୨୦୨୩-୨୪ ବର୍ଷରେ ୫୯୫ ହେକ୍ଟର ଜମିରେ ହେବ କଫି ଚାଷ

କଫି ଡେଭଲପମେଣ୍ଟ ଟ୍ରଷ୍ଟର ବୋର୍ଡ ବୈଠକ

କୋରାପୁଟ: ୨୦୨୩-୨୦୨୪ ଆର୍ଥିକ ବର୍ଷରେ ୫୯୫ ହେକ୍ଟର ଜମିରେ କଫିଚାଷ ହେବ। କଫି ଚାଷ ପାଇଁ ଚାଷୀଙ୍କ ମଧ୍ୟରେ ସଚେତନତା ଆରମ୍ଭ କରାଯିବ। ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ କୋରାପୁଟ କଫି ଡେଭଲପମେଣ୍ଟ ଟ୍ରଷ୍ଟର ୨୧ତମ ବୋର୍ଡ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଅବଦଲ ଏମ ଅଖତରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୋର୍ଡ ବୈଠକରେ କୋରାପୁଟ କଫି ଡେଭଲପମେଣ୍ଟ ଟ୍ରଷ୍ଟର ଡେପୁଟି ଡାଇରେକ୍ଟର ପ୍ରସନ୍ନ ଜେନା, କଫି ବୋର୍ଡର ଏସଏଲଓ ଉପେନ୍ଦ୍ର ସାହା, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଗୌରବ ଶିବାଜୀ ଇଶଲଫ୍ୱାର, ଓଏଲଏମ ଜିଲ୍ଲା ଅଧିକାରୀ ସୁସ୍ମିତା ସାମନ୍ତରାୟ , ଆଇଟିଡିଏ ପିଡି କାରୁ ସୋରେନ, ଟିଡିସିସି ର ଆଶୁତୋଷ ନନ୍ଦ, ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଅରୁଣ କୁମାର ଦାଶ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ସେନାପତି, ସହ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।
୨୦୨୩ – ୨୪ ଆର୍ଥିକ ବର୍ଷରେ ୫୯୫ ହେକ୍ଟର ଜମିରେ କଫିଚାଷ ପାଇଁ ବୈଠକରେ ନିଷ୍ପତ୍ତି କୋରାପୁଟ କଫି ଡେଭଲପମେଣ୍ଟ ଟ୍ରଷ୍ଟର ଡେପୁଟି ଡାଇରେକ୍ଟର ପ୍ରସନ୍ନ ଜେନା କହିଛନ୍ତି। ଏହାଛଡା ଗୋଲମରିଚ ଏବଂ ଛାୟାବୃକ୍ଷ ଲଗାଯିବା ନେଇ ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଛି। ସୂଚନାଥାଉକି କୋରାପୁଟ ଜିଲ୍ଲାରେ କଫିଚାଷକୁ ସର୍ବାଗ୍ରେ ପହଞ୍ଚାଇବା ପାଇଁ ଓଡିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେଇଥିଲେ। ଜିଲ୍ଲାରେ ସ୍ମାର୍ଟକାର୍ଡ ବଣ୍ଟନ ଅବସରରେ କୋରାପୁଟ କଫିର ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ।
ଆଗାମୀ ୫ବର୍ଷ ମଧ୍ୟରେ କୋରାପୁଟ ଜିଲ୍ଲାରେ ୫ହଜାର ହେକ୍ଟର କଫି ଚାଷ କରାଯିବ। ବାର୍ଷିକ ହଜାର ହଜାର ଟନ କଫି ଉତ୍ପାଦନ କରିବାକୁ ଲକ୍ଷ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପକୁ କୋରାପୁଟବାସୀ ଖୁସି ପ୍ରକଟ କରିବା ସହ ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ଏହି ସ୍ୱପ୍ନ ପୂରଣ କରିବା ଲକ୍ଷରେ ମିଶନ ଶକ୍ତି ବିଭାଗ ଦ୍ୱାରା କଫି ଚାଷକୁ ଗୁରୁତ୍ୱ ସହ ମହିଳାଙ୍କୁ ମଧ୍ୟ ସ୍ୱାବଲମ୍ବୀ କରାଯାଉଛି। ବିଭିନ୍ନ ନର୍ସରୀରେ ଏସଏଚଜି ମହିଳାମାନେ କଫି ଚାରା ରୋପଣ କାର୍ଯ୍ୟରେ ଲାଗିଛନ୍ତି। ଏଥିନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆଗେଇ ଚାଲିଛି ।
ସମ୍ବନ୍ଧିତ ଖବର