ସୁନ୍ଦରଗଡ଼: ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ୨ ଦିନିଆ ସୁନ୍ଦରଗଡ଼ ଗସ୍ତରେ ଆସିଛନ୍ତି। ବିଜୁ ଜନତା ଦଳରେ ଯୋଗ ଦେବା ପରେ ସୁନ୍ଦରଗଡ଼କୁ ଏହା ତାଙ୍କର ପ୍ରଥମ ଗସ୍ତ ଥିବାବେଳେ ପ୍ରଥମ ଦିନ ଅପରାହ୍ନରେ ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ର କିରେଇ ଓ ତଳସରା ବିଧାନସଭା କ୍ଷେତ୍ର ବାଲିଶଙ୍କରାରେ ଆୟୋଜିତ ବିଶାଳ ସମାବେଶରେ ଯୋଗ ଦେଇ ନବୀନ ସରକାରଙ୍କ ବିବିଧ ଯୋଜନା ଓ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦିତ ୫୫୦ କୋଟି ଟଙ୍କାର ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇଥିଲେ। ସେଥିମଧ୍ୟରୁ ସୁନ୍ଦରଗଡ଼ ବିଧାନସଭାକୁ ୩୫୦ କୋଟି ଓ ତଳସରା ବିଧାନସଭାକୁ ୨ ଶହ କୋଟି ଥିବା ସେ ପ୍ରକାଶ କରିଥିଲେ।

Advertisment

ଅପରାହ୍ନ ୨ଟା ୨୫ରେ ହେଲିକାପ୍ଟର ଯୋଗେ ସୁନ୍ଦରଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀର କିରେଇରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡ୍ରେ ଓହ୍ଲାଇ ସେଠାରୁ କିରେଇ ଇଞ୍ଜିନିୟରିଂ କଲେଜ ଖେଳପଡ଼ିଆରେ ଆୟୋଜିତ ସମାବେଶରେ ଯୋଗ ଦେଇଥିଲେ। ସଭାମଞ୍ଚଙ୍କୁ ଯିବା ପୂର୍ବରୁ ଶ୍ରୀ ପାଣ୍ଡିଆନ ଲୋକଙ୍କ ଭିଡ଼ରେ ପଶି ବେଶ କିଛି ସମୟ ଅଭିଯୋଗ ଓ ଦାବିପତ୍ର ଗ୍ରହଣ କରିଥିଲେ। ପରେ ମଞ୍ଚକୁ ଉଠି ସମବେତ ଲୋକଙ୍କ ଉଦ୍ଦେଶ୍ୟରେ ଜୟଗନ୍ନାଥ କହିବା ସହ ସମ୍ବଲପୁରୀ ଭାଷାରେ କେନ୍ତା ଅଛନ ବୋଲି ପଚାରିଥିଲେ। ଯାହା ଲୋକଙ୍କୁ ଆମୋଦିତ କରିଥିଲା। ଏହି ଅବସରରେ ‌ଶ୍ରୀ ପାଣ୍ଡିଆନ୍‌ ସୁନ୍ଦରଗଡ଼ ବିଧାନସଭାକୁ ୩୫୦ କୋଟିର ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବା ପ୍ରକାଶ କରିଥିଲେ। ସେ କହିଥିଲେ, ‘ଗତବର୍ଷ ମାର୍ଚ୍ଚ ୧୨ରେ ସୁନ୍ଦରଗଡ଼ ଆସିଥିବାବେଳେ ୧୬୦ଟି ସମସ୍ୟା ଓ ଅଭିଯୋଗପତ୍ର ପାଇଥିଲେ। ୮ ମାସ ମଧ୍ୟରେ ସେଥିମଧ୍ୟରୁ ୧୪୦ଟି ଅଭିଯୋଗ ଓ ସମସ୍ୟାର ସମାଧାନ ହୋଇଯାଇଛି।

publive-image

ହେମଗିରି ହାଇସ୍କୁଲରେ ଚଳିତ ବର୍ଷଠାରୁ ଯୁକ୍ତ ୨ ବାଣିଜ୍ୟ ଓ ବିଜ୍ଞାନ ପାଠ୍ୟକ୍ରମ ଖୋଲିବା, ଇବ ନଦୀ ଭଷ୍ମାଠାରେ ୨୬୦ କୋଟିର ବ୍ୟାରେଜ, ଅଘରିଆ ଭବନକୁ ୧ କୋଟି ସମଲେଶ୍ବରୀ ମନ୍ଦିରର ଉନ୍ନତି ପାଇଁ ୧.୪୦ କୋଟି, କିରେଇ ନଗରବନକୁ ୩‌ କୋଟି, ହେମଗିରି ଭେଷଜ ପଟେଲ ମହାବିଦ୍ୟାଳୟ ରୂପାନ୍ତରୀକରଣ ପାଇଁ ଅର୍ଥ ମଞ୍ଜୁର କରାଯାଇଥିବା ସେ ପ୍ରକାଶ କରିଥିଲେ। ଆଜି ମଧ୍ୟ ବହୁ ସଂଖ୍ୟାରେ ଦରଖାସ୍ତ ଆସିଛି। ବିଶେଷ କରି ମନ୍ଦିର, ମସଜିଦ୍‌, ଚର୍ଚ୍ଚ, ଗୋଷ୍ଠୀ କେନ୍ଦ୍ର ଉନ୍ନତିକରଣ ପାଇଁ ଆସିଥିବା ପ୍ରସ୍ତାବର ଭଲ ଖବର ମୁଖ୍ୟମନ୍ତ୍ରୀ ୧୦ ଦିନ ମଧ୍ୟରେ ଦେବେ ଓ ଅନ୍ୟ ଦରଖାସ୍ତଗୁଡ଼ିକ ସମ୍ପର୍କରେ ଗୋଟିଏ ମାସ ମଧ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ସମ୍ପୃକ୍ତ ବ୍ୟକ୍ତି ବା ସଂସ୍ଥାକୁ ନିଶ୍ଚୟ ଉତ୍ତର ମିଳିଯିବ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ। ୨ ମାସ ମଧ୍ୟରେ ଜିଲ୍ଲାର ପ୍ରତି ପଞ୍ଚାୟତରେ ବ୍ୟାଙ୍କ ବ୍ୟବସ୍ଥା କରାଯିବାକୁ ସ୍ଥିର ହୋଇଥିବାବେଳେ ଆସନ୍ତା ଫେବ୍ରୁଆରିରୁ ସୁନ୍ଦରଗଡ଼ରେ ଲକ୍ଷ୍ମୀ ବସ ଗଡ଼ିବ, ଯାହା ମହିଳା ଓ ଛାତ୍ରଛାତ୍ରୀଙ୍କ ପାଇଁ ସୁବିଧା ହେବ ବୋଲି ସେ କହିଥିଲେ।

ଏହିକ୍ରମରେ ସେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡର ନୂଆ ସଂସ୍କରଣ ନବୀନ କାର୍ଡ କଥା ଉଲ୍ଲେଖ କରି ଏଥିରେ ମହିଳାଙ୍କୁ ପ୍ରତିବର୍ଷ ୧୦ ଲକ୍ଷ ଓ ପୁରୁଷଙ୍କୁ ୫ ଲକ୍ଷର ସ୍ବାସ୍ଥ୍ୟ ସେବା ମିଳିବ ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ଼କୁ ବହୁତ ଭଲ ପାଉଥିବା ପ୍ରକାଶ କରିବା ସହ ରାଉରକେଲାଠାରେ ନିର୍ମିତ ବିଶ୍ବସ୍ତରୀୟ ହକି ଷ୍ଟାଡ଼ିୟମ ଓ ହକି ବିଶ୍ବକପ୍‌ ଆୟୋଜନର ଉଦାହରଣ ରଖିଥିଲେ। ଏହା ସୁନ୍ଦରଗଡ଼କୁ ବିଶ୍ୱ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ଦେଇଛି ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ। ଅପରାହ୍ନ ୪ଟାରେ ହେଲିକାପ୍ଟର ଯୋଗେ ତଳସରା ବିଧାନସଭା ବାଲିଶଙ୍କରା ରାଜବଙ୍ଗଳା ପଡ଼ିଆରେ ଓହ୍ଲାଇ ସେଠାରେ ଆୟୋଜିତ ସମାବେଶରେ ଯୋଗ ଦେଇଥିଲ। ପରେ ୫ଟାରେ ସୁନ୍ଦରଗଡ଼ ରିଜର୍ଭ ପଡ଼ିଆରେ ଓହ୍ଲାଇ ପ୍ରଦକ୍ଷଣ ଗୃହରେ ରାତ୍ରିଯାପନ କରିଛନ୍ତି। ୪ ତାରିଖ ୧୦ଟା ୩୫ରେ ସୁନ୍ଦରଗଡ଼ ସମଲେଶ୍ବରୀଙ୍କ ଦର୍ଶନ ସାରି ହେଲିକାପ୍ଟରରେ ରାଜଗାଙ୍ଗପୁର, ନୂଆଗାଁ, ବଣାଇ ଯିବାର କାର୍ଯ୍ୟକ୍ରମ ରହିଛି।