ଭୁବନେଶ୍ବର : ଗୁରୁବାରଠାରୁ ରାଜ୍ୟରେ ୫ଜି ଯୁଗ ଆରମ୍ଭ ହୋଇଛି। ଭୁବନେଶ୍ବର ଓ କଟକ ସହରରେ ୫ଜି ସେବା ଉପଲବ୍ଧ ହୋଇଥିବା ବେଳେ ଆସନ୍ତା ଦୁଇ ବର୍ଷ ମଧ୍ୟରେ ସାରା ରାଜ୍ୟରେ ୫ଜି ସେବା ଉପଲବ୍ଧ ହେବ ବୋଲି କେନ୍ଦ୍ର ଟେଲି ଯୋଗାଯୋଗ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି। ଗୁରୁବାର ଦିନ ଭୁବନେଶ୍ବର ସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ ଅଡ଼ିଟୋରିୟମରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସେ ୫ଜି ସେବାର ଆନୁଷ୍ଠାନିକ ଶୁଭାରମ୍ଭ କରିଛନ୍ତି।
ଓଡ଼ିଶାରେ ରିଲାଏନ୍ସ ଜିଓ ଓ ଭାରତୀ ଏୟାରଟେଲ୍ ପକ୍ଷରୁ ୫ଜି ସେବା ଆରମ୍ଭ କରାଯାଇଛି। ଆସନ୍ତା ୨୦୨୪ରେ ସରକାରୀ ଟେଲିକମ୍ କଂପାନି ଭାରତ ସଂଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍) ଏହାର ୫ଜି ସେବା ଆରମ୍ଭ କରିବ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି। ଆଜି ମଧ୍ୟ ରାଜ୍ୟରେ ୧୦୦ଟି ନୂଆ ୪ଜି ଟେଲିକମ୍ ଟାୱାରର ଶୁଭାରମ୍ଭ କରାଯାଇଛି। ସେଗୁଡ଼ିକୁ ମାଲକାନାଗିରି ଓ କୋରାପୁଟ ଭଳି ଜିଲ୍ଲାର ଦୂରଦୂରାନ୍ତ ଅଞ୍ଚଳରେ ସ୍ଥାପନ କରାଯାଇଛି। ଫେବ୍ରୁଆରି ସୁଦ୍ଧା ରାଉରକେଲା, ବ୍ରହ୍ମପୁର, ପୁରୀ, ବାଲେଶ୍ବର ଓ ସମ୍ବଲପୁରରେ ୫ଜି ସେବା ଆରମ୍ଭ କରିବାକୁ ଜିଓ ଲକ୍ଷ୍ୟ ରଖିଛି।
୨୦୨୪ରେ ବିଏସ୍ଏନ୍ଏଲ୍ର ୫ଜି ସେବା: ଅଶ୍ବିନୀ ବୈଷ୍ଣବ
ଉପଗ୍ରହ ସହ ଯୋଡ଼ିହେବ ୩୮ ଗ୍ରାମ ପଞ୍ଚାୟତ
ଚାକିରି ପଛରେ ଗୋଡ଼ାଅନି, ଉଦ୍ୟୋଗୀ ହୁଅ: ଧର୍ମେନ୍ଦ୍ର
ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି ଯେ ସାରା ଦେଶରେ କାର୍ଯ୍ୟକାରୀ ହେଉଥିବା ୫ଜିର ପ୍ରଥମ ପର୍ଯ୍ୟାୟ ସମୟ ସୀମା ମାର୍ଚ୍ଚରେ ଶେଷ ହେବ। ଏହାର ଯଥେଷ୍ଟ ପୂର୍ବରୁ ଓଡ଼ିଶାରେ ୫ଜି ସେବା ଆରମ୍ଭ ହୋଇଛି। ଏଥିରେ ଗ୍ରାହକମାନେ ହାଇ ସ୍ପିଡ୍ ଡାଟା ପାଇବେ ଯାହା କେବଳ ଭିଡିଓ କିମ୍ବା ଗେମିଂ ପାଇଁ ନୁହେଁ ବରଂ କୃଷି, ସ୍ବାସ୍ଥ୍ୟ ଓ ଶିକ୍ଷା ଆଦି ବିଭିନ୍ନ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବ। ଓଡ଼ିଶାରେ ଟେଲି ଯୋଗାଯୋଗ ସେବାରେ ଉନ୍ନତି ଆଣିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାକୁ ୫୬୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ସେହି ଟଙ୍କାକୁ ବ୍ୟବହାର କରି ରାଜ୍ୟରେ ଟେଲିକମ୍ ସେବା ଉପଲବ୍ଧ ହେଉନଥିବା ଅପହଞ୍ଚ ଇଲାକାଗୁଡ଼ିକରେ ୫୦୦୦ ଟାୱାର ସ୍ଥାପନ କରାଯିବ। ଆଜି ସେଥିରୁ ୧୦୦ଟି ଟାୱାରକୁ କାର୍ଯ୍ୟକ୍ଷମ କରାଯାଇଛି। ଅବଶିଷ୍ଟ ଟାୱାରଗୁଡ଼ିକୁ ଆସନ୍ତା ଦେଢ଼ବର୍ଷ ମଧ୍ୟରେ ସ୍ଥାପନ କରାଯିବ। ପ୍ରତି ମାସରେ ବିଭିନ୍ନ ସ୍ଥାନରେ ନୂଆ ଟାୱାର ବସିବ। ଏହି ଟାୱାରଗୁଡ଼ିକ ଦ୍ବାରା ୭୦୦୦ ଗ୍ରାମରେ ଟେଲିକମ୍ ସେବା ପହଞ୍ଚିବ। ଏଥି ସହିତ ଗ୍ରାମାଞ୍ଚଳରେ ଅପ୍ଟିକାଲ୍ ଫାଇବର ପହଞ୍ଚାଇବା ପାଇଁ ୧୦୮୦ କୋଟି ଟଙ୍କା ନିବେଶ ହେବ ଏବଂ ୩୮ଟି ଗ୍ରାମ ପଞ୍ଚାୟତରେ ଉପଗ୍ରହ ମାଧ୍ୟମରେ ଯୋଗାଯୋଗ ବ୍ୟବସ୍ଥା ପହଞ୍ଚିବ ବୋଲି ସେ କହିଛନ୍ତି। ଏସ୍ଟିପିଆଇ ପକ୍ଷରୁ ଚଳିତବର୍ଷ ଡିସେମ୍ବର ସୁଦ୍ଧା ଭୁବନେଶ୍ବର, ରାଉରକେଲା, ବ୍ରହ୍ମପୁର, କୋରାପୁଟ, ବାଲେଶ୍ବର, ଅନୁଗୁଳ, ଯାଜପୁର ଓ ସମ୍ବଲପୁରରେ ନୂଆ କେନ୍ଦ୍ର ସ୍ଥାପନ କରି ଯୁବପିଢ଼ିଙ୍କୁ ତାଲିମ ଦିଆଯିବ। ଟେଲିକମ୍ ଭିତ୍ତିଭୂମିକୁ ଉନ୍ନତ କରିବା ଲାଗି ଏହି ସମସ୍ତ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ସେ ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି।
ବିଏସ୍ଏନ୍ଏଲ୍ର ୫ଜି ଯୋଜନା ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ୧.୬ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ମାଧ୍ୟମରେ ବିଏସ୍ଏନ୍ଏଲ୍ ସ୍ଥିତିରେ ବେଶ ଉନ୍ନତି ଅଣାଯାଇପାରିଛି। ୫ଜି ସେବା ପାଇଁ ଆମେ ଯେଉଁ ଯୋଜନା ରଖିଛୁ ସେହି ଅନୁସାରେ କାମ ଠିକ୍ ଭାବେ ଆଗେଇ ଚାଲିଛି। ବୈଷୟିକ ସହଯୋଗୀମାନଙ୍କ ସହ ମିଶି କଂପାନି କାମ କରୁଛି। ୨୦୨୪ ସୁଦ୍ଧା କଂପାନି ୫ଜି ସେବା ଆରମ୍ଭ କରିବ; ଏମିତି ଆଶା ଆମର ରହିଛି। ଦେଶରେ ୫ଜି ବ୍ୟବସ୍ଥା ବିକାଶ କରିବାରେ ପ୍ରାୟ ୩ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଏହା ଦ୍ବାରା ୯୦ ହଜାର ପାଖାପାଖି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ୫ଜିର ଟାରିଫ୍ ଦର ୪ଜି ପାଖାପାଖି କିମ୍ବା ସମାନ ରହିବ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି।
ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ନିକଟରେ ରାଜ୍ୟ ସରକାର ସର୍ବଦା ଦୁଇଟି ଦାବି କରୁଥିଲେ। ଗୋଟିଏ ହେଉଛି ଅଧିକ ଟେଲିଫୋନ୍ ଟାୱାର ଏବଂ ଅନ୍ୟଟି ହେଲା ଅଧିକ ବ୍ୟାଙ୍କ ଶାଖା। ରାଜ୍ୟରେ ୫ଜି ସେବା ଆରମ୍ଭ ହେବା ସହ ୫୦୦୦ ନୂଆ ଟାୱାର ବସାଇବା ଲାଗି ମୋଦୀ ସରକାର ମଞ୍ଜୁର କରିଥିବା ଟଙ୍କା ଦ୍ବାରା ଟେଲି ଯୋଗାଯୋଗ ସମସ୍ୟାର ସମାଧାନ ହୋଇଯିବ। ୫ଜିରେ ରହିଥିବା ଶକ୍ତିକୁ ଉପଯୋଗ କରି ଅନେକ ନୂଆ କାର୍ଯ୍ୟ କରାଯାଇପାରିବ। ତାହାର ସୁଯୋଗ ନେବା ଲାଗି ସେ ରାଜ୍ୟବାସୀଙ୍କୁ ସେ ଆହ୍ବାନ ଦେଇଥିଲେ। କେବଳ ସେତିକି ନୁହେଁ, ଆଉ ଚାକିରି ପଛରେ ନଗୋଡ଼ାଇ ଉଦ୍ୟୋଗୀ ହେବା ଏବଂ ସଂସ୍ଥା ପ୍ରତିଷ୍ଠା କରିବା ପାଇଁ ଉଦ୍ୟମ କରିବାକୁ ସେ ଯୁବପିଢ଼ି ଓ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ସରକାରୀ ବାବୁ ହେବା ବଦଳରେ ଯଦି କେହି ଉଦ୍ୟୋଗୀ ହେବାକୁ ଚାହିବେ ସେଥିରେ ମୁଁ ଅଧିକ ଖୁସି ହେବି ବୋଲି ଶ୍ରୀ ପ୍ରଧାନ କହିଥିଲେ। ଏଥି ସହିତ ସେ ମନେ ପକାଇ ଦେଇଥିଲେ ଯେ ୨୦ ବର୍ଷ ପୂର୍ବେ ପ୍ରତି ମିନିଟ୍ କଲ୍ ପାଇଁ ୨୦ ଟଙ୍କା ଭଳି ଚଢ଼ା ଦାମ୍ ଗଣିବାକୁ ପଡ଼ୁଥିଲା। ମାତ୍ର ଏତେ ଲୋକମାନେ ମାଗଣାରେ କଲ୍ କରିବା ସୁବିଧା ପାଉଛନ୍ତି। ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଏକ ବିଷୟ ଭାବେ ୫ଜିକୁ ସାମିଲ କରିବା ଲାଗି ଏଆଇସିଟିଇକୁ ପ୍ରସ୍ତାବ ଦିଆଯାଇଥିବା ଏହି ଅବସରରେ ସୂଚନା ଦିଆଯାଇଥିଲା।
ଆଜିର କାର୍ଯ୍ୟକ୍ରମରେ ରିଲାଏନ୍ସ ଜିଓ ଓ ସଫ୍ଟଓୟାର ଟେକ୍ନୋଲୋଜି ପାର୍କ ଅଫ୍ ଇଣ୍ଡିଆ (ଏସ୍ଟିପିଆଇ) ପକ୍ଷରୁ ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ ସହିତ ଦୁଇଟି ସ୍ବତନ୍ତ୍ର ବୁଝାମଣାପତ୍ର ସ୍ବାକ୍ଷର କରାଯାଇଥିଲା। ବିଶ୍ବବିଦ୍ୟାଳୟରେ ଏକ ୫ଜି ଲ୍ୟାବ୍ ସ୍ଥାପନ କରିବା ଲାଗି ଜିଓ ପକ୍ଷରୁ ଏମ୍ଓୟୁ ସ୍ବାକ୍ଷର କରାଯାଇଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ନୂତନ କେନ୍ଦ୍ର ଖୋଲିବା ଲାଗି ଏସ୍ଟିପିଆଇ ଏମ୍ଓୟୁ ସ୍ବାକ୍ଷର କରିଥିଲେ। ଏହି ଅବସରରେ ୫ଜିର ବ୍ୟବହାରକୁ ନେଇ ପ୍ରସ୍ତୁତ କରାଯାଇଥିବା ଏକ ପ୍ରଦର୍ଶନୀକୁ ଅତିଥିମାନେ ଉଦ୍ଘାଟନ କରିଥିଲେ। ରାଜ୍ୟର ୧୮ଟି ଷ୍ଟାର୍ଟଅପ୍ ସଂସ୍ଥା ସମେତ ଜିଓ, ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆ ଭଳି ଟେଲିକମ୍ କଂପାନି ଓ ଅନ୍ୟ ସଂସ୍ଥାଗୁଡ଼ିକ ସେଥିରେ ଷ୍ଟଲ୍ ସ୍ଥାପନ କରିଥିଲେ। ଏହି ପ୍ରଦର୍ଶନୀ ଦୁଇଦିନ ପର୍ଯ୍ୟନ୍ତ ଖୋଲାରହିବ।
ଏହି ଅବସରରେ ଟେଲିକମ୍ ସଚିବ କେ ରାଜାରମଣ, ଆଇଆଇଟି ଭୁବନେଶ୍ବରର ନିର୍ଦ୍ଦେଶକ ଶ୍ରୀପଦ କର୍ମାଲକର, ଟେଲିକମ୍ ସଦସ୍ୟ ସଞ୍ଜୀବ ଅଗ୍ରୱାଲ୍, ଡକ୍ଟର ମହେଶ ଶୁକ୍ଳା, ଏମ୍ ସିହ୍ନା ଏବଂ ଏ ଶର୍ମା ଓ ଅନ୍ୟ ବରିଷ୍ଠ ଅତିଥିମାନେ ଉପସ୍ଥିତ ଥିଲେ।