ଛତ୍ରପୁର/ଗୋପାଳପୁର : ଜାତୀୟ ରାଜପଥ ୧୬ ଜଗନ୍ନାଥପୁର ଛକରେ ଗତକାଲି ଆନ୍ଦୋଳନକାରୀ ଡ୍ରାଇଭର ଓ ପୁଲିସ ବାହିନୀ ମଧ୍ୟରେ ଖଣ୍ତଯୁଦ୍ଧ ହୋଇଥିଲା। ଏଥିରେ ଗଞ୍ଜାମ ଓ ବ୍ରହ୍ମପୁର ପୁଲିସ ଜିଲ୍ଲାର ଛତ୍ରପୁର ଏସ୍ଡିପିଓ, ଗୋଳନ୍ଥରା ଥାନା ଅଧିକାରୀଙ୍କ ସମେତ ୧୦ ଜଣ ପୁଲିସ କର୍ମଚାରୀ ଓ ଅଧିକାରୀ ଆହତ ହୋଇଥିଲେ। ଏହି ଘଟଣାରେ ୫୭ଜଣ ଡ୍ରାଇଭରଙ୍କୁ ଗିରଫ କରାଯାଇଛି।
ଗତକାଲି ରାତିରେ ଏହି ଘଟଣା ଘଟିଥିଲା। ରାଜପଥ ରଣକ୍ଷେତ୍ର ପାଲଟିଥିବା ବେଳେ ଡ୍ରାଇଭରମାନେ ସଂଘବଦ୍ଧ ହୋଇ ଠେଙ୍ଗା ଧରି ପୁଲିସକୁ ଗୋଡ଼ାଇଗୋଡ଼ାଇ ପିଟିଥିଲେ। ଟେକାପଥର ପିଙ୍ଗି ଲହୁଲୁହାଣ କରି ଦେଇଥିଲେ। ଏହି ଘଟଣାକୁ ଗଞ୍ଜାମ ପୁଲିସ ଗୁରୁତ୍ବର ସହ ନେଇଥିଲା। ଗଞ୍ଜାମ ଏସ୍.ପି ଜଗମୋହନ ମୀନାଙ୍କ ସୂଚନା ଅନୁସାରେ, ଗତକାଲି ୨୮ ଜଣ ଡ୍ରାଇଭରଙ୍କୁ ଗିରଫ କରି କୋର୍ଟଚାଲଣ କରାଯାଇଛି। ସେହିପରି, ଗୋପାଳପୁର ଥାନା ପୁଲିସ ଏହି ଘଟଣାରେ ସମ୍ପୃକ୍ତ ମୋଟ ୨୯ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଦୁଇଦିନ ମଧ୍ୟରେ ସମୁଦାୟ ୫୭ଜଣଙ୍କୁ ଗିରଫ କରାଯାଇଛି। ଆଗକୁ ଗିରଫ ସଂଖ୍ୟା ବଢ଼ିପାରେ ବୋଲି ପୁଲିସ ସୂତ୍ରରୁ ପ୍ରକାଶ।