ମାଓବାଦୀ ଅଞ୍ଚଳରେ ମାର୍ଚ୍ଚ ସୁଦ୍ଧା ୪ଜି ମୋବାଇଲ ସେବା

୨୦୨୪ରେ ସଂପୂର୍ଣ୍ଣ ଓଡ଼ିଶାରେ ୫ଜି

ଭୁବନେଶ୍ବର : ରାଜ୍ୟର ୯ଟି ମାଓ ପ୍ରବଣ ଜିଲ୍ଲାରେ ମିଳିବ ୪ଜି ସେବା। ପ୍ରଥମ ପର୍ଯ୍ୟାୟରେ ୨୫୬ଟି ଟାୱାର ଜରିଆରେ ଏସବୁ ଜିଲ୍ଲାରେ ୨ଜି ସେବା ମିଳୁଥିଲା। ମାତ୍ର ଦ୍ବିତୀୟ ପର୍ଯ୍ୟାୟରେ ୪୨୨ କୋଟି ଟଙ୍କା ବ୍ୟୟରେ ୪୮୩ଟି ଟାୱାର ବସାଯିବ। ରିଲାଏନ୍‌ସ ଜିଓ ଏସବୁ ଟାୱାରର ନିର୍ମାଣ ସହିତ ସେବା ପ୍ରଦାନ କରିବ। ତହିଁରୁ ବର୍ତମାନସୁଦ୍ଧା ୧୦୨ଟି ଟାୱାର ସେବା ମିଳୁଛି। ମାର୍ଚ୍ଚ ସୁଦ୍ଧା ସବୁ ଟାୱାର ଜରିଆରେ ୪ଜି ସେବା ମିଳିବ ବୋଲି ସୂଚନା ଦେଇଛନ୍ତି ଟେଲିକମ ବିଭାଗର ଓଡ଼ିଶା ମୁଖ୍ୟ ବି.କେ ନାୟକ।

ବୁଧବାର ଦିନ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନାୟକ କହିଲେ, ରାଜ୍ୟର ମାଓ ପ୍ରବଣ ଅଞ୍ଚଳରେ ୪ଜି ସେବା ପାଇଁ ଆବେଦନ ହୋଇଥିବା ଟେଣ୍ଡର ପ୍ରକ୍ରିୟାରେ ବିଏସ୍‌ଏନ୍‌ଏଲ୍‌ କିମ୍ବା ଭୋଡାଫୋନ୍-ଆଇଡିଆ ଅଂଶଗ୍ରହଣ କରି ନ ଥିଲେ। ରିଲାଏନ୍‌ସ ଜିଓ ଟେଣ୍ଡର ପାଇଥିଲା। ଏବେ ରାଜ୍ୟର ୧୦ଟି ଆକାଂକ୍ଷୀ ଜିଲ୍ଲାରେ ମଧ୍ୟ ୪ଜି ସେବାକୁ ଗୁରୁତ୍ବ ଦିଆଯାଉଛି। ଏଥିରେ ୩୯୩୩ ଗାଁରେ ଏହି ସେବା ଯୋଗାଇବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ତହିଁରୁ ୩୫୬୪ ଗାଁରେ ସର୍ବେକ୍ଷଣ ଶେଷ ହୋଇଛି। ବଳକା ଗାଁରେ ସର୍ବେକ୍ଷଣ ଜାରି ରହିଛି। ଏଥିପାଇଁ ୧୮୦୮ କୋଟି ଟଙ୍କା ଖର୍ଚ୍ଚ କରାଯିବ ଓ ଜିଓ ଏହି ସେବା ଯୋଗାଇବ। ସେହିପରି ୪ଜି ସାଚୁରେସନ୍ ପ୍ରକଳ୍ପ ଅଧୀନରେ ୧୮୧୪ଟି ଗାଁକୁ ୪ଜି ସେବା ଦିଆଯିବ। ତହିଁରୁ ୧୬୨୯ଟି ଗାଁରେ ଏହି ସେବା ବିଏସ୍‌ଏନ୍‌ଏଲ୍‌ ପ୍ରଦାନ କରିବ। ଚଳିତବର୍ଷ ଡିସେମ୍ବର ଶେଷ ସୁଦ୍ଧା ଏହି ସେବା ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରହିଛି।

ରାଜ୍ୟର ୭୧୧୩ ଗାଁରେ ନାହିଁ ୪ଜି ସେବା
ବିଏସ୍‌ଏନ୍‌ଏଲ୍‌ ୪ଜି ପାଇଁ ଭୁବନେଶ୍ବର-ପୁରୀରେ ପରୀକ୍ଷାମୂଳକ ସେବା
ସର୍ବସାଧାରଣ ଜାଗା ଖୋଳାଖୋଳି ପୂର୍ବରୁ ଆସିବ ମେସେଜ୍

ଅପରପକ୍ଷରେ ଚଳିତବର୍ଷ ଅଗଷ୍ଟ ସୁଦ୍ଧା ରାଜ୍ୟରେ ବିଏସ୍‌ଏନ୍‌ଏଲ୍‌ ପକ୍ଷରୁ ୪ଜି ସେବା ପ୍ରଦାନ କରାଯିବ। ଭୁବନେଶ୍ବର-ପୁରୀ ସହର ସମେତ ଭୁବନେଶ୍ବର-ପୁରୀ ହାଇୱେରେ ପରୀକ୍ଷାମୂଳକ ଭାବେ ଏହାକୁ ଆରମ୍ଭ କରାଯିବ। ୬ହଜାର ବିଟିଏସ୍‌(ବେସ୍ ଟର୍ମିନାଲ ଷ୍ଟେସନ୍‌) ମଧ୍ୟରୁ ୩ଶହ ବିଟିଏସ୍‌କୁ ଏଥିପାଇଁ ମଞ୍ଜୁରୀ ମିଳିଛି। ଯେଉଁଠାରେ ୨ଜି ଓ ୩ଜି ଟାୱାର ରହିଛି ସେସବୁକୁ ୪ଜି ଟାୱାରକୁ ଅପଗ୍ରେଡ୍‌ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଏଥିରେ ବିଏସ୍ଏନ୍‌ଏଲ ୧ହଜାର ଗାଁରେ ଏହାକୁ ଅପ‌ଗ୍ରେଡ୍‌ କରିବ। ରାଜ୍ୟ ସରକାର ୧୩୬୨ଟି ଗାଁରେ ୪ଜି ସେବା ନ ଥିବା ପ୍ରସ୍ତାବ ଦେଇଛନ୍ତି। ତେବେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ଟେଲିକମ୍ ବିଭାଗକୁ ପ୍ରସ୍ତାବ ଦିଆଯାଇଛି। ଏହାବାଦ୍ ରିଲାଏନ୍‌ସ ଜିଓ ମଧ୍ୟ ରାଜ୍ୟରେ ୧୦୭୩ଟି ଗାଁରେ ନିଜସ୍ବ ୪ଜି ସେବା ସଂପ୍ରସାରଣ କରିବା ପାଇଁ ଯୋଜନା କରିଛି।

Mint

ରାଜ୍ୟରେ ୫ଜି ସେବା ସଂପର୍କରେ ଶ୍ରୀ ନାୟକ କହିଥିଲେ ଯେ ରାଜ୍ୟରେ ବର୍ତମାନ ୨୨ଟି ଜିଲ୍ଲାରେ ୫ଜି ସେବା ମିଳୁଛି। ଏଥିରେ ୧୩ଟି ଜିଲ୍ଲାରେ ରିଲାଏନ୍‌ସ ଜିଓ ଓ ୯ଟିରେ ଏୟାରଟେଲ ସେବା ଦେଉଛି। ଆସନ୍ତା ମାର୍ଚ୍ଚସୁଦ୍ଧା ବଡ଼ ସହରରେ ଓ ଡିସେମ୍ବର ସୁଦ୍ଧା ସମସ୍ତ ସହରରେ ୫ଜି ସେବା ମିଳିବ। ତେବେ ଗ୍ରାମାଞ୍ଚଳ ସମେତ ସମଗ୍ର ଓଡ଼ିଶାରେ ୫ଜି ସେବା ପାଇଁ ୨୦୨୪ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ଭାରତ ନେଟ୍‌ ପ୍ରକଳ୍ପ ଅଧୀନରେ ରାଜ୍ୟର ୬୭୯୮ଟି ଗ୍ରାମ ପଞ୍ଚାୟତ ମଧ୍ୟରୁ ୬୭୫୬ ଗ୍ରାମ ପଞ୍ଚାୟତରେ ଅପଟିକାଲ ଫାଇବର, ୪୨ଟି ପଞ୍ଚାୟତକୁ ସାଟେଲାଇଟ୍‌ ଜରିଆରେ ଇଣ୍ଟରନେଟ୍‌ ସହିତ ସଂଯୋଗ କରାଯାଇଛି। ରାଜ୍ୟରେ ବର୍ତମାନସୁଦ୍ଧା ୧,୨୧,୬୭୩ ରୁଟ କି.ମି ଅପଟିକାଲ ଫାଇବର ରହିଛି। ଜଣେ ବ୍ୟକ୍ତି ଏକାଧିକ ନାଁ କିମ୍ବା ଫଟୋ ଜରିଆରେ ସିମ୍ ହାତେଇବାକୁ ରୋକିବା ଲାଗି ଏଏସ୍‌ଟିଆର ଭଳି ଜ୍ଞାନକୌଶଳ ବ୍ୟବହାର କରାଯାଉଛି। ନିକଟରେ ଏହି ‌ଜ୍ଞାନକୌଶଳ ଜରିଆରେ ମୟୂରଭଞ୍ଜ ଜିଲ୍ଲାରେ ୬ଜଣଙ୍କୁ ଗିରଫ କରାଯାଇଥିଲା।

ଓଡ଼ିଶା ସମେତ ଦେଶରେ ବିଭିନ୍ନ ସ୍ଥାନରେ ଉନ୍ନତିମୂଳକ କାର୍ଯ୍ୟକଳାପ ପାଇଁ ବିଭିନ୍ନ ସମୟରେ ସର୍ବସାଧାରଣ ସ୍ଥାନରେ ଖୋଳାଖୋଳି ହେଉଛି। ବିଭାଗ ଭିତରେ ସମନ୍ବୟର ଅଭାବ ପାଇଁ ଅନେକ ସଂପତ୍ତି ନଷ୍ଟ ହେଉଛି। ଏହାକୁ ରୋକିବା ପାଇଁ ବିଭାଗ ପକ୍ଷରୁ ଏକ ନୂଆ ଆପ୍‌ ଆସୁଛି। ତେଣୁ ସର୍ବସାଧାରଣ ସ୍ଥାନରେ ଖୋଳିବା ପୂର୍ବରୁ ସେମାନେ ଏଥିରେ ପଞ୍ଜୀକରଣ କରିବେ। ଯାହାଫଳରେ ସେହି ଅଞ୍ଚଳରେ ରହୁଥିବା ସମସ୍ତ ବ୍ୟକ୍ତି/ସଂସ୍ଥାମାନଙ୍କୁ ଖୋଳା ହେବା ପୂର୍ବରୁ ମେସେଜ୍ ପହଞ୍ଚିବ। ଖୁବଶୀଘ୍ର ଏହା କାର୍ଯ୍ୟକାରୀ ହେବ ବୋଲି ଶ୍ରୀ ନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର