ୟୁଜିସି ଓ ସିଏସ୍‌ଆଇଆର୍‌ ପରୀକ୍ଷାରେ ଏଫ୍‌ଏମ୍‌ୟୁ ଛାତ୍ରଛାତ୍ରୀଙ୍କ ସଫଳତା: ଜେଆର୍‌ଏଫ୍‌ ଓ ନେଟ୍‌ ପାଇଲେ ୫୭ ଛାତ୍ରଛାତ୍ରୀ

ବାଲେଶ୍ବର: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଏବଂ ବିଜ୍ଞାନ ଓ ଶିଳ୍ପ ଗବେଷଣା ପରିଷଦ(ସିଏସ୍‌ଆଇଆର୍‌) ନେଟ୍‌ ପରୀକ୍ଷାରେ ବାଲେଶ୍ବର ଫକୀରମୋହନ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି। ଚଳିତ ମାସ ପ୍ରକାଶ ପାଇଥିବା ପରୀକ୍ଷାଫଳରେ ୟୁଜିସି ଓ ସିଏସ୍‌ଆଇଆର୍‌ ନେଟ୍‌ ପାଇଛନ୍ତି ବିଶ୍ବବିଦ୍ୟାଳୟର ୫୭ ଜଣ ଛାତ୍ରଛାତ୍ରୀ। ଏଥିରୁ ଜୁନିଅର ରିସର୍ଚ୍ଚ ଫେଲୋସିପ୍‌(ଜେଆର୍‌ଏଫ୍‌)ରେ ୧୭ ଜଣ ଛାତ୍ରଛାତ୍ରୀ ପାଇଥିବା ବେଳେ ସିଏସ୍‌ଆଇଆର୍‌ ନେଟ୍‌ରେ ୪୦ ଜଣ ଛାତ୍ରଛାତ୍ରୀ ପାଇଛନ୍ତି।

ଶିକ୍ଷା ବିଭାଗରେ ୧୬ ଜଣଙ୍କ ଭିତରୁ ୪ ଜଣ ଜେଆର୍‌ଏଫ୍‌ ଓ ୧୨ ଜଣ ନେଟ୍‌ ପାଇଛନ୍ତି। ପଦାର୍ଥ ବିଜ୍ଞାନରେ ୨ ଜଣ ଜେଆର୍‌ଏଫ୍‌, କମ୍ପ୍ୟୁଟର ସାଇନ୍ସରେ ଜଣେ ନେଟ୍‌, ବାଣିଜ୍ୟରେ ଜଣେ ନେଟ୍‌, ସାମ୍ବାଦିକତା ଏବଂ ଗଣ ଯୋଗାଯୋଗରେ ଜଣେ ନେଟ୍‌, ରସାୟନ ବିଜ୍ଞାନରେ ୨ ଜଣ ଜେଆର୍‌ଏଫ୍‌ ଓ ଜଣେ ନେଟ୍‌, ପରିବେଶ ବିଜ୍ଞାନରେ ୨ ଜଣ ନେଟ୍‌, ପ୍ରାଣୀ ବିଜ୍ଞାନରେ ୩ ଜଣ ଜେଆର୍‌ଏଫ୍‌, ବାୟୋଟେକ୍‌ରେ ଜଣେ ନେଟ୍‌, ସାମାଜିକ ବିଜ୍ଞାନରେ ୨ ଜଣ ଜେଆର୍‌ଏଫ୍‌ ଓ ୭ ଜଣ ନେଟ୍‌ ପାଇଛନ୍ତି। ସେମିତି ଅର୍ଥନୀତି ବିଭାଗରେ ୪ ଜଣ ନେଟ୍‌, ରାଜନୀତି ବିଜ୍ଞାନରେ ୩ ଜଣ ନେଟ୍‌, ଜନସଂଖ୍ୟା ଅଧ୍ୟୟନରେ ଜଣେ ଜେଆର୍‌ଏଫ୍‌, ଭାଷା ଏବଂ ସାହିତ୍ୟ ବିଭାଗରେ ଜଣେ ଜେଆର୍‌ଏଫ୍‌ ଓ ୫ ଜଣ ନେଟ୍‌ ପାଇଛନ୍ତି। ସେହିପରି ଗଣିତରେ ୨ ଜଣ ଜେଆର୍‌ଏଫ୍‌ ଓ ୨ ଜଣ ନେଟ୍‌ ପାଇଛନ୍ତି। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ କହିଛନ୍ତି, ଛାତ୍ରଛାତ୍ରୀଙ୍କ ଭିତରେ ଯେଉଁ ପ୍ରତିଯୋଗିତାମୂଳକ ମନୋଭାବ ସୃଷ୍ଟି ହୋଇଛି। ଏହି ପରୀକ୍ଷାଫଳ ତାର ପ୍ରତିଫଳ। ତେଣୁ ଆଗାମୀ ଦିନରେ ଆହୁରି ଅଧିକ ପିଲା ଯେମିତି ସଫଳତା ହାସଲ କରିବେ ଏଥିପ୍ରତି ବିଶ୍ବବିଦ୍ୟାଳୟ ପକ୍ଷରୁ ଗୁରୁତ୍ବ ଦିଆଯିବ।

ସମ୍ବନ୍ଧିତ ଖବର