷୀରୋଦ ଚନ୍ଦ୍ର ସାମଲ, ସମ୍ମାନିତ ବକ୍ତା ଅବସରପ୍ରାପ୍ତ ପ୍ରାଧ୍ୟାପକ ଲକ୍ଷ୍ମୀଧର ରାଉତ, ବରିଷ୍ଠ ଆଇନଜୀବୀ ନିରାକାର ଜେନା ପ୍ରମୁଖ ଯୋଗଦେଇ ସ୍ବର୍ଗତ ଜେନାଙ୍କ ସ୍ମୃତିଚାରଣ କରିଥିଲେ। ଏହି ଅବସରରେ କଥାଶିଳ୍ପୀ ତଥା ଧାମନଗର ମହାବିଦ୍ୟାଳୟର ଅଧ୍ୟକ୍ଷ ପବିତ୍ର ପାଣିଗ୍ରାହୀ, ଶିଶୁ ସାହିତ୍ୟିକ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ହରମୋହନ କୁଅଁରଙ୍କୁ ମୁଖ୍ୟଅତିଥି ଶ୍ରୀ ପଟ୍ଟନାୟକ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏଥିସହିତ ସ୍ମୃତି ସଂସଦ ପକ୍ଷରୁ ମୁଖ୍ୟଅତିଥି ଶ୍ରୀ ପଟ୍ଟନାୟକଙ୍କୁ ସମ୍ମାନ ଫଳକ ଓ ଉପଢୌକନ ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍ମୃତି ସଂସଦର ସମ୍ପାଦକ ଭକ୍ତହରି ନାୟକ ସଂପାଦକୀୟ ବିବରଣୀ ପାଠ କରିଥିବା ବେଳେ କବି ଗୌତମ ମହାରଣା ସ୍ୱାଗତ ଭାଷଣ ଦେଇଥିଲେ। ଶରତ କୁମାର ନାୟକ ଅତିଥିମାନଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିଲେ। କ୍ଷୀରୋଦ ଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/bha.jpg)