ଭୁବନେଶ୍ବର/ଜଟଣୀ: ଅମୃତ ଭାରତ ଷ୍ଟେସନ ଯୋଜନା (ଏବିଏସ୍‌ଏସ୍‌)ରେ ଦେଶର ରେଳ ଷ୍ଟେସନଗୁଡ଼ିକର ବିକାଶ ପାଇଁ ରୂପରେଖ ପ୍ରସ୍ତୁତ ହୋଇଛି। ଏହି ଯୋଜନା ମାଧ୍ୟମରେ ଏବେ ୧୩୦୯ଟି ଷ୍ଟେସନ୍‌ର ନବୀକରଣ/ଆଧୁନିକୀକରଣ କରାଯିବ। ଷ୍ଟେସନ୍‌ର ଉଭୟ ପାର୍ଶ୍ୱରେ ଥିବା ସହରାଞ୍ଚଳଗୁଡ଼ିକୁ ଏକାଠି କରିବା, ମଲ୍ଟିମୋଡାଲ୍ ଏକୀକରଣ, ଦିବ୍ୟାଙ୍ଗଙ୍କ ପାଇଁ ସୁବିଧା, ସ୍ଥାୟୀ ଓ ପରିବେଶ ଅନୁକୂଳ, ବାଲାଷ୍ଟଲେସ୍ ଟ୍ରାକ୍ ଯୋଗାଣ, ଆବଶ୍ୟକତା ଅନୁଯାୟୀ ରୁଫ୍‌ ପ୍ଲାଜା, ଷ୍ଟେସନ୍‌ ବିଲ୍‌ଡିଂର ଉନ୍ନତି, ସୁସଜ୍ଜିତ ଆଧୁନିକ ଯାତ୍ରୀ ସୁବିଧା, ଭଲ ଭାବେ ପରିକଳ୍ପିତ ଟ୍ରାଫିକ୍ ସଞ୍ଚାରଣ ଓ ଇଣ୍ଟର-ମୋଡାଲ୍ ଏକୀକରଣ, ଯାତ୍ରୀଙ୍କ ମାର୍ଗଦର୍ଶନ ପାଇଁ ୟୁନିଫର୍ମ ଓ ଭଲ ଡିଜାଇନ୍ ସାଇନ୍‌-ଏଜ୍, ମାଷ୍ଟର୍‌ପ୍ଲାନ୍‌ରେ ଉପଯୁକ୍ତ ସମ୍ପତ୍ତି ବିକାଶ, ଲ୍ୟାଣ୍ଡସ୍କେପ୍, ସ୍ଥାନୀୟ କଳା ଓ ସଂସ୍କୃତିକୁ ଗୁରୁତ୍ବ ଦିଆଯିବ। ସିଟି ସେଣ୍ଟର ଭାବେ ଷ୍ଟେସନ୍‌ଗୁଡ଼ିକର ବିକାଶ ହେବ।

Advertisment

ଏହି ଯୋଜନାରେ ଓଡ଼ିଶାର ୫୭ଟି ଷ୍ଟେସନ୍‌ ଅଛି। ବିକାଶ ହେବାକୁ ଥିବା ଷ୍ଟେସନ୍‌ଗୁଡ଼ିକ ହେଲା ଅନୁଗୁଳ, ବାଦାମପାହାଡ଼, ବଲାଙ୍ଗୀର, ବାଲେଶ୍ୱର, ବାଲୁଗାଁ, ବଡ଼ବିଲ, ବରଗଡ଼ ରୋଡ, ବାରିପଦା, ବରପାଲି, ବେଲପାହାଡ଼, ବେତନଟୀ, ଭଦ୍ରକ, ଭବାନୀପାଟଣା, ଭୁବନେଶ୍ୱର, ବିମଳାଗଡ଼, ବ୍ରହ୍ମପୁର, ବ୍ରଜରାଜନଗର, ଛତ୍ରପୁର, କଟକ, ଦାମନଯୋଡି, ଢେଙ୍କାନାଳ, ଗୁଣୁପୁର, ହରିଶଙ୍କର ରୋଡ, ହୀରାକୁଦ ଓ ଯାଜପୁର କେନ୍ଦୁଝର ରୋଡ ଷ୍ଟେସନ ରହିଛି। ସେହିପରି ଜଳେଶ୍ୱର, ଜାରୋଲି, ଜୟପୁର, ଝାରସୁଗୁଡା, ଝାରସୁଗୁଡା ରୋଡ, କଣ୍ଟାବାଞ୍ଜି,କେନ୍ଦୁଝରଗଡ଼, କେସିଙ୍ଗା, ଖରିଆର ରୋଡ, ଖୋର୍ଦ୍ଧା ରୋଡ, କୋରାପୁଟ, ଲିଙ୍ଗରାଜ ଟେମ୍ପଲ ରୋଡ, ମଞ୍ଚେଶ୍ୱର, ମେରାମୁଣ୍ଡଳୀ, ମୁନିଗୁଡା, ଭୁବନେଶ୍ୱର ନୂଆ, ପାନପୋଷ, ପାରାଦୀପ, ପାରଳାଖେମୁଣ୍ଡି, ପୁରୀ, ରଘୁନାଥପୁର, ରେଢ଼ାଖୋଲ, ରାଇରଙ୍ଗପୁର, ରାଜଗାଙ୍ଗପୁର, ରାୟଗଡା, ରାଉରକେଲା, ସାକ୍ଷୀଗୋପାଳ, ସମ୍ବଲପୁର, ସମ୍ବଲପୁର ସିଟି, ତାଳଚେର, ତାଳଚେର ରୋଡ ଓ ଟିଟିଲାଗଡ଼ ଷ୍ଟେସନ୍‌ ମଧ୍ୟ ସାମିଲ ହୋଇଛି।

ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୨୫ଟି ରେଳ ଷ୍ଟେସନ୍‌ ବିକାଶ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ଟେଣ୍ଡର୍‌ ପ୍ରକ୍ରିୟା ସରିଥିବା ବେଳେ ଆସନ୍ତା ୬ ତାରିଖରେ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଷ୍ଟେସନଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି ପର୍ଯ୍ୟାୟରେ ସାମିଲ ହେବାକୁ ଥିବା ଷ୍ଟେସନ୍‌ଗୁଡ଼ିକ ପାଇଁ ୫୩୧.୮କୋଟି ଟଙ୍କା ବ୍ୟୟବରାଦ ହୋଇଛି। ପୂର୍ବତଟ ରେଳପଥ ମଧ୍ୟରେ ୨୧ଟି ଷ୍ଟେସନ୍‌ ଥିବା ବେଳେ ଦକ୍ଷିଣ ପୂର୍ବ ରେଳପଥର ୪ଟି ଷ୍ଟେସନ୍‌କୁ ଏଥିରେ ସାମିଲ କରାଯାଇଛି। ପୂର୍ବତଟ ରେଳପଥ ଅଧୀନରେ ଥିବା ଆନ୍ଧ୍ରପ୍ରଦେଶର ପଲାସା ଷ୍ଟେସନ୍‌ ପାଇଁ ୨୩.୯ କୋଟି ବ୍ୟୟ ବରାଦ ହୋଇଥିବା ବେଳେ ବିଜୟନଗରମ୍‌ ପାଇଁ ୩୫.୮ କୋଟି, ଦୁଭାଡା ପାଇଁ ୨୬.୩ କୋଟି ଓ ଛତିଶଗଡ଼ର ମହାସମୁନ୍ଦ ଷ୍ଟେସନ ବିକାଶ ପାଇଁ ୧୫.୯ କୋଟି ଖର୍ଚ୍ଚ ‌କରାଯିବ ବୋଲି ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀକୁ ପୂର୍ବତଟ ରେଳପଥର ମୁଖ୍ୟ ଜନସମ୍ପର୍କ ଅଧିକାରୀ ବିଶ୍ୱଜିତ୍ ସାହୁ ସଂଯୋଜନା କରିଥିଲେ।