୯୦% ମାର୍କ ଉପରେ ୫୮୭

ଭୁବନେଶ୍ବର: ଗୋଟିଏ ସମୟରେ ପ୍ରକାଶ ପାଇଥିବା ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗରେ ପାସ୍‌ହାର ବଢ଼ିଛି। ଗତବର୍ଷ ତୁଳନାରେ ଅଧିକ ସଂଖ୍ୟକ ପିଲା ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ୯୦%ରୁ ଅଧିକ ନମ୍ବର ରଖିଥିବା ପିଲାଙ୍କ ସଂଖ୍ୟା ମଧ୍ୟ ଉତ୍ସାହଜନକ ରହିଛି। ପ୍ରକାଶ ପାଇଥିବା ୪ଟି ଯାକ ବିଭାଗରେ ୫୮୭ଜଣ ଛାତ୍ରଛାତ୍ରୀ ୯୦% କିମ୍ବା ତା’ଠାରୁ ଅଧିକ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି। ବିଜ୍ଞାନ ବିଭାଗରେ ସର୍ବାଧିକ ୩୯୪ଜଣ ୯୦% ମାର୍କ ରଖିଥିବା ବେଳେ ବାଣିଜ୍ୟରେ ୧୩୫, କଳାରେ ୫୭ ଓ ଧନ୍ଦାମୂଳକ ବିଭାଗରେ ଜଣେ ପରୀକ୍ଷାର୍ଥୀ ୯୦%ରୁ ଅଧିକ ନମ୍ବର ରଖିବାରେ ସମର୍ଥ ହୋଇଛନ୍ତି। ପୂର୍ବବର୍ଷଗୁଡ଼ିକ ତୁଳନାରେ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ଭଲ ରହିଥିବା ଦେଖିବାକୁ ମିଳିଛି।

ବାଣିଜ୍ୟ ବିଭାଗରେ ୭୦୦୯ଜଣ ପ୍ରଥମ, ୪୬୦୯ଜଣ ଦ୍ବିତୀୟ ଓ ୯୫୫୮ଜଣ ତୃତୀୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି। କଳାହାଣ୍ଡି ଜିଲ୍ଲାର ପାସ୍‌ହାର ସର୍ବାଧିକ ୯୩.୨୩% ଓ ବୌଦ୍ଧ ଜିଲ୍ଲାରେ ପାସ୍‌ହାର ୩୫% ରହିଛି। କଳା ବିଭାଗରେ ୩୦ ହଜାର ୫୨୫ଜଣ ପ୍ରଥମ ଶ୍ରେଣୀ, ୩୦ହଜାର ୨୮୭ ଦ୍ବିତୀୟ ଓ ୧ ଲକ୍ଷ ୨୯ହଜାର ୪୧୨ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ବରଗଡ଼ ଜିଲ୍ଲାର ପାସ୍‌ହାର ୮୮.୬୧% ଥିବା ବେଳେ ନବରଙ୍ଗପୁରର ପାସ୍‌ହାର ୭୦.୯୮% ହୋଇଛି। ବିଜ୍ଞାନ ବିଭାଗରେ ୫୨ହଜାର ୯୨ଜଣ ପ୍ରଥମ, ୩୦ହଜାର ୧୮୬ଜଣ ଦ୍ବିତୀୟ ଓ ୧୭ହଜାର ୬୮୧ଜଣ ତୃତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି। ନୟାଗଡ଼ ଜିଲ୍ଲାର ପାସ୍‌ହାର ସର୍ବାଧିକ ୯୬.୭୭% ଓ ବୌଦ୍ଧରେ ସର୍ବନିମ୍ନ ପାସ୍‌ହାର ୫୯.୮୯% ହୋଇଛି।

ଡିଜିଲକର୍‌ରେ ମାର୍କସିଟ୍‌ ଓ ସାର୍ଟିଫିକେଟ୍‌
ପରୀକ୍ଷା ଫଳ ପ୍ରକାଶ ପାଇବା କ୍ଷଣି ଛାତ୍ରଛାତ୍ରୀଙ୍କୁ ମାର୍କସିଟ୍‌ ଓ ସାର୍ଟିଫିକେଟ୍‌ ପ୍ରଦାନ କରାଯାଇଛି। ଡିଜିଲକର୍‌ ମାଧ୍ୟମରେ ପିଲାମାନେ ମାର୍କସିଟ୍‌ ଓ ସାର୍ଟିଫିକେଟ୍‌ ପରି ଡିଜିଟାଲ ଏକାଡେମିକ ଡକ୍ୟୁମେଣ୍ଟ ଉପଲବ୍ଧ ହୋଇଛି। ଛାତ୍ରଛାତ୍ରୀ ନିଜ ନିଜ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରୁ ପରିଷଦ ଦ୍ବାରା ପ୍ରଦାନ କରାଯାଇଥିବା ସାର୍ଟିଫିକେଟ୍‌ ଓ ମାର୍କସିଟ୍‌ର ହାର୍ଡକପି ମଧ୍ୟ ପାଇପାରିବେ।
ଜୁନ୍‌ ଶେଷ ସପ୍ତାହରେ ଇନ୍‌ଷ୍ଟାଣ୍ଟ ପରୀକ୍ଷା
ଯୁକ୍ତ୨ରେ ପାଇଥିବା ମାର୍କକୁ ନେଇ ଯଦି କୌଣସି ଛାତ୍ରଛାତ୍ରୀଙ୍କର କିଛି ବି ଅଭିଯୋଗ ରହିଥିବ ସେମାନେ ପୁନଃଯାଞ୍ଚ ଓ ପୁନଃଯୋଗ ପାଇଁ ଆବେଦନ କରିପାରିବେ। ଏନେଇ ଜୁନ୍‌ ୧ ମଧ୍ୟରେ ବିଜ୍ଞପ୍ତି ପ୍ରକାଶ ପାଇବ। ସେହିପରି ଯେଉଁ ପରୀକ୍ଷାର୍ଥୀ ଗୋଟିଏ ବିଷୟରେ ଫେଲ୍‌ ହୋଇଥିବେ ସେମାନଙ୍କ ପାଇଁ ଅନୁଷ୍ଠିତ ହେବାକୁ ଥିବା ଇନ୍‌ଷ୍ଟାଣ୍ଟ ପରୀକ୍ଷା ଜୁନ୍‌ ଶେଷ ସପ୍ତାହରେ ଅନୁଷ୍ଠିତ ହେବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

 

ସମ୍ବନ୍ଧିତ ଖବର