ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ଗ୍ରାମାଞ୍ଚଳରେ ଆଣ୍ଠେଇଛି ସ୍ବାସ୍ଥ୍ୟସେବା। ଆବଶ୍ୟକ ଡାକ୍ତର, କର୍ମଚାରୀ ଓ ଭିତ୍ତିଭୂମି ଅଭାବରୁ ଜିଲ୍ଲାର ଗୋଟିଏ କି ଦୁଇଟି ନୁହେଁ ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (ସିଏଚ୍‌ସି)ରେ ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି। ୨୦ଟି ସିଏଚ୍‌ସିର ବିଭିନ୍ନ ବିଭାଗରେ ମୋଟ ୨୧୮ ଡାକ୍ତରଙ୍କ ଆବଶ୍ୟକତା ରହିଛି। ହେଲେ ଅଛନ୍ତି ମାତ୍ର ୯୨ ଜଣ। ମୋଟ ୧୨୬ ଅର୍ଥାତ୍‌ ୫୮% ଡାକ୍ତର ପଦ ଖାଲି ପଡ଼ିଛି। ଉପାନ୍ତ ବ୍ଲକ କୋଇଡା, ନୂଆଗାଁ ବ୍ଲକର ହାତୀବାରି, ବିଶ୍ରା, ଗୁରୁଣ୍ଡିଆ, ଏସ୍‌. ବଲାଙ୍ଗ, ରାଜଗାଙ୍ଗପୁର ବ୍ଲକର ଲାଇଙ୍ଗ, ହେମଗିରି, ଟାଙ୍ଗରପାଲି ବ୍ଲକ୍‌ର ମଙ୍ଗସପୁର, ବାଲିଶଙ୍କରା ବ୍ଲକ୍‌ର କିଞ୍ଜରକେଲା ଆଦି ସିଏଚ୍‌ସିରେ ସ୍ବାସ୍ଥ୍ୟସେବା ଆହୁରି ସଙ୍ଗୀନ। ଡାକ୍ତର ଅଭାବରୁ କେଉଁଠି ଫାର୍ମାସିଷ୍ଟ ତ ଅନ୍ୟ କେଉଁଠି ନର୍ସମାନେ ରୋଗୀଙ୍କ ଚିକିତ୍ସା କରୁଛନ୍ତି। ସୁନ୍ଦରଗଡ଼ ସଦର ବ୍ଲକ ଅନ୍ତର୍ଗତ ମଝାପଡା ସିଏଚ୍‌ସିରେ ୧୧ ଡାକ୍ତରଙ୍କ ମଧ୍ୟରୁ ଅଛନ୍ତି ମାତ୍ର ୪ ଜଣ। ଖାଲି ପଡ଼ିଛି ୭ ପଦ। ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ମଙ୍ଗସପୁର ସିଏଚ୍‌ସିରେ ୧୧ ଡାକ୍ତରରୁ ୫, ସର୍ଗିପାଲିରେ ୧୧ ରୁ ୫, ହେମଗିରି ସିଏଚ୍‌ସିରେ ୧୧ରୁ ୪ ଡାକ୍ତର ଅଛନ୍ତି। ଖାଲି ପଡ଼ିଥିବା ୭ ଡାକ୍ତର ପଦ ଆଜି ଯାଏଁ ପୂରଣ ହେଉନି। ବଡଗାଁ ସିଏଚ୍‌ସିରେ ୧୧ରୁ ୫ ଜଣ ଥିବାବେଳେ ଏକ୍‌ମା ସିଏଚ୍‌ସି ୧୦ରୁ ମାତ୍ର ୨ ଜଣ ଡାକ୍ତରରେ ବର୍ଷବର୍ଷ ଧରି ଚାଲିଛି। ସବ୍‌ଡେଗା ସିଏଚ୍‌ସିରେ ୧୧ରୁ ୭, କୁତ୍ରାରେ ୧୧ରୁ ମାତ୍ର ୩ ଜଣ ଡାକ୍ତର କାର୍ଯ୍ୟ କରୁଛନ୍ତି। ମାସମାସ ଖାଲି ପଡ଼ିଥିବା ୮ ଡାକ୍ତର ପଦ ପୂରଣ ହେଉନି। କିଞ୍ଜିରକେଲା ସିଏଚ୍‌ସିରେ ୧୧ରୁ ୫, ଲାଇଙ୍ଗରେ ୧୧ରୁ ୪ ଡାକ୍ତର ଅଛନ୍ତି। ୭ ପଦବି ଖାଲି ପଡ଼ିଛି। ରାଜଗାଙ୍ଗପୁର ବ୍ଲକ୍‌ ସିଏଚ୍‌ସିରେ ୧୧ରୁ ୫, ଏସ୍‌. ବଲାଙ୍ଗ ସିଏଚ୍‌ସିରେ ୧୧ରୁ ୫, ଲହୁଣିପଡାରେ ୧୧ରୁ ୬, ଗୁରୁଣ୍ଡିଆରେ ୧୧ରୁ ୨ ଜଣ ଡାକ୍ତର ଅଛନ୍ତି। ବହୁଦିନରୁ ଖାଲି ପଡ଼ିଥିବା ୯ ଡାକ୍ତର ପଦ ପୂରଣ ହେଉନି। ସେମିତି ଖଣି ଅଞ୍ଚଳ କୋଇଡ଼ାରେ ବି ସେହି ସମାନ ଅବସ୍ଥା। ବ୍ଲକ ଅନ୍ତର୍ଗତ ସିଏଚ୍‌ସିରେ ୧୧ରୁ ମାତ୍ର ୫ ଜଣ ଡାକ୍ତର ଅଛନ୍ତି। ବିଶ୍ରା ସିଏଚ୍‌ସିରେ ୧୧ରୁ ମାତ୍ର ୩ ଜଣ ଡାକ୍ତର ଅଛନ୍ତି। ୮ ଡାକ୍ତର ପଦ ଖାଲି ପଡ଼ିଛି। ନୂଆଗାଁ ବ୍ଲକ ହାତୀବାରି ସିଏଚ୍‌ସିରେ ୧୧ରୁ ୪, ଲାଠିକଟା ବ୍ଲକ ଅନ୍ତର୍ଗତ ବିରକେରା ସିଏଚ୍‌ସିରେ ୧୧ରୁ ୭ ଡାକ୍ତର ଅଛନ୍ତି। କୁଆରମୁଣ୍ଡାରେ ୧୧ରୁ ୭, ବୀରମିତ୍ରପୁର ସିଏଚ୍‌ସିରେ ୧୦ ଡାକ୍ତରରୁ ୫ ଜଣ ଅଛନ୍ତି। ୫ ଡାକ୍ତର ପଦ ଖାଲି ପଡ଼ିଛି। ଖାଲି ପଡ଼ିଥିବା ଏସବୁ ଡାକ୍ତର ପଦବି କେବେ ପୂରଣ ହେବ କାହାରି ପାଖରେ ସନ୍ତୋଷଜନକ ଉତ୍ତର ନାହିଁ। କେବଳ ଡାକ୍ତର ନୁହେଁ ଉଭୟ ସିଏଚ୍‌ସି ଓ ପିଏଚ୍‌ସିରେ ୬୯୯ ନର୍ସିଂ ଅଧିକାରୀ ରହିବା ଦରକାର। ହେଲେ ଅଛନ୍ତି ମାତ୍ର ୨୩୪ ନର୍ସିଂ ଅଧିକାରୀ। ବର୍ତ୍ତମାନ ସୁଦ୍ଧା ୪୬୫ ନର୍ସିଂ ଅଧିକାରୀ ପଦ ଖାଲି ପଡ଼ିଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅନୁମତି ପରେ ଖାଲି ପଡ଼ିଥିବା ପଦ ପୂରଣ ହେବ ବୋଲି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଉଛି। ଏଥିରୁ ସୁନ୍ଦରଗଡ଼ର ସ୍ବାସ୍ଥ୍ୟସେବାକୁ ରାଜ୍ୟ ସରକାର କେତେ ଗୁରୁତ୍ବ ଦେଉଛନ୍ତି, ଖାଲିପଡ଼ିଥିବା ପଦରୁ ସ୍ପଷ୍ଟ ବାରି ହୋଇପଡୁଛି। ଆବଶ୍ୟକ ସଂଖ୍ୟକ ଡାକ୍ତର ଅଭାବରୁ ଦୈନିକ ଶତାଧିକ ରୋଗୀ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଆର୍‌ଜିଏଚ୍‌କୁ ଆସିବାକୁ ବାଧ୍ୟ ହେଉଛନ୍ତି। ଆବଶ୍ୟକ ଶଯ୍ୟା ଅଭାବରୁ ୨୦% ରୋଗୀ ବାରଣ୍ଡାରେ ଚିକିତ୍ସିତ ହେଉଛନ୍ତି।