୫-ଟି ହାଇସ୍କୁଲ ରୂପାନ୍ତରୀକରଣର ସଫଳତା: ଅଭିଭାବକଙ୍କୁ ବୁଝାଇବେ ଶିକ୍ଷକ

ଗଣଶିକ୍ଷା ବିଭାଗ ଡାକିଲା ସ୍ବତନ୍ତ୍ର ପିଟିଏମ୍‌, ୧୦ ତାରିଖରେ ସାରା ରାଜ୍ୟରେ ହେବ ବୈଠକ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ଅଧୀନରେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟ(ହାଇସ୍କୁଲ)ରେ ଜାରି ରହିଥିବା ସ୍କୁଲ ରୂପାନ୍ତରୀକରଣକୁ ତ୍ବରାନ୍ବିତ କରିବାକୁ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ରୂପାନ୍ତରୀକରଣ ସମ୍ପର୍କରେ ଅଭିଭାବକଙ୍କୁ ଅବଗତ କରିବାକୁ ଆସନ୍ତା ୧୦ ତାରିଖ ତଥା ଶନିବାର ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ-ଶିକ୍ଷକ ବୈଠକ(ପିଟିଏମ୍‌) ଅନୁଷ୍ଠିତ ହେବ। ବୈଠକରେ ବିଭିନ୍ନ ବିଷୟରେ ଆଲୋଚନା କରାଯିବ। ଶିକ୍ଷକମାନେ ୫-ଟି ସ୍କୁଲ ରୂପାନ୍ତରଣ ସମ୍ପର୍କ‌ରେ ଅଭିଭାବକଙ୍କୁ ଅବଗତ କରାଇବେ। ରୂପାନ୍ତରୀକରଣ କାର୍ଯ୍ୟକ୍ରମର ବିଭିନ୍ନ ବିଷୟବସ୍ତୁ ଯଥା ଏକାଡେମିକ୍‌, ଭିତ୍ତିଭୂମି ବିକାଶ, ସ୍ମାର୍ଟ ବୋର୍ଡରେ କ୍ଲାସରୁମ୍‌ ଶିକ୍ଷା, ଇ-ଲାଇବ୍ରେରି, ସାଇନ୍ସ ଲାବରୋଟାରି, ପାନୀୟ ଜଳ, ସ୍ବଚ୍ଛତା ଆଦି ଏଥିରେ ସ୍ଥାନିତ କରାଯିବ। ଏହି କାର୍ଯ୍ୟକ୍ରମରେ ସ୍କୁଲ ପରିଚାଳନା କମିଟିର ସଦସ୍ୟ, ଅଭିଭାବକ, ପଞ୍ଚାୟତ ପ୍ରତିନିଧି, ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଅଂଶୀଦାର ବିଷୟରେ ଆଲୋଚନା ହେବ। ସ୍କୁଲ ରୂପାନ୍ତରୀକରଣ ସମ୍ପର୍କରେ ଅଭିଭାବକଙ୍କ ମତାମତ ଗ୍ରହଣ କରାଯିବା ସହ ତାହା କିଭଳି ସଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରିବ, ସେ ଦିଗରେ ପ୍ରଧାନଶିକ୍ଷକମାନେ ଗୁରୁତ୍ବ ଦେବେ।

ରୂପାନ୍ତରୀକରଣ ହୋଇଥିବା ହାଇସ୍କୁଲଗୁଡ଼ିକରେ ସ୍ମାର୍ଟ ବୋର୍ଡ, ଇ-ଲାଇବ୍ରେରି ପରିଚାଳନା, ଲାବରୋଟାରି ଆଦି ବିଷୟରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପର୍ଯ୍ୟାୟକ୍ରମେ ତାଲିମ୍‌ ଦିଆଯାଉଛି। ସେ ସମ୍ପର୍କରେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ଅବଗତ କରିବା ଲାଗି ପିଟିଏମ୍‌ର ବ୍ୟବସ୍ଥା ହୋଇଛି। ଦୁଇ ଘଣ୍ଟା ଧରି ଏହି ବୈଠକ ଚାଲିବ। ନିୟମିତ କ୍ଲାସ ଯେପରି ପ୍ରଭାବିତ ନ ହୁଏ, ସେଥିପ୍ରତି ପ୍ରଧାନଶିକ୍ଷକ/ଶିକ୍ଷୟିତ୍ରୀ ଦୃଷ୍ଟି ଦେବେ। ‘ମୋ ସ୍କୁଲ ଅଭିଯାନ’ ପକ୍ଷରୁ ଇତି ମଧ୍ୟରେ ସ୍କୁଲ ପ୍ରଧାନଶିକ୍ଷକଙ୍କୁ ‘ହାଇସ୍କୁଲ ୫-ଟି ହ୍ୟାଣ୍ଡବୁକ୍‌’ ପ୍ରଦାନ କରାଯାଇଛି। ଅଭିଭାବକଙ୍କୁ ସଚେତନ କରିବା ଲାଗି ସେମାନେ ଏହାକୁ ବ୍ୟବହାର କରିବେ। ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ(ଡିପିସି)ମାନେ ଜିଲ୍ଲା ଓ ବ୍ଲକସ୍ତରରେ ବୈଠକର ତଦାରଖ କରିବେ। ଡିଆଇଇଟି ଅଧ୍ୟକ୍ଷ, ବରିଷ୍ଠ ଶିକ୍ଷକ, ସମସ୍ତ ଜିଲ୍ଲା/ବ୍ଳକସ୍ତରୀୟ ଅଧିକାରୀ ଓ ସିଆରସିସିଙ୍କୁ ନେଇ ମନିଟରିଂ ଟିମ୍‌ ଗଠନ କରିବେ। ହାଇସ୍କୁଲଗୁଡ଼ିକରେ ପିଟିଏମ୍‌ ଠିକ୍‌ ଭାବେ ହେଉଛି କି ନାହିଁ ସେମାନେ ଯାଞ୍ଚ କରି ରିପୋର୍ଟ ଦେବେ। ବ୍ଲକ ଅନୁଯାୟୀ ସମସ୍ତ ପିଟିଏମ୍‌ର ତଥ୍ୟକୁ ଜିଲ୍ଲାସ୍ତରରେ ଏକାଠି କରି ତାହାକୁ ପିଟିଏମ୍‌ ସରିବାର ଦୁଇ ଦିନ ମଧ୍ୟରେ ଓସେପା କାର୍ଯ୍ୟାଳୟକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର