ତଥାପି ଅମାନିଆ ମାନୁ ନାହାନ୍ତି କଟକଣା: କନ୍ଧମାଳରେ ଗିରଫ ହେଲେଣି ୫୭ଜଣ, ୨୩ ଜଣଙ୍କ ନାଁରେ ମାମଲା ରୁଜୁ

ଜିଲ୍ଲାର ୭ ପ୍ରବେଶ ପଥ ସିଲ, ପୁଲିସର କଡା ପ୍ରହରା

ଫୁଲବାଣୀ: କରୋନା ସଂକ୍ରମିତକୁ ପ୍ରତିହତ କରିବା ନିମନ୍ତେ ସମଗ୍ର ଦେଶରେ ଚାଲିଥିବା ଲକ୍ ଡାଉନ ଆଜି ଚତୁର୍ଥ ଦିନରେ ପହଞ୍ଚିଛି। । ଲକଡାଉନ ଯୋଗୁ ସମଗ୍ର କନ୍ଧମାଳରେ ଗାଁରୁ ସହର ସବୁଠି ଶୂନଶାନ। ନିଜର ସୁରକ୍ଷା ପାଇଁ ସମାଜିକ ଦୂରତା ବଜାୟ ରଖି ସମସ୍ତେ ଘରେ ରହୁଛନ୍ତି। ଜରୁରୀ କାମରେ କିଏ କେମିତି ବାହାରକୁ ବାହାରୁଛି। ତାହା ପୁଣି ଅଳ୍ପ ସମୟ ପାଇଁ।  ଲୋକଙ୍କ ସୁବିଧା ପାଇଁ ସକାଳ ଓ ସଂଧ୍ୟାରେ ୨ ଘଣ୍ଟା ଲେଖାଏଁ ଅତ୍ୟାବଶ୍ୟକ ଦୋକାନ ଖୋଲୁଛି। ତାହା ପୁଣି ଚିହ୍ନିତ ଗୋଲ ବୃତ୍ତରେ ଠିଆ ହୋଇ ସମାଜିକ ଦୂରତା ରଖି। ଏହାକୁ ଅବମାନନା କଲେ ଦୋକାନୀ ଓ ଖାଉଟିଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ‌ବୋଲି ପୁଲିସ ସତର୍କ କରାଇ ଦେଇଛି।

ପୁଲିସ ନିର୍ଦ୍ଦେଶ ଅନୁଯାୟୀ ସବୁ କିଛି ଠିକଠାକ୍ ଚାଲିଥିବା ଦେଖ୍‌ବାକୁ ମିଳୁଛି।  କରୋନାକୁ ପ୍ରତିହତ କରିବା ନିମନ୍ତେ ଲକ୍ ଡାଉନକୁ ମାନିବାକୁ ପ୍ରଶାସନ ଓ ପୁଲିସ ଜିଲ୍ଲାବାସୀଙ୍କୁ ଅନୁରୋଧ କରି ଚାଲିଛନ୍ତି। ଏ ନେଇ ସରକାରୀ କର୍ମଚାରୀ ଓ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀଙ୍କ ଦ୍ବାରା ଲୋକଙ୍କୁ କରୋନା ସତର୍କତା ଓ ସଚେତନା କରାଯାଉଛି। ବିଶେଷତଃ ଘରୁ କେହି ପଦାକୁ ନ ବାହାରିବା,ହାତକୁ ସାବୁନରେ ବାରମ୍ବାର ଧୋଇବା, ଗହଳି ସ୍ଥାନକୁ ନ ଯିବା, ଜରୁରୀ କାମ ନଥିଲେ ବାହାରକୁ ବାହାରନ୍ତୁ ନାହିଁ।

ଏଭଳି ସଚେତନତା ଓ ସକର୍କତା ସତ୍ତ୍ବେ କିଛି ଅମାନିଆ କଟକଣାକୁ ମାନୁ ନାହାନ୍ତି। କରୋନା କଟକଣାକୁ କଡାକଡି ପାଳନ କରିବା ନିମନ୍ତେ ଜିଲ୍ଲାର ୭ ପ୍ରବେଶ ପଥକୁ ସିଲ କରି ଦିଆଯାଇଛି। ଅମାନିଆଙ୍କୁ ସାବାଡ କରିବା ନିମନ୍ତେ ଏସପି ସବୁ ଥାନାର ଥାନାଧିକାରୀଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି। କେଉଁଠି ପୁଲିସ ଅମାନିଆଙ୍କୁ ବାଡେଇଲାଣି ତ ଆଉ କେଉଁଠି କାନ ଧରି ଉଠବସ କଲାଣି। କାହାକୁ ଗିରଫ ତ ଆଉ କାହାର ଗାଡି ସିଜ ଓ ଆଉ କାହା ନାଁରେ ମାମଲା ରୁଜୁ କଲାଣି। ଏତେ ସବୁ ସତ୍ତ୍ବେ କିଛି ଅମାନିଆ ସୁଧୁରୁ ନାହାନ୍ତି।

ଆଜି ସକାଳେ ଏକ ଅଟୋରେ ଖୁନ୍ଦାଖୁନ୍ଦି ହୋଇ ଲୋକ ଯାଉଥିବା ବେଳେ ପୁଲିସ ଅଟକାଇଥିଲା। ଅଟୋ ସିଜ କରିବା ସହ ଚାଳକକୁ ପୁଲିସ ଅଟକ ରଖିଛି। ୩ ଦିନ ହେଲା ଜିଲ୍ଲାର ବିଭିନ୍ନ ଥାନା ପକ୍ଷରୁ ପକ୍ଷରୁ କରୋନା କଟକଣା ଅମାନ୍ୟ କରିଥିବା  ୫୭ ଜଣଙ୍କୁ ଗିରଫ କରିଛି। ୧୧ଟି ଗାଡି ଜବତ କରାଯାଇଥିବା ବେଳେ ୨୩ ଜଣଙ୍କ ନାଁରେ ମାମଲା ରୁଜୁ କରିଛି। କରୋଟା କଟକଣାକୁ ଯେ କେହି ଅବମାନନା କରିବ ସେମାନଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଯିବ ବୋଲି ଏସପି ପ୍ରତୀକ ଗୀତା ସିଂ କହିଛନ୍ତି। କରୋନା ସଂକ୍ରମିତକୁ ପ୍ରତିହତ କରିବା ନିମନ୍ତେ କଟକଣାକୁ ମାନିବା ଓ ସମସ୍ତେ ପୁଲିସକୁ ସହଯୋଗ କରିବା ଜରୁରୀ ହୋଇ ପଡିଛି।

ସମ୍ବନ୍ଧିତ ଖବର