ସହରର ୫୯ ପ୍ରତିଶତ ଲୋକ ନୁହଁନ୍ତି ସ୍ବାସ୍ଥ୍ୟ ସଚେତନ

ଭୁବନେଶ୍ବର : ରାଜଧାନୀର ଜନସଂଖ୍ୟା ୧୪ ଲକ୍ଷ ଟପିଲାଣି। ପ୍ରତିବର୍ଷ ସହରର କଳେବର ବଢ଼ିବା ସହ ନୂଆ ନୂଆ ଅଞ୍ଚଳ ସାମିଲ ହେଉଛି। ଲୋକଙ୍କ ଚାଲିଚଳନ, ଆଚାର ବ୍ୟବହାରରେ ପରିବର୍ତନ ହେଉଛି। ସହରୀ ଢାଞ୍ଚାରେ ପଡ଼ୁଛନ୍ତି ଉପକଣ୍ଠର ଲୋକେ। କିନ୍ତୁ ସେମାନେ ଶାରୀରିକ ଭାବେ ଚଞ୍ଚଳ ହୋଇପାରୁ ନାହାନ୍ତି। ସହରର ୫୯ ପ୍ରତିଶତ ଲୋକ ଶାରୀରିକ ବ୍ୟାୟାମ କରୁନାହାନ୍ତି। ମାତ୍ର ୪୧ ପ୍ରତିଶତ ଲୋକେ ପ୍ରତିଦିନ ୩୦ ମିନିଟ୍‌ ବ୍ୟାୟାମ କରୁଛନ୍ତି। ସେହିପରି ୧୬ ପ୍ରତିଶତ ଲୋକେ ଯୋଗାଭ୍ୟାସ କରନ୍ତି ବୋଲି ନିକଟରେ କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି।

Insider

ସର୍ଭେ ଅନୁଯାୟୀ, ରାଜଧାନୀର ୫୯.୨ ପ୍ରତିଶତ ଲୋକ ଶାରୀରିକ ଭାବେ କୌଣସି ବ୍ୟାୟାମ କରନ୍ତି ନାହିଁ। ଏପରିକି ଭବିଷ୍ୟତରେ ବ୍ୟାୟାମ କରିବା ନିମନ୍ତେ ସେମାନଙ୍କର କୌଣସି ଯୋଜନା ନାହିଁ। ରାଜଧାନୀର ଏକ ତୃତୀୟାଂଶରୁ କମ୍ ଲୋକ ୧୦ ମିନିଟ୍ କିମ୍ବା ତା’ଠାରୁ ଅଧିକ ଚାଲିବାକୁ ପସନ୍ଦ କରିଥାନ୍ତି। ସର୍ଭେ ହୋଇଥିବା ଲୋକଙ୍କ ମଧ୍ୟରୁ ୧୦ ପ୍ରତିଶତ ଲୋକ ମଧୁମେହ, ଉଚ୍ଚ ରକ୍ତଚାପ ଭଳି ରୋଗର ଶିକାର ହୋଇଥିବା ଜଣାଯାଇଛି। ଶିକ୍ଷା ଓ ଅନୁସନ୍ଧାନ(ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ମେଡିକାଲ୍ ସାଇନ୍ସସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର କମ୍ୟୁନିଟି ମେଡିସିନ୍ ବିଭାଗ ଓ ଓଡ଼ିଶା ମାଇନିଂ କର୍ପୋରେସନ୍‌(ଓଏମ୍‌ସି)ର ଆର୍ଥିକ ସହଯୋଗରେ ଏହି ସର୍ଭେ ହୋଇଛି।

eglin.af.mil

ପ୍ରଫେସର ଇ. ଭେଙ୍କଟ ରାଓଙ୍କ ନେତୃତ୍ବରେ କରାଯାଇଥିବା ଏହି ସର୍ଭେରେ ସମ୍ ହସ୍ପିଟାଲର କମ୍ୟୁନିଟି ମେଡିସିନ ବିଭାଗର ଡ. ସତ୍ୟଜିତ ମହାନ୍ତି, ଡ. ସନ୍ଦୀପ କୁମାର ପାଣିଗ୍ରାହୀ ଓ ଡ. ଜ୍ୟୋତିରଞ୍ଜନ ସାହୁ ସାମିଲ ଥିଲେ। ସହରର ୬୭ ୱାର୍ଡ ମଧ୍ୟରୁ ୩୦ଟି ୱାର୍ଡରେ ଏହି ସର୍ଭେ ହୋଇଥିଲା। ୫ମାସ ‌ତଳେ ଓଏମ୍‌ସି ପକ୍ଷରୁ ପ୍ରସ୍ତାବ ଆସିବା ପରେ ସହରର ବିଭିନ୍ନ ସ୍ଥାନରେ ଲୋକଙ୍କ ମତାମତ ଗ୍ରହଣ କରାଯାଇଥିଲା। ୩୦ଟି ୱାର୍ଡର ୧୨୧୭ ଜଣଙ୍କ ମତାମତ ସଂଗ୍ରହ କରାଯିବା ପରେ ଏହି ‌ରିପୋର୍ଟ ପ୍ରସ୍ତୁତ ହୋଇଛି। ୧୮ରୁ ୭୦ ବର୍ଷ ବୟସର ଲୋକଙ୍କୁ ଏଥିରେ ସାମିଲ କରାଯାଇଥିଲା। ସେମାନଙ୍କଠାରୁ ୪୦ଟି ପ୍ରଶ୍ନର ଉତ୍ତର ଅଣାଯାଇଥିଲା। ଯେଉଁଥିରେ କେତେବେଳେ ଶାରୀରିକ ବ୍ୟାୟାମ କରୁଛନ୍ତି? ରାସ୍ତାପାର୍ଶ୍ବ ନା ପାର୍କରେ ବ୍ୟାୟମ କରୁଛନ୍ତି? କେତେ ସମୟ ସାଇକେଲ୍‌ ଚଲାଉଛନ୍ତି? ‌‌ଯୋଗ କରୁଛନ୍ତି କି? ଯଦି ଯୋଗ କରୁଛନ୍ତି, ତେବେ‌ କିଏ ତାଲିମ ଦେଉଛି? ଏଭଳି ପ୍ରଶ୍ନର ଉତ୍ତର ଅଣାଯିବା ପରେ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ୧୫ ଦିନ ତଳେ ଏହି ରିପୋର୍ଟକୁ ଓଏମ୍‌ସିକୁ ପ୍ରଦାନ କରାଯାଇଛି। ଆଗାମୀ ଦିନରେ ୩ରୁ ୪ଟି ମେଡିକାଲ ଜର୍ଣ୍ଣାଲ୍‌ରେ ଏହାକୁ ପ୍ରକାଶ କରାଯିବ ବୋଲି ପ୍ରଫେସର୍‌ ରାଓ କହିଛନ୍ତି।

amicale-coe.eu

ସେ ଆହୁରି କହିଛନ୍ତି ଯେ ମାତ୍ର ୧୬ ପ୍ରତିଶତ ଲୋକ ଯୋଗାଭ୍ୟାସ କରୁଛନ୍ତି। ଟିଭିରୁ ଯୋଗ କାର୍ଯ୍ୟକ୍ରମ ଦେଖିବା ଦ୍ୱାରା ସେମାନେ ଯୋଗ ପ୍ରତି ଆକର୍ଷିତ ହେଉଛନ୍ତି। ସହରାଞ୍ଚଳ ଲୋକ ଶାରୀରିକ ବ୍ୟାୟାମ ପ୍ରତି କିଭଳି ଆଗ୍ରହ ରଖୁଛନ୍ତି ଓ ଏନେଇ ସରକାରଙ୍କର କ’ଣ ଯୋଜନା ରହିଛି, ସେ ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବା ପାଇଁ ଏହି ସର୍ବେକ୍ଷଣ କରାଯାଇଥିଲା। ଉଚ୍ଚ ରକ୍ତଚାପ, ହୃଦ୍‌ଜନିତ ରୋଗ ଓ କ୍ୟାନ୍ସର ଭଳି ରୋଗ ଯୋଗୁଁ ପ୍ରତିବର୍ଷ ବିଶ୍ବରେ ୩୬ ନିୟୁତ ଲୋକଙ୍କର ମୃତ୍ୟୁ ଘଟୁଛି। ଭାରତରେ ମଧ୍ୟ ଏହାର ପ୍ରଭାବ ପଡ଼ୁଛି। ସର୍ଭେରେ ୩ଟି ପ୍ରସଙ୍ଗକୁ ଅଧିକ ଗୁରୁତ୍ୱ ଦିଆଯାଇଥିଲା। ପ୍ରଥମଟି ହେଉଛି ଶାରୀରିକ ଚଞ୍ଚଳତାକୁ ପ୍ରୋତ୍ସାହନ ଦେବା ନିମନ୍ତେ ଜାତୀୟ ଶାରୀରିକ ଚଞ୍ଚଳତା ଯୋଜନାର ପ୍ରଣୟନ, ଦ୍ୱିତୀୟଟି ହେଉଛି ଡାକ୍ତରମାନେ ରୋଗୀମାନଙ୍କୁ ଔଷଧ ବ୍ୟତୀତ ଶାରୀରିକ ଚଞ୍ଚଳତା ଦିଗରେ ଅଧିକ ପ୍ରଭାବିତ କରିବା ଏବଂ ତୃତୀୟଟି ହେଉଛି ଲୋକମାନେ ନିଜେ ଏ ଦିଗରେ ସଚେତନ ହେବା। ପ୍ରତ୍ୟେକ ଲୋକ ସପ୍ତାହକୁ ଅତିକମ୍‌ରେ ୧୫୦ ମିନିଟ୍ ଅର୍ଥାତ୍‌ ଦିନକୁ ୩୦ ମିନିଟ୍‌ ବ୍ୟାୟାମ କରିବା ଉଚିତ୍‌ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର