ଖୋର୍ଦ୍ଧା: ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ୫-ଟି ଅଧୀନକୁ ଆସି ଏହା ମଧ୍ୟରେ ପ୍ରାୟ ୩ ବର୍ଷ ହୋଇଗଲା। ବିଭାଗୀୟ ବ୍ୟବସ୍ଥାକୁ ଅଧିକ ଲୋକାଭିମୁଖି, ସ୍ବଚ୍ଛ ଓ କ୍ରିୟାଶୀଳ କରିବାକୁ ଅଧିକାରୀ ଓ କର୍ମଚାରୀଙ୍କୁ ରାଜସ୍ବ ପାଠଶାଳା ଅନ୍‌ଲାଇନ୍‌ରେ ପଢ଼ାଗଲା। ଅଧିକ ସ୍ବଚ୍ଛତା ପାଇଁ ମ୍ୟୁଟେସେନ୍‌, ଜମି କିସମ ପରିବର୍ତନ ଆଦି ଅନ୍‌ଲାଇନ କରାଗଲା। ତହସିଲକାର୍ଯ୍ୟାଳୟଗୁଡ଼ିକ କାନ୍ଥରେ ୫ଟି ଗାଇଡ୍‌ଲାଇନ୍‌କୁ ଲେଖାଗଲା, କିନ୍ତୁ ବାସ୍ତବ‌ରେ ଏହି ସବୁ ସଂସ୍କାରର ଫଳ ରାଜସ୍ବ ବିଭାଗ ବିଶେଷତଃ ରାଜ୍ୟ ରାଜଧାନୀର ଜିଲ୍ଲା ଖୋର୍ଦ୍ଧା ଉପରେ ପଡ଼ିନାହିଁ।

Advertisment

ବିବାଦହୀନ ମ୍ୟୁଟେସନ୍‌ ମାମଲା ୯୦ ଦିନ ମଧ୍ୟରେ ସମାଧାନ ସହ ତହସିଲଦାର ସ୍ପିଡ୍‌ ପୋଷ୍ଟ ମାଧ୍ୟମରେ ହିତାଧିକାରୀ ବା ଆବେଦନକାରୀଙ୍କୁ ଆର୍‌ଓଆର୍‌ ପଠାଇବାର ନିର୍ଦ୍ଦେଶ ରହିଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହେଉନଥିଲା।  ତହସିଲ କାର୍ଯ୍ୟାଳୟ‌ ଗୁଡ଼ିକରେ ମ୍ୟୁଟେସନ୍‌ ମାମଲାର ଫୈସଲାରେ ବ୍ୟାପକ ଜାଲିଆତି, ଦୁର୍ନୀତି ଓ ବିଳମ୍ବ ସମ୍ପର୍କରେ ଅଭିଯୋଗର ଫର୍ଦ୍ଦ ବଢ଼ିଚାଲିଥିଲା। ଫଳରେ, ୨୦୨୦ ମଇ ମାସର ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ, ଜୁନ୍‌ ୧୧ (ଚିଠି ନଂ ୧୯୫୦୭)ରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଜିଲ୍ଲାପାଳଙ୍କୁ ଚିଠି ଲେଖି ଏନେଇ ଏକ ଗାଇଡ୍‌ଲାଇନ୍‌ ଜାରି କରିଥିଲେ। ଏହା ସହ ଯଦି ସମସ୍ତ ସଦସ୍ୟ ମ୍ୟୁଟେସନ୍‌ପାଇଁ ରାଜି ହୋଇଥିବେ ତେବେ କୌଣସି ନୋଟିସ୍‌ ପଠାଇବା ଆବଶ୍ୟକ ନାହିଁ। ପୂର୍ବେ ଥିବା ବିବାଦହୀନ ମ୍ୟୁଟେସନ୍‌ର ଅବଧିକୁ ୭ ଦିନକୁ ହ୍ରାସ କଲେ। ‌ଏହା ସହ ସ୍ବଚ୍ଛତା ଓ ତ୍ବରିତ ଫୈସଲା ପାଇଁ ଅନ୍‌ଲାଇନ୍‌ ଆବେଦନକୁ ଅଧିକ ଗୁରୁତ୍ବ ଦିଆଗଲା। ଏହା ସ‌ତ୍ବେ ତହସିଲକାର୍ଯ୍ୟାଳୟରେ ମ୍ୟୁ‌ଟେସନ୍‌ ମାମଲାର ବିଚାର ବ୍ୟବସ୍ଥା ଯଥାପୂର୍ବ ତଥା ପର ହୋଇ ରହିଛି।

୨୦୨୦ ଅଗଷ୍ଟ ମାସରେ ୨୨,୦୩୫ଟି ମ୍ୟୁଟେସନ୍‌ ମାମଲା ବିଭିନ୍ନ ତହସିଲକାର୍ଯ୍ୟାଳୟରେ ପଡ଼ିରହିଥିଲା। ୨୦୨୧ ଅଗଷ୍ଟରେ ଏହି ସଂଖ୍ୟା ୧୯,୯୪୮, ୨୦୨୨ରେ ୧୧,୭୩୦ ଓ ୨୦୨୩ ଅଗଷ୍ଟରେ ୧୨,୬୬୧ଟି ମାମଲା ପଡ଼ିରହିଛି। ସଂଖ୍ୟା ଦୃଷ୍ଟିରୁ ପ୍ରତିବର୍ଷ ବିଚାରାଧୀନ ମ୍ୟୁଟେସନ ମାମଲା ହ୍ରାସ ପାଇବା ଭଳି ଲାଗୁଥିଲେ ମଧ୍ୟ ଦାଖଲ ହେଉଥିବା ମାମଲା ଓ ଫୈସଲା ସଂଖ୍ୟା ମଧ୍ୟରେ ତୁଳନା କଲେ ଏହି ସଂଖ୍ୟାର କୌଣସି ପରିବର୍ତନ ହୋଇନାହିଁ। ପ୍ରମାଣସ୍ବରୂପ, ୨୦୨୦ ଅଗଷ୍ଟରେ ୨୫୫୨ଟି ମାମଲା ଦାଖଲ ହୋଇଥିବା ବେଳେ ୩୧୪୫ଟିର ଫୈସଲା ହୋଇଥିଲା। ୨୦୨୨ ଅଗଷ୍ଟରେ ୬୩୨୪ଟି ଦାଖଲ ହେବା ବେଳେ ୬୨୦୬ ଟି ଫୈସଲା ହୋଇଥିଲା। ୨୦୨୩ ଅଗଷ୍ଟ ମାସରେ ୭୪୪୫ ମ୍ୟୁଟେସନ ମାମଲା ଦାଖଲ ହୋଇଥିବା ବେଳେ ୬୭୧୯ଟିର ଫୈସଲା ହୋଇଥିଲା।

୨୦୨୩ ଅଗଷ୍ଟ ମାସରେ ଖୋର୍ଦ୍ଧା ଜିଲ୍ଲାରେ ମୋଟ ୧୨୬୬୧ଟି ମ୍ୟୁଟେସନ୍‌ ମାମଲା ବିଚାର ପାଇଁ ରହିଥିଲା। ଏହି ସମୟରେ ସମଗ୍ର ରାଜ୍ୟରେ ମୋଟ ୧ଲକ୍ଷ ୨୬୧୫୩ଟି ଦାଖଲ ହୋଇଥିଲା। ଅର୍ଥାତ୍‌ ‌ରାଜ୍ୟର ମୋଟ ମ୍ୟୁଟେସନ୍‌ ମାମଲାର ଖୋର୍ଦ୍ଧା ଜିଲ୍ଲାର ସଂଖ୍ୟା ପ୍ରାୟ ୧୦ ପ୍ରତିଶତ। ମାସ ଶେଷ ବେଳକୁ ଏହା ମଧ୍ୟରୁ ୬୭୧୯ଟି ମାମଲାର ଫୈସଲା କରାଯାଇଥିବା ବେଳେ ୫୯୪୨ଟି ମାମଲାର ଫୈସଲା ପୁଣି ପରବର୍ତୀ ମାସକୁ ଘୁଞ୍ଚିଯାଇଥିଲା। ଜୁଲାଇ ମାସରେ ୫୨୦୭ଟି ଫୈସଲା ନହୋଇ ପଡ଼ରହିଥିବା ବେଳେ ପୁଣି ଅଗଷ୍ଟ ମାସରେ ଏହି ସଂଖ୍ୟା ୫୯୪୨କୁ ବୃଦ୍ଧି ପାଇଥିଲା। ଯଦି ତହସିଲୱାରି ପଡ଼ିରହିଥିବା ମ୍ୟୁଟେସନ୍‌ ମାମଲାର ସଂଖ୍ୟାକୁ ବିଚାରକୁ ନିଆଯାଏ ତେବେ ଅଗଷ୍ଟ ମାସ ଶେଷ ସୁଦ୍ଧା ଭୁବନେଶ୍ବର ସର୍ବାଧିକ ୨୬୫୭ଟି, ଜଟଣୀ ୮୪୮, ଟାଙ୍ଗୀ ୬୦୬, ବାଲିଅନ୍ତା ୫୯୬ଟିରେ ପ୍ରଥମ ୪ଟି ସ୍ଥାନରେ ରହିଥିବା ବେଳେ ବାଣପୁର ତହସିଲରେ ୧୦୪ଟି, ଖୋର୍ଦ୍ଧାରେ ୪୦୨, ବେଗୁନିଆରେ ୧୭୭, ବୋଲଗଡ଼ରେ ୯୯, ବାଲିପାଟଣାରେ ୧୭୬ ଓ ଚିଲିକାରେ ୨୭୭ଟି ମାମଲା ପଡ଼ିରହିଛି।

ସେହିଭଳି ଚାଷ ଜମିର କିସମ ପରିବର୍ତନ ପାଇଁ ଓଏଲ୍‌ଆର୍‌୮(କ)ର ଆବେଦନ ମଧ୍ୟ ଅନୁରୂପ ଭାବେ ଠିକଣା ସମୟରେ ଫୈସଲା କରାନଯାଇ ପଡ଼ିରହୁଛି। ରାଜସ୍ବ ବିଭାଗରୁ ମିଳିଥିବା ତଥ୍ୟାନୁସାରେ, ଜୁଲାଇ ମାସ ଶେଷ ବେଳକୁ ୩୨୭୯ଟି ମାମଲା ବିଚାର ନହୋଇ ପଡ଼ରହିଥିଲା। ଅଗଷ୍ଟ ମାସରେ ୧୭୫୮ଟି ଆବେଦନ ଦାଖଲ ହୋଇଥିଲା। ଏହା ମଧ୍ୟରୁ ୧୬୦୨ଟି ମାମଲାର ଫୈସଲା କରାଯାଇଥିବା ବେଳେ ୩୪୩୫ଟି ମାମଲା ପୁଣି ପରବର୍ତୀ, ଅର୍ଥାତ୍‌ ସେପ୍ଟମ୍ବର ମାସକୁ ଘୁଞ୍ଚିଯାଇଛି।