ରକେଟ୍ ଭଳି ଫାଇଲ୍‌ କାମ ଏମିତି! ସଚିବଙ୍କ ଅଫିସରେ ପଡ଼ିଛି ପରିବହନ କମିସନରଙ୍କ ପ୍ରସ୍ତାବ

ମାଳ ମାଳ ଟ୍ରାକ୍ଟର ଓ ଟ୍ରେଲରର ପଞ୍ଜୀକରଣ ନାହିଁ, ହଜାର ହଜାର ଡ୍ରାଇଭିଂ ଲାଇସେନ୍‌ସ୍‌ ନବୀକରଣ ଅପେକ୍ଷାରେ

ଭୁବନେଶ୍ବର : ଲୋକଙ୍କୁ ତ୍ବରିତ୍‌ ସେବା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ ପଞ୍ଚମପାଳିରେ ୫’ଟି’ଠୁ ଆରମ୍ଭ କରି ମୋ ସରକାର ବ୍ୟବସ୍ଥା ଲାଗୁ କଲେ। ବର୍ତ୍ତମାନର ମୁଖ୍ୟ ଶାସନ ସଚିବ କାର୍ଯ୍ୟଭାର ଗ୍ରହଣ କଲା ଦିନ ରକେଟ୍ ଭଳି ଫାଇଲ କାମ ହେବ ବୋଲି କହିଥିଲେ। ଖାଲି ସେତିକି ନୁହେଁ, ନିଷ୍ପତ୍ତି ନେବାରେ କାଳେ ବିଳମ୍ବ ହେବ ସେଥିପାଇଁ ବିଭାଗୀୟ ମୁଖ୍ୟ ନିର୍ଦେଶାଳୟଗୁଡ଼ିକୁ ସେହି ବିଭାଗର ପ୍ରାଶାସନିକ ବିଭାଗ ସହିତ ଏକୀକରଣ କରିଦିଆଗଲା। ଏତେସବୁ ପରେ ବି ବାବୁମାନେ ପୁରୁଣା ଅଭ୍ୟାସ ଛାଡ଼ିଥିବା ଭଳି ଲାଗୁନି। ଦୀପ ତଳ ଅନ୍ଧାର ଭଳି ଖୋଦ୍‌ ପରିବହନ କମିସନର ଦେଇଥିବା ପ୍ରସ୍ତାବ ସେହି ବିଭାଗର ସଚିବଙ୍କ ଅଫିସରେ ମାସାଧିକ କାଳ ପଡ଼ିରହିଛି। ବିଳମ୍ବ ଯୋଗୁଁ କମିସନରଙ୍କ ଉଦ୍ଦେଶ୍ୟ ବି ଏବେ ଦିଗହରା ହେବାକୁ ବସିଲାଣି। ରାଜ୍ୟରେ ମାଳ ମାଳ ଟ୍ରାକ୍ଟର ପଞ୍ଜୀକରଣ ଓ ହଜାର ହଜାର ଡ୍ରାଇଭିଂ ଲାଇସେନ୍‌ସ ନବୀକରଣ ନ ହୋଇ ପଡ଼ିରହିଛି। ଗାଡ଼ି ଓ ଡ୍ରାଇଭିଂ ଲାଇସେନ୍‌ସଗୁଡ଼ିକୁ ନିୟମିତ କରିବା ପାଇଁ ଏକକାଳୀନ ଫି ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଆସିଥିଲେ ବି ସଚିବଙ୍କ ଅଫିସରୁ ଫାଇଲ ଆଗକୁ ଯାଇପାରିନି।

ରାଜ୍ୟରେ ଗତବର୍ଷ ସେପ୍ଟେମ୍ବର ପହିଲାରୁ ନୂଆ ମୋଟର ଯାନ ଆଇନ ଲାଗୁ ହେଲା। ସରକାର ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପାଗ ଭିଡିଛନ୍ତି। ହେଲେ ସରକାରଙ୍କ କଥା ଓ କାର୍ଯ୍ୟରେ କେତେ ଅନ୍ତର ତାହା ଗୋଟିଏ ଉଦାହରଣ ନେଲେ ଧରାପଡିଯିବ। ରାଜ୍ୟରେ କେତେ ସଂଖ୍ୟାରେ ବିନା ପଞ୍ଜୀକରଣ ଓ ଫିଟ୍‌ନେସ୍‌ ନଥିବା ଟ୍ରାକ୍ଟର୍‌ ଓ ଟ୍ରେଲର୍‌ ଅଛି ସେ ହିସାବ ସରକାରଙ୍କ ପାଖରେ ନାହିଁ। ସେହିପରି ଅଧିକ ଫି ଓ ଜରିମାନା ଦେବା ଭୟରେ ଅନେକ ଲୋକ ଡ୍ରାଇଭିଂ ଲାଇସେନ୍‌ସର ନବୀକରଣ କରିନାହାନ୍ତି। ନିର୍ଦ୍ଦିଷ୍ଟ ଭାବେ ସରକାରୀ ତଥ୍ୟ ନ ମିଳିଲେ ବି ଏହି ସଂଖ୍ୟା ହଜାର ହଜାର ହେବ ବୋଲି ଜଣେ ପରିବହନ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି।

ବେନାମୀ ଟ୍ରାକ୍ଟର ଓ ଟ୍ରେଲର, ଅବଧି ସରିଯାଇଥିବା ଡିଏଲଗୁଡ଼ିକୁ ନିୟମିତ କରିବା ପାଇଁ ପରିବହନ କମିସନର ନିର୍ଦ୍ଧାରିତ ଫି ଓ ଜରିମାନା ବଦଳରେ ଏକକାଳୀନ ଫି ଦାଖଲ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏ ନେଇ ଗତ ନଭେମ୍ବର ୧୮ ତାରିଖରେ ତତ୍କାଳୀନ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବଙ୍କୁ ଚିଠି ଲେଖିଥିଲେ। କିନ୍ତୁ ସେତେବେଳର ପରିବହନ ସଚିବ ଏହାକୁ ନାଲିଫିତା ତଳେ ପକାଇଦେଲେ। ଏବେ ନୂଆ ସଚିବ ମଧ୍ୟ ଏ ଫାଇଲ ଖୋଲିନଥିବା ଜଣାପଡ଼ିଛି।

ପରିବହନ କମିସନର ଚିଠିରେ ଦର୍ଶାଇଥିଲେ, ୨୦୧୯ ସେପ୍ଟେମ୍ବର ପହିଲା ପୂର୍ବରୁ ଗାଡ଼ି ବିକୁଥିବା ଡିଲର୍‌ମାନେ ଗାଡ଼ିର ପଞ୍ଜୀକରଣ ନେଇ ଦାୟୀ ରହୁନଥିଲେ। ନୂଆ ମୋଟର ଯାନ ଆଇନ ଲାଗୁ ହେବା ପୂର୍ବରୁ ବହୁ ଟ୍ରାକ୍ଟର ଓ ଟ୍ରେଲର୍‌ ବ୍ୟବସାୟୀ ବିନା ପଞ୍ଜୀକରଣରେ ଗାଡ଼ି ବିକିଥିଲେ। ଏପରିକି ସେହି ଟ୍ରାକ୍ଟରଗୁଡ଼ିକର ଫିଟ୍‌ନେସ୍‌, ବୀମା ଓ ପ୍ରଦୂଷଣ ପ୍ରମାଣ ପତ୍ର ନାହିଁ। କିନ୍ତୁ ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରଠୁ ସମ୍ପୃକ୍ତ ଟ୍ରାକ୍ଟର ଓ ଟ୍ରେଲର୍‌ ମାଲିକମାନେ ଆଉ ଏବେ ଗାଡ଼ିକୁ ବାହାର କରୁନାହାନ୍ତି। ଏପରି ଟ୍ରାକ୍ଟରଗୁଡ଼ିକୁ ନିୟମିତ କରିବା ପାଇଁ ୨୦୧୭ ନଭେମ୍ବର ୨୧ ତାରିଖରେ ଵାନ୍‌ ଟାଇମ୍‌ ସେଟଲମେଣ୍ଟ୍‌ (ଓଟିଏସ୍‌) ବ୍ୟବସ୍ଥା ଲାଗୁ କରାଯାଇଥିଲା। ଏଥିପାଇଁ ଟ୍ରାକ୍ଟର ମୂଲ୍ୟର ମାତ୍ର ୩% ଅର୍ଥ ଗାଡ଼ି ପଞ୍ଜୀକରଣ ବାବଦରେ ମାଲିକମାନଙ୍କୁ ଦେବାକୁ ନିୟମ କରାଯାଇଥିଲା। ଓଏମ୍‌ଭିଟି ଆଇନ ୧୯୭୫ ଅନୁଯାୟୀ, ପ୍ରତି ଟ୍ରାକ୍ଟର ପିଛା ବାର୍ଷିକ ମୋଟର ଯାନ ଟିକସ ବାବଦରେ ୨ ହଜାର ୭୦୦ ଟଙ୍କା ଦେବାକୁ ପଡ଼ିଥାଏ। ଓଟିଏସ ସୁବିଧା ନେବାକୁ ହେଲେ ଗାଡ଼ି ମାଲିକ ବାର୍ଷିକ ଟିକସ ସହ ପଇଠ ହୋଇନଥିବା ଟିକସ ବାବଦରେ ଦୁଇଗୁଣ ଜରିମାନା ଅର୍ଥ ଭରିବା ପାଇଁ ବ୍ୟବସ୍ଥା କରାଯାଇଛି। ଫଳରେ ମାଲିକମାନଙ୍କୁ ଟ୍ରାକ୍ଟରର ୩% ମୂଲ୍ୟ ସହ ଟିକସ ଓ ଜରିମାନା ବାବଦରେ ଅଧିକ ଅର୍ଥ ଦେବାକୁ ପଡ଼ିବ। ଅର୍ଥାତ୍‌ ୨୦୧୭ ନଭେମ୍ବର ୨୧ ପୂର୍ବରୁ ପଞ୍ଜୀକରଣ ହୋଇନଥିବା ଟ୍ରାକ୍ଟର ପଞ୍ଜୀକରଣ ପାଇଁ ଟିକସ ବାବଦରେ ୨ ହଜାର ୭୦୦ ଟଙ୍କା ସହିତ ଜରିମାନା ବାବଦରେ ୫ ହଜାର ୪୦୦ ଟଙ୍କା ଦେବାକୁ ପଡ଼ିବ। କମିସନରଙ୍କ ପ୍ରସ୍ତାବ ଅନୁଯାୟୀ ଏହାକୁ ୫ ହଜାର ଟଙ୍କାରେ ସୀମିତ ରଖାଯିବ। ଆଉ ଏହି ବ୍ୟବସ୍ଥା ୨୦୨୦ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ମାର୍ଚ୍ଚ ପରେ ପଞ୍ଜୀକରଣ ହୋଇନଥିବା ଟ୍ରାକ୍ଟର ଓ ଟ୍ରେଲରଗୁଡ଼ିକୁ ପରିବହନ ଅଧିକାରୀ ଜବତ କରି ନିଲାମ କରିଦେବେ। ହେଲେ ଏହା ଚିଠିରେ ହିଁ ରହିଛି।

ଉଲ୍ଲେଖଯୋଗ୍ୟ, ୨୦୧୬ ଡିସେମ୍ବର ୨୯ ତାରିଖ ପୂର୍ବରୁ ନବୀକରଣ ହୋଇନଥିବା ଡ୍ରାଇଭିଂ ଲାଇସେନ୍‌ସର ନବୀକରଣ ବାବଦରେ ଫିକୁ ଛାଡ଼ି ୩ ହଜାର ଟଙ୍କା ଅତିରିକ୍ତ ଜରିମାନା ଦେବାକୁ ପଡ଼ୁଛି। ମାର୍ଚ୍ଚ ୩୧ ତାରିଖ ଭିତରେ ଡିଏଲ ନବୀକରଣ ପାଇଁ ଆବେଦନ କରିଥିବା ବ୍ୟକ୍ତିଙ୍କ ପାଇଁ ଏହି ଫିକୁ ହ୍ରାସ କରି ୧ ହଜାର ଟଙ୍କା କରିବାକୁ କମିସନ ସୁପାରିସ କରିଛନ୍ତି। ଗତବର୍ଷ ସେପ୍ଟେମ୍ବରରୁ ରାଜ୍ୟରେ ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରଠୁ ୧୫ ବର୍ଷର ଅବଧି ପୂରି ଯାଇଥିବା ଅଧିକାଂଶ ଦୁଇ ଚକିଆ ଓ ଚାରି ଚକିଆ ଗାଡ଼ିର ପଞ୍ଜୀକରଣ ପ୍ରମାଣ ପତ୍ର ନବୀକରଣ ପାଇଁ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆବେଦନ କରାଯାଇଛି। ପ୍ରଚଳିତ ନିୟମ ଅନୁଯାୟୀ ଦୁଇ ଚକିଆ ଯାନ ପାଇଁ ମାସିକ ୩୦୦ ଟଙ୍କା ଓ ହାଲୁକା ଯାନ ପାଇଁ ମାସିକ ୫୦୦ ଟଙ୍କା ଦେବାର ବ୍ୟବସ୍ଥା ରହିଛି। ପ୍ରସ୍ତାବ ଅନୁଯାୟୀ ମାର୍ଚ୍ଚ ୩୧ ତାରିଖ ଭିତରେ ଦୁଇ ଚକିଆ ପାଇଁ ଅତିରିକ୍ତ ଫି ବାବଦରେ ୫୦୦ ଟଙ୍କା ଓ ହାଲୁକା ଯାନ ବାବଦରେ ମୋଟ ୧ ହଜାର ୫୦୦ ଟଙ୍କା ଧାର୍ଯ୍ୟ କରାଯିବ।

ସମ୍ବନ୍ଧିତ ଖବର