ରାୟଗଡା: ରାୟଗଡା ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହେବା ସହ ନକ୍ସଲ ପ୍ରବଣ ମଧ୍ୟ ଥିଲା। ବିଶେଷକରି ରାଜ୍ୟ ସରକାର ଅବିଭକ୍ତ କୋରାପୁଟ ଜିଲ୍ଲା ପାଇଁ ବିଶେଷ ଧ୍ୟାନ ଦେଉଥିବା ବେଳେ ରାୟଗଡା ପ୍ରତି ଉଦାସୀନତା ଜଳ ଜଳ ଦେଖିବାକୁ ମିଳିଛି। ରାଜ୍ୟ ସରକାର ରାଜ୍ୟର ୨୮୩୬ଟି ମିନି ଅଙ୍ଗନବାଡ଼ି କେନ୍ଦ୍ରକୁ ନିୟମିତ ଅଙ୍ଗନବାଡି କେନ୍ଦ୍ରରେ ଉନ୍ନିତ କରିଛନ୍ତି। ସେଥିମଧ୍ୟରୁ ରାୟଗଡା ଜିଲ୍ଲରେ ମାତ୍ର ୧୦ ପ୍ରତିଶତ ମିନି ଅଙ୍ଗନବାଡି ହିଁ ନିୟମିତ ଅଙ୍ଗନବାଡିରେ ଉନ୍ନିତ ହୋଇପାରିଛି। ରାୟଗଡା ଜିଲ୍ଲାର ଗ୍ରାମଗୁଡିକ ସଂପୂର୍ଣ୍ଣ ଭାବେ ଦୁର୍ଗମ ଏବଂ ଅପହଞ୍ଚ ହୋଇଥିବା ବେଳେ ସେହି ଅଂଚଳରେ ରହୁଥିବା ପିଲାଙ୍କ ପ୍ରତି ଅଣଦେଖା ହେଲା ବୋଲି କୁହାଯାଇଛି। ରାୟଗଡା ଜିଲ୍ଲାରେ ମୋଟ ୨୦୬୩ଟି ଅଙ୍ଗନବାଡି କେନ୍ଦ୍ର ରହିଥିବା ବେଳେ ସେଥିମଧ୍ୟରୁ ୧୫୧୩ଟି ଅଙ୍ଗନବାଡି କେନ୍ଦ୍ର ରହିଥିବା ବେଳେ ୫୫୦ଟି ମିନି ଅଙ୍ଗନବାଡି କେନ୍ଦ୍ର ରହିଛି।
ବ୍ଲକୱାରି ଅଂଗନବାଡି କେନ୍ଦ୍ର ରିପୋର୍ଟ ଅନୁଯାୟୀ ବିଷମକଟକ ବ୍ଲକରେ ୧୪୨ ଅଙ୍ଗନବାଡି କେନ୍ଦ୍ର ଥିବା ବେଳେ ୪୨ଟି ମିନି ଅଙ୍ଗନବାଡି କେନ୍ଦ୍ର ରହିଛି। ସେହିପରି ଚନ୍ଦ୍ରପୁର ବ୍ଲକରେ ୭୦ଟି ଅଙ୍ଗନବାଡି କେନ୍ଦ୍ର ଏବଂ ୪୮ଟି ମିନି ଅଙ୍ଗନବାଡି କେନ୍ଦ୍ର ରହିଛି। ଗୁଡାରି ବ୍ଲକରେ ୯୨ଟି ଅଙ୍ଗନବାଡି କେନ୍ଦ୍ର ଏବଂ ୪୧ଟି ମିନି ଅଙ୍ଗନବାଡି କେନ୍ଦ୍ର।ଗୁଣୁପୁର ବ୍ଲକରେ ୧୩୮ଟି ଅଙ୍ଗନବାଡି କେନ୍ଦ୍ର ଏବଂ ୭୬ଟି ମିନି ଅଙ୍ଗନବାଡି କେନ୍ଦ୍ର। କଲ୍ୟାଣସିଂହପୁର ବ୍ଲକରେ ୧୨୫ଟି ଅଂଗନବାଡି କେନ୍ଦ୍ର ଏବଂ ୨୭ଟି ମିନି ଅଙ୍ଗନବାଡି କେନ୍ଦ୍ର ଏବଂ କାଶୀପୁର ବ୍ଲକରେ ୨୫୦ଟି ଅଙ୍ଗନବାଡି କେନ୍ଦ୍ର ଏବଂ ୭୯ଟି ମିନି ଅଙ୍ଗନଡାଡି କେନ୍ଦ୍ର, କୋଲନରା ବ୍ଲକରେ ୧୪୬ଟି ଅଙ୍ଗନବାଡି କେନ୍ଦ୍ର ରହିଥିବା ବେଳେ ୨୮ଟି ମିନି ଅଙ୍ଗନବାଡି କେନ୍ଦ୍ର ରହିଛି।ସେହିପରି ମୁନିଗୁଡା ବ୍ଲକରେ ୧୪୯ଟି ଅଙ୍ଗନବାଡି କେନ୍ଦ୍ର ଏବଂ ୩୮ଟି ମିନି ଅଙ୍ଗନବାଡି କେନ୍ଦ୍ର ରହିଛି।ପଦ୍ମପୁର ବ୍ଲକରେ ୯୪ଟି ଅଙ୍ଗନବାଡି କେନ୍ଦ୍ର ଏବଂ ୨୫ଟି ମିନି ଅଙ୍ଗନବାଡି କେନ୍ଦ୍ର, ରାମନାଗୁଡା ବ୍ଲକରେ ୯୩ଟି ଅଙ୍ଗନବାଡି କେନ୍ଦ୍ର ଏବଂ ୬୦ଟି ମିନି ଅଙ୍ଗନବାଡି କେନ୍ଦ୍ର ରହିଛି। ସେହିପରି ରାୟଗଡା ବ୍ଲକରେ ୨୧୪ଟି ଅଙ୍ଗନବାଡି କେନ୍ଦ୍ର ଏବଂ ୮୬ଟି ମିନି ଅଙ୍ଗନବାଡି କେନ୍ଦ୍ର ରହିଛି।
ତେବେ ଜିଲ୍ଲାର ୧୧ଟି ବ୍ଲକରୁ ମାତ୍ର ୯ଟି ବ୍ଲକର ୫୭ଟି ଅଙ୍ଗନବାଡି କେନ୍ଦ୍ରକୁ ନିୟମିତ ଅଙ୍ଗନବାଡି କେନ୍ଦ୍ର ରୂରେ ଉନ୍ନୀତ କରାଯାଇଛି।ସେଥିମଧ୍ୟରୁ ଗୁଣୁପୁର ବ୍ଲକରେ ୫ଟି, ମୁନିଗୁଡା ବ୍ଲକରେ ୨ଟି, ରାମନାଗୁଡା ବ୍ଲକରେ ୨ଟି, ବିଷମକଟକ ବ୍ଲକରେ ୮ଟି, ଚନ୍ଦ୍ରପୁର ବ୍ଲକରେ ୮ଟି, ରାୟଗଡା ବ୍ଲକରେ ୯ଟି, କାଶୀପୁର ବ୍ଲକରେ ୧୯ଟି, କୋଲନରା ବ୍ଲକରେ ୩ଟି ଏବଂ କଲ୍ୟାଣସିଂହପୁର ବ୍ଲକରେ ମାତ୍ର ଗୋଟିଏ ମିନି ଅଂଗନବାଡି କେନ୍ଦ୍ର ଉନ୍ନୀତ ହୋଇ ଅଙ୍ଗନବାଡି ହୋଇଛି। ଦୁଇଟି ବ୍ଲକ ଯଥା ଗୁଡାରି ଏବଂ ପଦ୍ମପୁର ବ୍ଲକର ଗୋଟିଏ ବି ମିନି ଅଙ୍ଗନବାଡି କେନ୍ଦ୍ର ଉନ୍ନୀତ ହୋଇପାରିଲା ନାହିଁ, ଯାହାକୁ ନେଇ ଅଂଚଳବାସୀ କ୍ଷୋଭ ପ୍ରକାଶ କରିଛନ୍ତି।
ମିନି ଅଙ୍ଗନବାଡିକୁ ଉନ୍ନିତ ହେବା ପାଇଁ ଯେଉଁ ନିୟମଗୁଡିକ ରହିଛି, ସେହି ନିୟମଗୁଡିକ ମଧ୍ୟରେ ଅନ୍ୟ ୪୯୩ଟି ମିନି ଅଙ୍ଗନବାଡି ଆସୁନଥିବା କୁହାଯାଇଛି। ବିଶେଷକରି ୪୦୦ରୁ ଅଧିକା ଲୋକ ସଂଖ୍ୟା ଥିବା ସ୍ଥାନରେ ରହିଥିବା ମିନି ଅଂନବାଡି କେନ୍ଦ୍ର ଉନ୍ନୀତ ହୋଇପାରିବ ବୋଲି କୁହାଯାଇଛି। ଜିଲ୍ଲାରେ ରହିଥିବା ଗ୍ରାମଗୁଡିକର ମିନି ଅଂଗନୱାଡି କେନ୍ଦ୍ର ଦୂରତା ଏବଂ ଘାଟି ଅଂଚଳ ଅନୁଯାୟୀ କେନ୍ଦ୍ରଗୁଡିକକୁ ଉନ୍ନୀତ କରାଯିବା କଥା ବୋଲି ଅଂଚଳବାସୀ ଦାବି କରିଛନ୍ତି। ଏହି ମିନି ଅଙ୍ଗନବାଡି କେନ୍ଦ୍ରଗୁଡିକ ଉନ୍ନିତ ହେଲେ ଦୁର୍ଗମ ଅଂଚଳର ଶିଶୁ, ଗର୍ଭବତୀ ମା‘ ଏବଂ କିଶୋରୀ ବାଳିକାମାନେ ଉପକୃତ ହୋଇପାରନ୍ତେ ବୋଲି କୁହାଯାଇଛି। ତେବେ ବଳକା ମିନି ଅଙ୍ଗନବାଡି କେବେ ଅଙ୍ଗନବାଡିରେ ଉନ୍ନିତ ହେଉଛି ଦେଖିବାକୁ ବାକି ରହିଲା।