କଟକ : ରାଜ୍ୟ ସରକାରଙ୍କ ୫-ଟି ଯୋଜନାରେ ସମୟକୁ ଗୁରୁତ୍ବ ଦିଆଯାଇଛି। ଠିକ୍ ସମୟ ମଧ୍ୟରେ ଫାଇଲ୍ କାମ ଶେଷ କରିବା ପାଇଁ ସବୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ରାଜ୍ୟ ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟରେ ଗ୍ରାଣ୍ଟ-ଇନ୍-ଏଡ୍ ଅନୁମୋଦନ ପାଇବା ପାଇଁ ୭ ବର୍ଷ ଧରି ଫାଇଲ୍ ପଡ଼ି ରହିଛି। ଖ୍ରୀଷ୍ଟ କଲେଜର ୮ଜଣ ଅଧ୍ୟାପକଙ୍କ ଫାଇଲ୍ ଅନୁମୋଦନ ପାଇଁ ୨୦୧୩ରେ ଯାଇଥିଲେ ବି ତାହା ଆଜି ପର୍ଯ୍ୟନ୍ତ ବିଭାଗର ଫାଇଲ୍ ଗଦା ଭିତରେ ହଜିଯାଇଛି। ଏହାକୁ ନେଇ କଲେଜ କର୍ତ୍ତୃପକ୍ଷ ଉଚ୍ଚ ଶିକ୍ଷା ବିଭାଗକୁ ୩ ଥର ଚିଠି କରିବା ସହିତ ପୁନର୍ବାର ଦୁଇଥର ଫାଇଲ୍ ପଠାଇଥିଲେ ବି ତାହା କେଉଁଆଡ଼େ ଯାଉଛି ତାହାର ସୂଚନା ବିଭାଗ ନିକଟରେ ନାହିଁ। ତେବେ ସୂଚନା ଅଧିକାର ଆଇନରେ ଏ ସଂପର୍କରେ ତଥ୍ୟ ମଗାଯିବା ପରେ ଏବେ ଫାଇଲ୍ଗୁଡ଼ିକ ବିଭାଗର ନିର୍ଦ୍ଦେଶଙ୍କ ଟେବୁଲରେ ଗତ ଅଗଷ୍ଟ ମାସରୁ ପଡ଼ି ରହିଥିବା ସୂଚନା ମିଳିଛି। ଫାଇଲ୍ରେ କୌଣସି ସମସ୍ୟା ନଥିବାବେଳେ କେବଳ ନିର୍ଦ୍ଦେଶକଙ୍କ ଦସ୍ତଖତ ଅପେକ୍ଷାରେ ଫାଇଲ୍ ପଡି ରହିଥିବାରୁ ଗ୍ରାଣ୍ଟ-ଇନ୍-ଏଡ୍କୁ ଚାହିଁ ବସିଥିବା ଅଧ୍ୟାପକ ଏବେ ଆଶଙ୍କାରେ ଅଛନ୍ତି।
ଖ୍ରୀଷ୍ଟ କଲେଜରେ ୨୦୧୨ରେ ନିଯୁକ୍ତି ପାଇଥିବା ୬ଜଣ ଅଧ୍ୟାପକଙ୍କ ଫାଇଲ୍ ଗ୍ରାଣ୍ଟ-ଇନ୍-ଏଡ୍ ଅନୁମୋଦନ ପାଇବା ପାଇଁ ୨୦୧୩, ଜୁନ୍ ୩ ତାରିଖରେ ଉଚ୍ଚ ଶିକ୍ଷା ବିଭାଗକୁ ଯାଇଥିଲା। ଉକ୍ତ ୬ଜଣଙ୍କ ସହିତ ଅନ୍ୟ ଦୁଇ ଜଣଙ୍କ ଫାଇଲ୍ ମଧ୍ୟ ଅନୁମୋଦନ ପାଇଁ ଯାଇଥିଲା। ମାତ୍ର ଅନେକବର୍ଷ ଧରି ଏହାର ଉତ୍ତର ନ ଆସିବାରୁ କଲେଜ ଅଧ୍ୟକ୍ଷ ୨୦୧୮, ଜୁନ ୨୫ ତାରିଖରେ ପୁଣି ଥରେ ସମସ୍ତ କାଗଜପତ୍ରକୁ ଆଉଥରେ ପଠାଇଥିଲେ। ୨୦୧୮, ଜୁନ ୩୦ ତାରିଖରେ କାଗଜପତ୍ର ବିଭାଗରେ ପହଞ୍ଚିଥିଲା। ଏହା ପରେ ବି ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। କଲେଜ ପକ୍ଷରୁ ପୁଣି ଥରେ ଅର୍ଥାତ୍ ତୃତୀୟ ଥର ପାଇଁ ୨୦୧୯, ଜୁଲାଇ ୨୪ ତାରିଖରେ ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟକୁ ପ୍ରସ୍ତାବ ପଠାଇଥିଲେ। ମାତ୍ର ଏଯାଏ ବି ଫାଇଲ୍ ଅନୁମୋଦନ କାମ ଅଟକି ରହିଥିବା ସୂଚନା ଅଧିକାରରେ ତଥ୍ୟ ମିଳିଛି।
ଡକ୍ଟର ନୃସିଂହ ଷଡ଼ଙ୍ଗୀ ଏ ନେଇ ନିର୍ଦ୍ଦେଶାଳୟରୁ ସୂଚନା ଅଧିକାର ଆଇନରେ ସୂଚନା ମାଗିଥିଲେ। ଏଥିରେ ସୂଚନା ମିଳିଛି ଯେ ୨୦୧୩ରେ କଲେଜ ପକ୍ଷରୁ ଯାଇଥିବା ୮ଟି ଫାଇଲ୍ ମଧ୍ୟରୁ ଗୋଟିଏ ଫାଇଲ୍ ଯାଞ୍ଚ ହୋଇଥିଲା। ବାକି ୭ଟି ଫାଇଲ୍ ୨୦୨୦ ପର୍ଯ୍ୟନ୍ତ ଯାଞ୍ଚ ନହୋଇ ରହିଥିଲା। ତେବେ ୨୦୨୦, ଫେବ୍ରୁଆରି ୭ ଓ ୧୧ ତାରିଖରେ ୭ରୁ ୬ଟି ଫାଇଲ୍ ଯାଞ୍ଚ କରାଯାଇଥିବାର ସୂଚନା ରହିଛି। ସେହିପରି ୬ଟି ଫାଇଲ୍ର ଅନୁମୋଦନ ପାଇଁ ଚଳିତବର୍ଷ ଅଗଷ୍ଟ ୩୧ ତାରିଖରେ ଶିକ୍ଷା ନିର୍ଦ୍ଦେଶକଙ୍କ ଟେବୁଲକୁ ପଠାଯାଇଥିଲେ ବି ତାହା ଆଜି ପର୍ଯ୍ୟନ୍ତ ଅନୁମୋଦନ ପାଇପାରି ନାହିଁ। ତେବେ ୨୦୧୪ ଓ ୨୦୧୫ରେ ଖ୍ରୀଷ୍ଟ କଲେଜରୁ ୩ଜଣ ଅଧ୍ୟାପକଙ୍କ ଫାଇଲ୍ ଗ୍ରାଣ୍ଟ-ଇନ୍-ଏଡ୍ ପାଇଁ ଯାଇ ଅନୁମୋଦନ ପାଇ ସାରିଥିବାବେଳେ ୨୦୧୩ ରେ ଯାଇଥିବା ଫାଇଲ୍ରେ କୌଣସି ସମସ୍ୟା ନଥିବାବେଳେ ଏହା ବର୍ଷ ବର୍ଷ ଧରି ପଡ଼ି ରହିବା ପଛରେ କି ଉଦ୍ଦେଶ୍ୟ ରହିଛି ତାହା ଅସ୍ପଷ୍ଟ ବୋଲି ଆର୍ଟିଆଇରେ ତଥ୍ୟ ମାଗିଥିବା ଡକ୍ଟର ଷଡ଼ଙ୍ଗୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/higher-education-department.jpg)