ଶେରଗଡ଼ : ଶାସନରେ ସ୍ବଚ୍ଛତା ଏବଂ ସରକାରୀ ପଦାଧିକାରୀ ଓ କର୍ମଚାରୀମାନେ ଜନସାଧାରଣଙ୍କୁ ଉତ୍ତମମାନର ସେବା ଯୋଗାଇବା ଲକ୍ଷ୍ୟରେ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ସରକାର ୫-ଟି ଅଧୀନରେ ସାମିଲ କରିଛନ୍ତି। ସମସ୍ତ ଅଧିକାରୀ ବି ୫-ଟି ପରିସରଭୁକ୍ତ ହୋଇଛନ୍ତି। କିନ୍ତୁ କ୍ଷୋଭର ବିଷୟ ହେଉଛି, ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ୫-ଟି ନିୟମକୁ ଅଧିକାରୀମାନେ ଯେମିତି ବାଏଁ ବାଏଁ କରି ଉଡ଼ାଇଦେଉଛନ୍ତି। କୃଷି ଓ ଉଦ୍ୟାନ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ଅବ୍ୟବସ୍ଥାକୁ ଦେଖିଲେ ସ୍ପଷ୍ଟ ହୋଇପାରିବ।
ବ୍ଲକ୍ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟକୁ ବିଚାରରେ ନେଲେ, ଅଧିକାଂଶ ସମୟରେ ଏହି କାର୍ଯ୍ୟାଳୟରେ ଅଧିକାରୀମାନେ ଅନୁପସ୍ଥିତ ରହୁଛନ୍ତି। ଫଳରେ ଚାଷୀମାନେ ବିଭିନ୍ନ କାର୍ଯ୍ୟରେ ଅଫିସ୍ ଯାଇ ନିରାଶ ହୋଇ ଫେରୁଛନ୍ତି। କାର୍ଯ୍ୟାଳୟ କାନ୍ଥରେ ସରକାରୀ ଯୋଜନା ପ୍ରଚାର ପରିବର୍ତ୍ତେ ଘରୋଇ ବ୍ୟାବସାୟିକ ପ୍ରତିଷ୍ଠାନର ବିଜ୍ଞାପନ ପ୍ରଚାରପତ୍ର ଲାଗିଥିବା ଦେଖିବାକୁ ମିଳିଛି।
ବର୍ତ୍ତମାନ ବ୍ଲକ୍ କୃଷି ଅଧିକାରୀ ପଦବି ଖାଲି ପଡ଼ିଥିବା ବେଳେ ସହକାରୀ କୃଷି ଅଧିକାରୀ ଦିନ ୧୨ଟା ଆଗରୁ କେବେ ମଧ୍ୟ ଅଫିସ୍ ଆସୁନାହାନ୍ତି। ଉପରୋକ୍ତ ଫଟୋ ହେଉଛି କୃଷି ବିଭାଗ ଅଫିସ୍ର। ଗତକାଲି ସକାଳ ୧୧ଟା ୧୫ରେ ଆମେ ଅଫିସ୍ରେ ପହଞ୍ଚିବା ବେଳକୁ ଅଧିକାରୀଙ୍କ ଦେଖା ମିଳି ନଥିଲା। ଏହି ଚିତ୍ର କେବଳ ଗତକାଲିର ନୁହେଁ, ପ୍ରତିଦିନ ଅଫିସ୍ କେବଳ ନାମକୁ ମାତ୍ର ଖୋଲାଯାଉଛି। କିନ୍ତୁ ଅଧିକାରୀଙ୍କ ଦର୍ଶନ ମିଳୁନି।
ସେହିପରି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଉଦ୍ୟାନ ବିଭାଗର କାର୍ଯ୍ୟାଳୟ ଯେମିତି ଶେରଗଡ଼ ବ୍ଲକ୍ରୁ ସଂପୂର୍ଣ୍ଣ ଭାବେ ହଜିଯାଇଛି। ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ କିଛି ବର୍ଷ ଅଫିସ୍ ଚାଲିବା ପରେ ଶେରଗଡ଼ ଗ୍ରାମର ବିଭିନ୍ନ ଘରେ ଭଡ଼ାସୂତ୍ରରେ କାର୍ଯ୍ୟାଳୟ ଚାଲିଲା। ଏବେ ପାଖାପାଖି ଏକବର୍ଷ ହେଲା, ଏହି କାର୍ଯ୍ୟାଳୟ ଯେମିତି ଜନମାନସରୁ ହଜିଯାଇଛି। କାର୍ଯ୍ୟାଳୟ ଚଳାଇବାକୁ କୌଣସି ଘର ଭଡ଼ାସୂତ୍ରରେ ନିଆଯାଇନି। ଏହାସହ କାର୍ଯ୍ୟାଳୟ ପାଇଁ ସ୍ଥାୟୀ କୋଠାର ବ୍ୟବସ୍ଥା ହୋଇପାରୁନି। ଯାହାଫଳରେ ଚାଷୀ ନିରାଶ ହୋଇ ଫେରୁଛନ୍ତି। ଲାଭକାରୀ ଫସଲ ବିଷୟରେ ତଥ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି।