ରାଜସ୍ବ ପ୍ରଶାସନ, ଜମି ପରିଚାଳନା କ୍ଷେତ୍ରରେ ୫-ଟି ପ୍ରୟୋଗ : ଜମି କିସମ ଓ ସତ୍ତ୍ବର ସୁବ୍ୟବସ୍ଥାକରଣ ପାଇଁ ପଦକ୍ଷେପ

କଟକ : ରାଜ୍ୟ ସରକାରଙ୍କ ପକ୍ଷରୁ ୫-ଟି ପ୍ରଚଳନ ଆରମ୍ଭ ହେବା ଦିନଠୁ ରାଜସ୍ବ ପ୍ରଶାସନ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆସିଛି। ଯାହାଫଳରେ ଜମି ସ୍ବତ୍ତ୍ବାଧିକାରୀମାନଙ୍କ ପାଇଁ ଏବେ ସବୁକିଛି ସୁବିଧାଜନକ ଓ ସୁବ୍ୟବସ୍ଥିତ ହୋଇପାରିଛି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବ˚ ବୋର୍ଡ ଅଫ ରେଭିନ୍ୟୁ ମିଳିତ ଭାବେ ସେମାନଙ୍କ ପଟ୍ଟା (ଆର‌୍‌ଓଆର‌୍‌) ର କିସମ ଓ ସତ୍ତ୍ବର ରେକର୍ଡରେ ସରଳୀକରଣ କରୁଛନ୍ତି। ଏହାକୁ ବ୍ୟବସ୍ଥିତ କରିବା ପାଇଁ ନ୍ୟାୟଯୁକ୍ତ ଓ ଏକା ଜମିକୁ ସମାନ ଦେୟ ନିର୍ଧାରଣ କରିବା ଦିଗରେ ଏହା ବୈପ୍ଳବିକ ପରିବର୍ତ୍ତନ ଆଣିଥିବା କୁହାଯାଉଛି।

ଡିଜିଟାଇଜେସନ୍‌ ହେବା ପରେ ମଧ୍ୟ ବୋର୍ଡ ଅଫ ରେଭିନ୍ୟୁ ଦ୍ବାରା ୧୯୯୨ ଓ ୧୯୭୫ ମସିହାରେ ପ୍ରଚଳନ କରାଯାଇଥିବା ‘କିସମ ନିୟମାବଳୀ’ ଏବ˚ ‘ରୟାତି ଜମି ରେକର୍ଡ କରିବା ପ୍ରଣାଳୀ ଓ ସତ୍ତ୍ବ ନିୟମାବଳୀରେ ପଟ୍ଟା କ୍ଷେତ୍ରରେ ଏବେ ବି ୭୭୯୭ ପ୍ରକାରର କିସମ ଓ ୭୫୦ ପ୍ରକାରର ସତ୍ତ୍ବ ରହିଥିବା ଜଣାପଡ଼ିଛି। ଜମିର ସମାନ କିସମ ଥିଲେ ବି ବିଭିନ୍ନ ଭାଷାଗୁଡ଼ିକରେ ଅଲଗାଅଲଗା ନାମ ଓ ଉଚ୍ଚାରଣ ରହିଥିବାରୁ ଏପରି ହେଉଥିବା କୁହାଯାଇଛି। ୭୭୯୭ କିସମ ମଧ୍ୟରୁ ୧୫୧ଟି ଜଙ୍ଗଲ କିସମ ରହିଛି। ଏହାବାଦ୍‌ ୧୩୦୮ ପ୍ରକାରର କିସମ ସରକାରୀ ଜମି ଅର୍ଥାତ ଗୋଚର, ସମୁଦ୍ର, ପାହାଡ଼ ଇତ୍ୟାଦି ନାମରେ ଅଛି। ବଳକା ୬୩୩୮ କିସମଗୁଡ଼ିକୁ ୧୨ଟି କିସମରେ ବିଭକ୍ତ କରି ଦିଆଯାଇଛି। ତେଣୁ ସମସ୍ତଙ୍କ ଜାଣିବା ଓ ବୁଝିବା ପାଇଁ ଏସବୁକୁ ଗୋଟିଏ ନାମ ପରିସରକୁ ଆଣିବା ଏବ˚ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଜମିର ଭିନ୍ନଭିନ୍ନ କିସମ ପାଇଁ ଏକାପ୍ରକାର ଦେୟ ନିର୍ଧାରଣ କରିବା ଆବଶ୍ୟକ ହୋଇପଡ଼ିଛି।

ପରିବର୍ତ୍ତିତ ସମୟରେ ଜମି ରେକର୍ଡର ଡିଜିଟାଇଜେସନ୍‌ କରିବା, କିସମ ନିର୍ଧାରଣ କରିବା ଅପରିହାର୍ଯ୍ୟ ହୋଇପଡ଼ିଛି। ଏଥିପାଇଁ ଅନାବାଦି ଜମିଗୁଡ଼ିକୁ ବିଭିନ୍ନ ଭାଗରେ ବିଭକ୍ତ କରିଦିଆଯାଇଛି। ଦ୍ବିତୀୟ ପର୍ଯ୍ୟାୟରେ ସରକାରୀ ଜମିର କିସମଗୁଡ଼ିକୁ ୪ଟି ଖାତା ଆବାଦ ଯୋଗ୍ୟ ଅନାବାଦି, ଆବାଦ ଅଯୋଗ୍ୟ ଅନାବାଦି, ରକ୍ଷିତ, ସର୍ବସାଧାରଣରେ ରେକର୍ଡ କରାଯାଇଛି। ସେହିଭଳି ସ୍ବତ୍ତ୍ବ ହେଉଛି ଜମି ମାଲିକଙ୍କ ଅଧିକାର ଏବ˚ ଏହାକୁ ପଟ୍ଟାର ପ୍ରସ୍ତୁତି ସମୟରେ ରେକର୍ଡ କରାଯିବ। ଓଡ଼ିଶା ଲ୍ୟାଣ୍ତ ରିଫର୍ମ ଆକ୍ଟ ୧୯୬୦ ଓ ଓଡ଼ିଶା ଇଷ୍ଟେଟ ଆବୋଲିସନ ଆକ୍ଟ ୧୯୫୮ର କାର୍ଯ୍ୟକାରିତା ପରେ ମଧ୍ୟ ଏବେବି ୭୫୦ ପ୍ରକାରର ସ୍ବତ୍ତ୍ବ ରହିଛି। ତେଣୁ ଏସବୁକୁ ୫ଟି ସ୍ବତ୍ତ୍ବରେ ବିଭକ୍ତ କରିଦିଆଯାଇଛି। ରାଇୟତି ବା ସ୍ଥିତାବାନ, ପଟ୍ଟାଦାର, ଅମୃତମଣୋହି, ଦେବୋତ୍ତର, ପିରୋତ୍ତର ଇତ୍ୟାଦି ସହିତ ସରକାରୀ ସ୍ବତ୍ତ୍ବକୁ ଏଥିରେ ଯୋଗ କରାଯାଇଛି।

ତେଣୁ ଏହି ସ୍ବତ୍ତ୍ବ ଓ କିସମଗୁଡ଼ିକୁ ସୁବ୍ୟବସ୍ଥିତ କରିବା ପାଇଁ ବୋର୍ଡ ଅଫ ରେଭିନ୍ୟୁ ପକ୍ଷରୁ ଏକ ପ୍ରସ୍ତାବ ସରକାରଙ୍କୁ ଦିଆଯାଇଛି। ଏଥିପାଇଁ ମୁଖ୍ୟ ସଚିବଙ୍କସ୍ତରରେ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ସମସ୍ତ ଅ˚ଶୀଦାରମାନଙ୍କଠୁ ମତାମତ ଓ ପରାମର୍ଶ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଥିଲା। ଆର‌୍‌ଡିସି ସ୍ତରୀୟ କର୍ମଶାଳାରେ ଏହା ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିବା ବୋର୍ଡ ଅଫ୍‌ ରେଭିନ୍ୟୁ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର