୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟର ପର୍ଯ୍ୟଟନ ବିକାଶ ପାଇଁ ୫୭୪ କୋଟି ଟଙ୍କା ବ୍ୟୟ ବରାଦ କରାଯିବ: ମନ୍ତ୍ରୀ

ଭୁବନେଶ୍ବର: ବିଧାନସଭାର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ସ୍ବାଭାବିକ ଭାବେ ଚାଲିଛି ବିଧାନସଭାର ପ୍ରଶ୍ନକାଳ। ନୂଆ ମନ୍ତ୍ରୀମାନେ ବିଧାୟକମାନଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ।
ରାଜ୍ୟରେ ପର୍ଯ୍ୟଟନର ବିକାଶ ନେଇ ପ୍ରଶ୍ନକାଳରେ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ଉଦବେଗ ପ୍ରକାଶ କରିବର ସହ ଭିନ୍ନ ଭିନ୍ନ ପ୍ରସଙ୍ଗ ଉଠାଇଛନ୍ତି।
ବିଧାନସଭାରେ ବିଜେଡି ବରିଷ୍ଠ ବିଧାୟକ ଦେବୀ ମିଶ୍ର କହିଛନ୍ତି, ପର୍ଯ୍ୟଟନ ଭିତ୍ତିଭୂମି କ୍ଷେତ୍ରରେ ରୋଡମ୍ୟାପକୁ ଆମେ ଠିକଣା ଢଙ୍ଗରେ ଓ ଠିକଣା ସମୟରେ କରି ପାରୁନାହେଁ। ଯେଉଁଥିପାଇଁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟାରେ ଯେମିତି ଅଭିବୃଦ୍ଧି ହେବା କଥା ହୋଇ ପାରୁନାହିଁ। ବ୍ୟୟ ବରାଦ ହୋଇଥିବା ଅର୍ଥ ରାଶି ଖର୍ଚ୍ଚ ହେଉ ନାହିଁ। ଗୋଆ ଭଳି ରାଜ୍ୟ ବର୍ଷାଦିନିଆ ପର୍ଯ୍ୟଟନ କ୍ଷେତ୍ରକୁ ସେଲ୍ କରୁଛନ୍ତି ମାତ୍ର ଓଡ଼ିଶାରେ ତାକୁ ଗୁରୁତ୍ୱ ଦିଆଯାଉ ନାହିଁ। ମୁଁ କାହାକୁ ଏଥିଲାଗି ଦୋଷ ଦେବାକୁ ଚାହୁଁନି। ମାତ୍ର ବିଭାଗ ଯେଉଁ କାର୍ଯ୍ୟ କରୁଛି, ତାହା ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି।

ଏହି ପ୍ରସଙ୍ଗରେ ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ କହିଛନ୍ତି, ପର୍ଯ୍ୟଟନ କ୍ଷେତ୍ରକୁ ଅବହେଳା କରାଯାଉଛି। ପର୍ଯ୍ୟଟନ ବିକାଶ ଲାଗି ଲିଟେରଚର ପ୍ରକାଶ ପାଇବା ଦରକାର।ପର୍ଯ୍ୟଟନ ବିକାଶ ଲାଗି ରାଜ୍ୟ ସରକାର ସ୍ୱତନ୍ତ୍ର ଟାକ୍ସ ଫୋର୍ସ ଗଠନ କରନ୍ତୁ।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବିଧାୟକ ସନ୍ତୋଷ ସିଂ ସାଲୁଜା ଏବଂ ସୁରେଶ କୁମାର ରାଉତରାୟ ନିଜ ନିଜ ଅଞ୍ଚଳର ପର୍ଯ୍ୟଟନ ସମସ୍ୟା ପ୍ରସଙ୍ଗ ଉଠାଇଛନ୍ତି।
ଏଣେ ଗୃହରେ ନୂତନ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର କହିଛନ୍ତି, ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ସରକାର ଆବଶ୍ୟକୀୟ ପଦକ୍ଷେପ ନେଉଛନ୍ତି। ୨୦୧୯ ପରେ କୋଭିଡ ଯୋଗୁ ରାଜ୍ୟକୁ ପର୍ଯ୍ୟଟକମାନଙ୍କ ସଂଖ୍ୟା କମିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟର ପର୍ଯ୍ୟଟନ ବିକାଶ ପାଇଁ ୫୭୪ କୋଟି ଟଙ୍କା ବ୍ୟୟ ବରାଦ କରାଯିବ।

ସମ୍ବନ୍ଧିତ ଖବର