ଓଡ଼ିଶା ବନ ଉନ୍ନୟନ ନିଗମର ୫୮ତମ ପ୍ରତିଷ୍ଠା ଦିବସ : ରାଜ୍ୟରେ ଖୁବଶୀଘ୍ର ଖୋଲିବ ୪ ପ୍ରକୃତି ନିବାସ

ଭୁବନେଶ୍ବର : ରାଜ୍ୟରେ ୩୬ଟି ସରକାରୀ ଉଦ୍ୟୋଗ ରହିଥିବା ବେଳେ ତହିଁରୁ ୨୩ଟି ଲାଭରେ ଚାଲୁଛି। ଅନ୍ୟ ୧୨ଟି କ୍ଷତି ଓ ଗୋଟିଏ ବିନା କୌଣସି ଲାଭ/କ୍ଷତିରେ ଚାଲୁଛି। ଓଡ଼ିଶା ବନ ଉନ୍ନୟନ ନିଗମ ଲାଭରେ ରହିଛି। ୨୦୧୮/୧୯ ଆର୍ଥିକ ବର୍ଷରେ ନିଗମ ୨୫କୋଟିରୁ ଅଧିକ ଟଙ୍କାର ଲାଭ କରିଛି। ରାଜ୍ୟରେ ପର୍ଯ୍ୟଟନ ବିକାଶ ଦିଗରେ ବନ ଉନ୍ନୟନ ନିଗମର ଗୁରୁ ଦାୟିତ୍ବ ରହିଛି। ରାଜ୍ୟରେ ଏବେ ୪ଟି ପ୍ରକୃତି ନିବାସ ଖୋଲିଥିବା ବେଳେ ଏହାର ପରିଚାଳନା ଦାୟିତ୍ବ ନିଗମ ଅଧୀନରେ ରହିଛି। ଏବେ ବାଲେଶ୍ବର, ବରଗଡ଼, କୋରାପୁଟ ଓ ମାଲାକାନାଗିରିରେ ପ୍ରକୃତି ନିବାସ ନିର୍ମାଣ‌ କାର୍ଯ୍ୟ ଚାଲିଛି। ଖୁବଶୀଘ୍ର ଏଗୁଡ଼ିକୁ ନିଗମକୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ।

ଆଜି ଭଞ୍ଜକଳା ମଣ୍ଡପରେ ଓଡ଼ିଶା ବନ ଉନ୍ନୟନ ନିଗମର ୫୮ତମ ପ୍ରତିଷ୍ଠା ଦିବସ ନିଗମର ଅଧ୍ୟକ୍ଷ ଗଗନ କୁମାର ଧଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶ୍ରୀ ଆରୁଖ କହିଲେ, ଗତ ‘ଫନି’ ବାତ୍ୟାରେ ଲକ୍ଷାଧିକ ଗଛ ଉପୁଡ଼ି ପଡ଼ିଥିବା ବେଳେ ନିଗମ ଗଛ ଲଗାଇବା ଠାରୁ ଆରମ୍ଭ କରି ଅଧା ଉପୁଡ଼ା ଗଛକୁ ପୁଣିଥରେ ଠିଆ କରିବାରେ ସକ୍ଷମ ହୋଇଛି। ତେବେ ରାଜ୍ୟରେ ଯେତେ ସଂଖ୍ୟକ କାଠଗୋଲା ରହିଛି ତାହା ପର୍ଯ୍ୟାପ୍ତ ନୁହେଁ। ତେଣୁ ନିଗମ ପକ୍ଷରୁ ରାଜ୍ୟର କୋଣ ଅନୁକୋଣରେ କାଠଗୋଲା ଖୋଲିବା ନେଇ ନିଷ୍ପତ୍ତି ନେବା ଜରୁରୀ ବୋଲି ଶ୍ରୀ ଆରୁଖ ମତବ୍ୟକ୍ତ କରିଥିଲେ।

ରାଜ୍ୟ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସନ୍ଦୀପ ତ୍ରିପାଠୀ କହିଲେ, ପୂର୍ବରୁ ନିଗମ କେବଳ ଉତ୍ପାଦନ ଉପରେ ଗୁରୁତ୍ବ ଦେଉଥିବା ବେଳେ ପରବର୍ତୀ ସମୟରେ ଏହାର ସଂରକ୍ଷଣ ଉପରେ ଗୁରୁତ୍ବ ଦେଇଛି। କିଛି ସ୍ଥାନରେ ଛୋଟ ଜଙ୍ଗଲ ସୃଷ୍ଟି କରାଯାଇ ପାରିଛି। ତେବେ ରାଜ୍ୟରେ ପରିବେଶ ପର୍ଯ୍ୟଟନର ପରିଚାଳନା ଦାୟିତ୍ବ ନିଗମ ନେଇଛି। ଏସବୁ ପର୍ଯ୍ୟଟନ କ୍ଷେତ୍ରରେ ବୁକିଂ ନିଗମ ଜରିଆରେ କରାଯାଉଛି। ଗତବର୍ଷ ଏହି ପର୍ଯ୍ୟଟନରୁ ୭ କୋଟି ଟଙ୍କା ଆୟ ହୋଇଛି ବୋଲି ଶ୍ରୀ ତ୍ରିପାଠୀ କହିଥିଲେ। ଅଧ୍ୟକ୍ଷ ଗଗନ ଧଳ କହିଲେ, ନିଗମ ବହୁ ପୂର୍ବରୁ କାର୍ଯ୍ୟାଳୟରେ ପ୍ଲାଷ୍ଟିକ୍ ବର୍ଜନ କରିବାରେ ସଫଳ ହୋଇଛି। ନିଗମ ପକ୍ଷରୁ ସପ୍ତମ ବେତନ କମିସନ ଲାଗୁ କରାଯାଇଛି। ଯାହାକି କର୍ମଚାରୀଙ୍କ ପାଇଁ ଫଳପ୍ରଦ ହୋଇପାରିବ ବୋଲି ଶ୍ରୀ ଧଳ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିଗମର ଉପଦେଷ୍ଟା ଦେବାଶିଷ ମଲ୍ଲିକ ଉପସ୍ଥିତ ଥିଲେ।

ଏହି ଅବସରରେ ନିଗମର ଆକ୍ଟିଭିଟି ରିପୋର୍ଟ ଉନ୍ମୋଚିତ ହେବା ସହିତ ବିଭିନ୍ନ କର୍ମଚାରୀଙ୍କୁ ସମ୍ବର୍ଧିତ କରାଯାଇଥିଲା। ପ୍ରାରମ୍ଭରେ ନିଗମର ପରିଚାଳନା ନିର୍ଦେଶକ ରାଜୀବ କୁମାର ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ। ଶେଷପରେ ନିଗମ କର୍ମଚାରୀଙ୍କୁ ନେଇ ଦେବାନନ୍ଦ ନାୟକଙ୍କ ନିର୍ଦେଶିତ ନାଟକ ‘ମାୟା ମରୀଚିକା’ ପରିବେଷିତ ହୋଇଥିଲା।

ସମ୍ବନ୍ଧିତ ଖବର