୩ ମାସରେ ଓଡ଼ିଶାରେ ୫ଜି, ଅଗଷ୍ଟରେ ଆସିବ ଟେଲିକମ୍ ଓ ଡାଟା ସୁରକ୍ଷା ବିଲ୍‌

ଦେଶରେ ସାଇବର ଠକେଇ ୮୦% କମିବ, ଛୋଟ ବ୍ୟବସାୟୀଙ୍କୁ ସୁବିଧାରେ ମିଳିବ ଋଣ

ଭୁବନେଶ୍ବର : ଓଡ଼ିଶାର ୭ ହଜାର ୫୦୦ ଗାଁରେ ଏବେ ବି ମୋବାଇଲ୍‌ ନେଟ୍‌ୱର୍କ ନାହିଁ। ସେଠାକାର ଲୋକଙ୍କ ନିକଟରେ ମୋବାଇଲ୍‌ ସେବା ପହଞ୍ଚାଇବା ନେଇ ୫ ହଜାର ୬୦୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ଏଥିପାଇଁ ଜୋରସୋରରେ କାର୍ଯ୍ୟ ଚାଲିଛି। ସବୁ ସ୍ଥାନରେ ସର୍ଭେ କାର୍ଯ୍ୟ ଶେଷ ହୋଇସାରିଲାଣି। ଡିଜାଇନ୍‌ ମଧ୍ୟ ସରିଛି। ମାସେ ଦୁଇ ମାସ ମଧ୍ୟରେ ଟାୱାର ଲାଗିବା କାର୍ଯ୍ୟ ଆରମ୍ଭ ହୋଇଯିବ। ଫଳରେ ଆସନ୍ତା ୮ରୁ ୧୦ ମାସ ମଧ୍ୟରେ ସାରା ଓଡ଼ିଶାରେ ମୋବାଇଲ୍‌ ସୁବିଧା‌ ଉପଲବ୍ଧ ହେବ। ଏଥିସହ ଆସନ୍ତା ଅଢ଼େଇରୁ ୩ମାସ ମଧ୍ୟରେ ଓଡ଼ିଶାରେ ୫ଜି ସେବା ଉପଲବ୍ଧ ହେବ। ମାର୍ଚ୍ଚ ସୁଦ୍ଧା‌ ପ୍ରଥମ ପର୍ଯ୍ୟାୟରେ ୫ଜି ସେବା ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛୁ। ଯେଉଁଥିରେ ଓଡ଼ିଶା ବି ସାମିଲ ଅଛି।

ଏଥିପାଇଁ ଆବଶ୍ୟକ ସାମଗ୍ରୀ ଓଡ଼ିଶାକୁ ଆସିସାରିଛି। ଏବେ ଡିଜାଇନିଂ ଓ ପ୍ଲାନିଂ କାର୍ଯ୍ୟ ଜାରି ରହିଥିବାରୁ ଖୁବ୍‌ଶୀଘ୍ର ଓଡ଼ିଶାବାସୀ ୫ଜି ସେବା ପାଇପାରିବେ ବୋଲି ଓଡ଼ିଶା ନିର୍ମାଣ କନକ୍ଲେଭରେ କେନ୍ଦ୍ର ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି।

ସାଇବର୍‌ କ୍ରାଇମ୍‌ ରୋକିବା ତଥା ସାଧାରଣ ଜନତାଙ୍କ ତଥ୍ୟ କିଭଳି ସୁରକ୍ଷିତ ରହିପାରିବ ସେନେଇ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି ଯେ ଟେଲିକମ୍‌ ଓ ଡିଜିଟାଲ ଶିଳ୍ପ ଇଣ୍ଡିଆନ୍‌ ଟେଲିଗ୍ରାଫ୍‌ ଆକ୍ଟ-୧୮୮୫ ଅନୁଯାୟୀ ପରିଚାଳିତ ହେଉଥିଲା। ତେଣୁ ଡିଜିଟାଲ ଅର୍ଥନୀତି ପାଇଁ ଡିଜିଟାଲ ଆଇନ ତିଆରି କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ଦେଶ ଦେଇଛନ୍ତି। ତେଣୁ ୨୦୨୦ରୁ ଆଇନରେ ପରିବର୍ତ୍ତନ କରିବା କାର୍ଯ୍ୟ ହାତକୁ ନେଇଛୁ। ଏବେ ଟେଲିକମ୍ ଓ ଡାଟା ସୁରକ୍ଷା ବିଲ୍‌କୁ ଗୁରୁତ୍ୱ ଦିଆଯାଉଛି। ଦୁର୍ଗମ ଅଞ୍ଚଳ ସହ କିଭଳି ଯୋଡ଼ି ହୋଇପାରିବ ‌ତାହା ଆମର ପ୍ରାଥମିକତା। ୧୩୨ କୋଟି ଭାରତୀୟଙ୍କ ସମସ୍ୟାର ସମାଧାନ ଲାଗି ଏହି ବିଲ୍‌ରେ ଗୁରୁତ୍ବ ଦିଆଯାଇଛି। ୨୦୨୩ ଜୁଲାଇ/ଅଗଷ୍ଟ ସୁଦ୍ଧା ଏହି ଦୁଇଟି ବିଲ୍ ଆସିବ। ଫଳରେ ୮୦ ପ୍ରତିଶତ ସାଇବର ଠକେଇ କମିଯିବ। କାହାର ବ୍ୟକ୍ତିଗତ ତଥ୍ୟକୁ କେହି ଚୋରାଇ ନେଇପାରିବେ ନାହିଁ।

ଓପନ୍‌ କ୍ରେଡିଟ୍‌ ନେଟୱର୍କରେ ଓଡ଼ିଶାର ବ୍ୟବସାୟୀଙ୍କୁ ସାମିଲ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଲେ ବଡ଼ ବ୍ୟବସାୟୀଙ୍କୁ ଋଣ ଦେବା ଲାଗି ବ୍ୟାଙ୍କଗୁଡ଼ିକ ପଛରେ ଧାଇଁଥାନ୍ତି। ଗୋଟିଏ ପ୍ରକଳ୍ପ ଲାଗି ୧୦ଟି ବ୍ୟାଙ୍କ ପଛରେ ପଡ଼ନ୍ତି। ଛୋଟ ବ୍ୟବସାୟୀଙ୍କୁ ଗୁରୁତ୍ବ ଦିଅନ୍ତି ନାହିଁ। ଏବେ ଛୋଟ ବ୍ୟବସାୟୀଙ୍କୁ କିଭଳି ବ୍ୟାଙ୍କରୁ ସୁବିଧାରେ ସେବା ମିଳିପାରିବ ସେଦିଗରେ କେନ୍ଦ୍ର ସରକାର ଗୁରୁତ୍ବ ଦେଉଛନ୍ତି। ‘ସ୍ବନିଧି’ ଯୋଜନା ଆରମ୍ଭ ହୋଇଛି, ଯେଉଁଥିରେ ଛୋଟ ଉଠାଦୋକାନୀଙ୍କ ଲାଗି ଋଣ ନେବାର ବ୍ୟବସ୍ଥା କରାଯାଇଛି। ଏହାଦ୍ବାରା କରୋନା ସମୟରେ ବହୁ ବ୍ୟବସାୟୀ ଉପକୃତ ହୋଇଛନ୍ତି। ଡିଜିଟାଲ ମାଧ୍ୟମରେ ଯେଉଁ ସୁବିଧା ବଡ଼ ବ୍ୟବସାୟୀକୁ ମିଳୁଛି ତାହା କିଭଳି ସାଧାରଣ ଛୋଟ ବ୍ୟବସାୟୀଙ୍କୁ ମିଳିପାରିବ ସେଥିପାଇଁ ଓପନ୍‌ କ୍ରେଡିଟ୍‌ ନେଟୱର୍କ ହୋଇଛି। ଏଥିରେ ୭ରୁ ୮ ହଜାର ଟଙ୍କା ଋଣ ଚାହୁଥିବା ବ୍ୟବସାୟୀ ଉପକୃତ ହୋଇପାରିବେ। ପାଇଲଟ୍‌ ପ୍ରୋଜେକ୍ଟରେ ୮୦୦୦ ଛୋଟ ବ୍ୟବସାୟୀ ଇତିମଧ୍ୟରେ ସାମିଲ ହୋଇସାରିଲେଣି। ବ୍ୟାଙ୍କଗୁଡ଼ିକ ମଧ୍ୟ ସେବା ଯୋଗାଇବାକୁ ଆଗଭର ହେଉଛନ୍ତି। ପାଇଲଟ୍‌ ସଫଳ ହେଲେ ଓଡ଼ିଶା ସମେତ ସାରା ଦେଶରେ ଲାଗୁ ହେବ। ଏଠାକାର ବ୍ୟବସାୟୀ ମଧ୍ୟ ଉପକୃତ ହେବେ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଦେଶ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇପାରିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।

ସମ୍ବନ୍ଧିତ ଖବର