ଗୋପାଳପୁର/ବ୍ରହ୍ମପୁର : ‘ମୁଁ ଯେବେ କେବଳ ପାଠ ପଢ଼ାଉଥିଲି, ଗବେଷଣାରେ ମଗ୍ନ ଥିଲି ସେତେବେଳେ ନିଜକୁ ସବୁଠୁ ବଡ଼, ସାରାବିଶ୍ବର କେନ୍ଦ୍ର ବୋଲି ଭାବୁଥିଲି। ଯେବେ କବିତା ଲେଖିବା ଆରମ୍ଭ କଲି, ସେତେବେଳେ ନିଜକୁ ଚିହ୍ନିଲି। ମୋ ଆଖପାଖରେ ଥିବା ଲୋକମାନଙ୍କ ପାଇଁ ମୁଁ, ଚତୁଃପାର୍ଶ୍ବର ଦୁନିଆ ଯୋଗୁ ମୋର ଅସ୍ତିତ୍ବ ବୋଲି ଜାଣିପାରିଲି। ସାହିତ୍ୟ ମୋତେ ଅନ୍ୟମାନଙ୍କୁ ଭଲପାଇବା ଶିଖାଇଲା।’ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୫୭ତମ ପ୍ରତିଷ୍ଠା ଦିବସ ଅବସରରେ ସାରସ୍ବତ ସାଧକ ପଦ୍ମଶ୍ରୀ ପ୍ରଫେସର ଜୟନ୍ତ ମହାପାତ୍ର ଯୋଗଦେଇ ଏହିଭଳି ବକ୍ତବ୍ୟ ରଖିଛନ୍ତି। ଏହି ଅବସରରେ ବିଶ୍ବବିଦ୍ୟାଳୟ ପକ୍ଷରୁ ପଦ୍ମଶ୍ରୀ ଶ୍ରୀ ମହାପାତ୍ରଙ୍କୁ ‘କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’ ପ୍ରଦାନ କରାଯାଇଛି।
‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’ ପ୍ରଦାନ
ଗୋଟିଏ ବିଶ୍ବବିଦ୍ୟାଳୟ ଗଢ଼ିବାକୁ ଶହେବର୍ଷ ଲାଗେ: ସୁବ୍ରତ ବାଗ୍ଚୀ
ବିଶ୍ବବିଦ୍ୟାଳୟ ସମ୍ମିଳନୀ କକ୍ଷରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଅଧ୍ୟକ୍ଷତାରେ ଏହି ପ୍ରତିଷ୍ଠା ଦିବସ ଆୟୋଜିତ ହୋଇଥିଲା। ମୁଖ୍ୟଅତିଥି ଭାବେ ଯୋଗଦେଇ ଦକ୍ଷିଣଓଡ଼ିଶା ଉନ୍ନୟନ କମିଟି ଅଧ୍ୟକ୍ଷ ସୁବ୍ରତ ବାଗ୍ଚୀ କହିଥିଲେ, ଗୋଟିଏ ମଣିଷ ଗଢ଼ିବାକୁ ସାରାଜୀବନ ଲାଗେ, କିନ୍ତୁ ଗୋଟିଏ ବିଶ୍ବବିଦ୍ୟାଳୟ ଗଢ଼ିବାକୁ ଅତିକମ୍ରେ ଶହେବର୍ଷ ଲାଗେ। ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଶହେବର୍ଷରେ ପହଁଚିଲା ବେଳକୁ ଏହା ବିଶ୍ବରେ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନରେ ପରିଣତ ହୋଇ ଶ୍ରେଷ୍ଠ ଶହେ ମଧ୍ୟରେ ସ୍ଥାନ ପାଇବ ବୋଲି ଆଶାବ୍ୟକ୍ତ କରିଥିଲେ।
ଅତିଥି ଭାବେ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ତାଙ୍କୁ ‘ଦକ୍ଷିଣ ଓଡ଼ିଶା ଲୋକ ସଂସ୍କୃତି ସମ୍ମାନ’ ପ୍ରଦାନ କରାଯାଇଥିଲା। ସେହିଭଳି, ଅନ୍ୟତମ ଅତିଥି ତଥା ପୁରାତନ ଛାତ୍ରୀ ଭାବେ ଭୁବନେଶ୍ବର କିଟ୍ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତା ସାମନ୍ତଙ୍କୁ ‘ବିଶେଷ ପୁରାତନ ଛାତ୍ରୀ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ମେଜର୍ ରମାରମଣ ପାଢ଼ୀ ଏବଂ ପାରଳାଖେମୁଣ୍ଡିର ଗବେଷକ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ଅଙ୍ଗବସ୍ତ୍ର ସମ୍ମାନ ପ୍ରଦାନ କରାଯାଇଥିଲା।
ବିଶ୍ବବିଦ୍ୟାଳୟ ପିଜି କାଉନ୍ସିଲ ଅଧ୍ୟକ୍ଷ ପ୍ର. ପି.କେ. ମହାନ୍ତି ଅତିଥି ପରିଚୟ ପ୍ରଦାନ ଏବଂ କୁଳସଚିବ ପ୍ର. ପ୍ରସନ୍ନ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ।