ଅସ୍ଥାୟୀ ମାନ୍ୟତାରେ ଚାଲିଛି ରାଜ୍ୟରେ ୫୭୧ ଯୁକ୍ତ୨ କଲେଜ

ବାଲେଶ୍ୱରରେ ସର୍ବାଧିକ ୫୨, ଖୋର୍ଧାରେ ୪୭ କଲେଜ
ଭିତ୍ତିଭୂମି ତଥ୍ୟ ମାଗିଲା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ‌
ଆଉ ଗୋଟିଏ ବର୍ଷ ସୁଯୋଗ ଦେବାକୁ କଲେଜଗୁଡ଼ିକର ପ୍ରସ୍ତାବ

ଭୁବନେଶ୍ୱର : ଅସ୍ଥାୟୀ ମାନ୍ୟତାରେ ଚାଲିଛି ରାଜ୍ୟରେ ୫୭୧ ଯୁକ୍ତ୨ କଲେଜ (ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)। କାହାର ଭିତ୍ତିଭୂମି ନାହିଁ ତ ଆଉ କାହାର ଆବଶ୍ୟକୀୟ ଅଧ୍ୟାପକ ଅଭାବ। ଏମିତି କିଛି କଲେଜ ଅଛି ଯେଉଁଗୁଡ଼ିକ ୭ ବର୍ଷ ହେଲା ସରକାରଙ୍କଠାରୁ ଅନୁମତି ପାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସ୍ଥାୟୀ କ୍ୟାମ୍ପସ କରିପାରି ନାହାନ୍ତି। ବାଲେଶ୍ବର ଓ ଖୋର୍ଧା ଜିଲ୍ଲାର କେତେକ ଯୁକ୍ତ୨ କଲେଜ ଏବେ ବି ଭଡ଼ା ଘରେ ଚାଲିଛି। ଛାତ୍ରଛାତ୍ରୀଙ୍କ ପାଇଁ ଖେଳ ପଡ଼ିଆ ନାହିଁ କି ପର୍ଯ୍ୟାପ୍ତ ଲାବରେଟୋରି ସୁବିଧା ଉପଲବ୍ଧ ହେଉନାହିଁ।

ତଥ୍ୟଗୁଡ଼ିକ ବିଶ୍ବାସ ଲାଗୁନଥିଲେ ମଧ୍ୟ ସତ୍ୟ। ଏଭଳି ଭାବେ ଚାଲିଛି ରାଜ୍ୟର ଯୁକ୍ତ୨ କଲେଜ। ଭିତ୍ତିଭୂମି ସଜାଡ଼ିବା, ସ୍ଥାୟୀ ମାନ୍ୟତା ହାସଲ କରିବା ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କଲେଜଗୁଡ଼ିକୁ ପ୍ରତିବର୍ଷ ନାମଲେଖା ପୂର୍ବରୁ ବାରମ୍ବାର ଚିଠି ଲେଖାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଧାର ଆସିନାହିଁ। ୨୦୨୦-୨୧ ଶିକ୍ଷାବର୍ଷର ନାମଲେଖା ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଥିବା ବେଳେ ଏବେ ପୁଣିଥରେ ଭିତ୍ତିଭୂମି ସମ୍ପର୍କରେ ତଥ୍ୟ ମାଗିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ।

୨୦ ଦିନ ହେଲା ପର୍ଯ୍ୟାୟକ୍ର‌ମେ କଲେଜଗୁଡ଼ିକଠାରୁ ଚିଠି ଲେଖାଯାଇ ଭିତ୍ତିଭୂମି ସମ୍ପର୍କିତ ତଥ୍ୟ ମଗାଯାଉଛି। ଯେମିତିକି କେତେବର୍ଷ ଲାଗି ଚୁକ୍ତି ହୋଇଥିଲା? କେଉଁ ଭଳି ଅଞ୍ଚଳରେ ଶିକ୍ଷାନୁଷ୍ଠାନ ରହିଛି? ପାର୍କିଂ ସୁବିଧା ରହିଛି କି ନାହିଁ? ଶାରୀରିକ ଶିକ୍ଷା ବ୍ୟବସ୍ଥା ଅଛି କି? ପାନୀୟ ଜଳ, ରାସ୍ତା ସୁବିଧା, ସାଇକେଲ୍‌ ଷ୍ଟାଣ୍ଡ, ଆସବାବପତ୍ର, ଶୌଚାଳୟ ସୁବିଧା ଆଦି ବିଷୟରେ ତଥ୍ୟ ମଗାଯାଇଛି। ଯଦି ଅସ୍ଥାୟୀ ମାନ୍ୟତା ପାଇଛନ୍ତି ତେବେ ସ୍ଥାୟୀ କ୍ୟାମ୍ପସର କେଉଁ ତହସିଲ୍‌ରେ ହେବ, କେତେ ଜମି ନିଆଯାଇଛି, କ’ଣ ସବୁ ପାଠ୍ୟକ୍ରମ ରହିଛି, ରୁମ୍‌ ସଂଖ୍ୟା, ଲାବରେଟୋରି, ଅଧ୍ୟାପକଙ୍କ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିବାକୁ କୁହାଯାଇଛି। ନୋଟିସ୍‌ ପାଇବାର ୫ ଦିନ ମଧ୍ୟ‌ରେ ତଥ୍ୟ ଦେବାକୁ କୁହାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅଧିକାଂଶ କଲେଜ ସମ୍ପୂର୍ଣ୍ଣ ତଥ୍ୟ ପଠାଇ ନ ଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

‘ସମ୍ବାଦ’ର ହସ୍ତଗତ ହୋଇଥିବା ଦସ୍ତାବିଜ୍‌ ଅନୁଯାୟୀ ୫୭୧ଟି ଯୁକ୍ତ୨ କଲେଜ ମଧ୍ୟରୁ ବାଲେଶ୍ବର ଜିଲ୍ଲାରେ ସର୍ବାଧିକ ୫୨ଟି କଲେଜ ଅସ୍ଥାୟୀ ମାନ୍ୟତାରେ ଚାଲିଛି। ଏହା ତଳକୁ ଖୋର୍ଧା ଜିଲ୍ଲାରେ ୪୭ଟି କଲେଜ ରହିଥିବା ବେଳେ ଗଞ୍ଜାମରେ ୩୬, ଅନୁଗୁଳ ୧୬, ବରଗଡ଼ ୨୨, ବଲାଙ୍ଗୀର ୨୫, ବୌଦ୍ଧ ୧୩, କଟକ ୨୭, ଢେଙ୍କାନାଳ ୧୯, ଗଜପତି ୭, ଜଗତ୍‌ସିଂହପୁର ୬, ଯାଜପୁର ୨୩, ଝାରସୁଗୁଡ଼ା ୭, କଳାହାଣ୍ଡି ୨୦, କନ୍ଧମାଳ ୬, କେନ୍ଦ୍ରାପଡ଼ା ୧୬, କୋରାପୁଟ ୭, ମାଲକାନଗିରି ୭, ନବରଙ୍ଗପୁର ୧୪, ନୟାଗଡ଼ ୨୧, ନୂଆପଡ଼ା ୧୫, ପୁରୀ ୨୪, ରାୟଗଡ଼ା ୧୫, ସମ୍ବଲପୁର ୨୨, ‌ସୋନପୁର ୧୬ ଓ ସୁନ୍ଦରଗଡ଼ରେ ୧୮ଟି ଯୁକ୍ତ୨ କଲେଜକୁ ଗତ ୨୯ ତାରିଖରେ ତଥ୍ୟ ମଗାଯାଇଛି। ଏହାବ୍ୟତୀତ ଜୁଲାଇ ୧୭ରେ ଭଦ୍ରକର ୧୦, କେନ୍ଦୁଝରର ୨୨, ମୟୂରଭଞ୍ଜର ୩୨ଟି କଲେଜକୁ ତଥ୍ୟ ମଗାଯାଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଅସ୍ଥାୟୀ ମାନ୍ୟତାରେ ଚାଲିଥିବା ଯୁକ୍ତ୨ କଲେଜଗୁଡ଼ିକୁ ତଥ୍ୟ ମଗାଯିବା ଘଟଣାକୁ ନେଇ କେତେକ କଲେଜ ଆଶଙ୍କା ପ୍ରକାଶ କରିଛନ୍ତି। ସେମାନଙ୍କ କହିବା କଥା ହେଉଛି ଯେ ଗତବର୍ଷ ଭଳି ଏଥର ବି ତଥ୍ୟ ମଗାଯିବା ପରେ କେତେକ କଲେଜକୁ ନାମଲେଖା ପ୍ରକ୍ରିୟାରୁ ବାଦ୍‌ ଦିଆଯାଇପାରେ। କାରଣ ଗତବର୍ଷ ବି ଏଭଳି ସ୍ଥିତି ଉପୁଜିଥିଲା। ତଥ୍ୟ ମାଗିବା ପରେ ୭ ବର୍ଷରେ ଭିତ୍ତିଭୂମି ସଜାଡ଼ି ନ ଥିବା କିଛି କଲେଜକୁ ନାମଲେଖ‌ା ପ୍ରକ୍ରିୟାରୁ ବାଦ୍‌ ଦିଆଯାଇଥିଲା। ଏଥର ବି ସମାନ ସ୍ଥିତି ଉପୁଜିବା ଆଶଙ୍କା କରି କେତେକ କଲେଜ ରାଜ୍ୟ ସରକାରଙ୍କ ଦ୍ବରସ୍ଥ ହୋଇଛନ୍ତି। କୋଭିଡ୍‌-୧୯ ତଥା କରୋନା ସଂକ୍ରମଣ ରୋକିବା ଲାଗି ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ କରାଯାଇଥିବାରୁ କଲେଜ ଭିତ୍ତିଭୂମି ବିକାଶ କାର୍ଯ୍ୟ ପ୍ରଭାବିତ ହୋଇଛି। ତେଣୁ ଆଉ ଗୋଟିଏ ବର୍ଷ ସୁଯୋଗ ଦେବାକୁ କେତେକ କଲେଜ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର