ଭୁବନେଶ୍ବର: ବିଜେଡି ସରକାର ଅମଳରେ ୫-ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟ ସବୁଠୁ ଚର୍ଚ୍ଚାରେ ଥିଲା। ଏହି ଯୋଜନାକୁ ନେଇ ବ୍ୟାପକ ଦୁର୍ନୀତି ହୋଇଥିବା ସାଧାରଣରେ ଅଭିଯୋଗ ହୋଇଥିଲା। ବିଦ୍ୟାଳୟ ରୂପାନ୍ତର ନାମରେ କୋଟି କୋଟି ଟଙ୍କା ଚଳୁ କରି ଦିଆଯାଇଛି। ୫-ଟି ଯୋଜନା୧ ଅଧୀନରେ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟରେ ହୋଇଥିବା ମାଳମାଳ ଦୁର୍ନୀତିକୁ ସିଏଜି ଧରିଥିବା ଅତି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ୬ ଜିଲ୍ଲାର କେତୋଟି ବ୍ଲକ୍ରେ ହୋଇଥିବା ଅଡିଟ୍ରୁ ଯେଉଁ ତଥ୍ୟ ଆଗାମୀ ଦିନରେ ସିଏଜି ପ୍ରକାଶ କରିବେ ତାହା ଅନେକଙ୍କୁ ଚକିତ କରିବ। ୨୦୨୦-୨୧ରୁ ୨୦୨୩-୨୪ ମଧ୍ୟରେ ରାଜ୍ୟର ୮୯୪୧ଟି ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ମାଧ୍ୟମିକ ବିଦ୍ୟାଳୟ ମଧ୍ୟରୁ ୮୬୮୧ଟିରେ ସ୍କୁଲ ରୂପାନ୍ତରଣ କାର୍ଯ୍ୟ ହୋଇଥିଲା। ମିଳିଥିବା ତଥ୍ୟ ଅନୁସାରେ, ୨୦୨୦-୨୧ରୁ ୨୦୨୩-୨୪ ଯାଏଁ ୪ ବର୍ଷ ପାଇଁ ହୋଇଥିବା ଏହି ୫-ଟି ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ ବାବଦରେ ରାଜ୍ୟରେ ୩୮୩୦.୯୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ମୁଖ୍ୟତଃ ୩ଟି ସୂତ୍ରରୁ ଏଥିପାଇଁ ପାଣ୍ଠି ଯୋଗାଇ ଦିଆଯାଇଛି। ସେଗୁଡ଼ିକ ହେଲା ସିଏସ୍ଆର୍ ପାଣ୍ଠି, ଓମ୍ବାଡ୍ସି ପାଣ୍ଠି ଏବଂ ସରକାରଙ୍କ ମ୍ୟାଚିଂ ଗ୍ରାଣ୍ଟ୍। ସିଏସ୍ଆର୍ ପାଣ୍ଠିରୁ ୯୪୨.୫୫ କୋଟି ଟଙ୍କା, ଓମ୍ବାଡସି ପାଣ୍ଠିରୁ ୭୪୨.୭୧ କୋଟି ଟଙ୍କା ଏବଂ ସରକାରଙ୍କ ମ୍ୟାଚିଂ ଗ୍ରାଣ୍ଟ ବାବଦରେ ୨୧୪୫.୬୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।
ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରୁ ୬ଟି ଜିଲ୍ଲାକୁ ନମୁନା ଭାବେ ନିଆଯାଇ ଅଡିଟ୍ ହୋଇଛି। ସେଗୁଡ଼ିକ ହେଲା ଗଞ୍ଜାମ, କେନ୍ଦୁଝର, କଟକ, ସୁନ୍ଦରଗଡ଼, ବାଲେଶ୍ବର ଏବଂ ଯାଜପୁର। ଯାବତୀୟ କେଳେଙ୍କାରୀକୁ ସିଏଜି ତାଙ୍କ ଚିଠା ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ସୂଚନା ଅନୁସାରେ, ଇତିମଧ୍ୟରେ ଓଡ଼ିଶାର ପ୍ରଧାନ ମହାଲେଖାକାର (ଏଜି)ଙ୍କ ପକ୍ଷରୁ ବିଦ୍ୟାଳୟ ଗଣଶିକ୍ଷା ବିଭାଗଠାରୁ ଏସବୁ ଉପରେ ମତାମତ ମଗାଯାଇଛି। ମିଳିଥିବା ତଥ୍ୟ ଅନୁସାରେ, ଓଡ଼ିଶାରେ ବିଦ୍ୟାଳୟଗୁଡ଼ିକର ଗୌରବ ବୃଦ୍ଧି ପାଇଁ ଓଡ଼ିଶା ସରକାର ୨୦୨୧ ମସିହାରେ ୫-ଟି କାର୍ଯ୍ୟକ୍ରମ ଅଧୀନରେ ୫-ଟି ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ୨୦୧୮ ମସିହା ମେ ମାସରେ ୧୯୬୦ ମସିହାର ସୋସାଇଟି ପଞ୍ଜୀକରଣ ଆଇନ ଅଧୀନରେ ଗଠନ ହୋଇଥିବା ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନ (ଏମ୍ଏସ୍ଏପିଏସ୍), ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷ (ଓସେପା) ଏବଂ ଜିଲ୍ଲାପାଳଙ୍କ ଜରିଆରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିଲା।
ଏହି ଯୋଜନାର ଲକ୍ଷ୍ୟ ଥିଲା ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମିରେ ଉନ୍ନତି ଆଣିବା, ସ୍ମାର୍ଟ ଶ୍ରେଣୀ ଗୃହ ଯୋଗାଇ ଦେବା, ଉତ୍ତମ ଇ-ପାଠାଗାର ନିର୍ମାଣ, ଅତ୍ୟାଧୁନିକ ଲାବରେଟୋରି ତଥା ବିଜ୍ଞାନ କେନ୍ଦ୍ର ସ୍ଥାପନ, ନୂଆ କ୍ରୀଡ଼ା ଉପକରଣ କ୍ରୟ ସମେତ ଅନ୍ୟାନ୍ୟ ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ ଯୋଗାଇ ଦେବା। ସ୍ମାର୍ଟ ଶ୍ରେଣୀଗୃହଗୁଡ଼ିକରେ ଲାପ୍ଟପ୍, ପ୍ରୋଜେକ୍ଟର, ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ୍ ସଂଯୋଗ ସହିତ ସାଉଣ୍ଡ୍ ବ୍ୟବସ୍ଥା ରହିବା ପାଇଁ ନିଷ୍ପତ୍ତି ହୋଇଥିଲା। ରାଜ୍ୟସ୍ତରରେ ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନ ଗଠନ କରାଯାଇଥିଲା। ରାଜ୍ୟ ସ୍ତରରେ ଏହି ସଂସ୍ଥା ପ୍ରକଳ୍ପର ମଞ୍ଜୁରି ଓ ସମୀକ୍ଷା କରୁଥିଲା। ସିଏସ୍ଆର୍ ପାଣ୍ଠିରୁ ଆସୁଥିବା ଅର୍ଥ ଏବଂ ମ୍ୟାଚିଂ ଗ୍ରାଣ୍ଟ୍ ଆକାରରେ ଆସୁଥିବା ଅର୍ଥକୁ ଏହା ପରିଚାଳନା କରୁଥିଲା। ସେହିଭଳି ଓଡ଼ିଶା ଖଣିଜ ଅଞ୍ଚଳ ବିକାଶ ନିଗମ (ଓଏମ୍ବିଏଡିସି) ମଧ୍ୟ ଏଥି ପାଇଁ ପାଣ୍ଠି ଯୋଗାଇ ଦେଇଥିଲା। ଉକ୍ତ ପାଣ୍ଠିରେ ହେଉଥିବା ପ୍ରକଳ୍ପକୁ ଓଏମ୍ବିଏଡିସି କାର୍ଯ୍ୟକାରୀ କରିବା ସହ ପରିଚାଳନା କରୁଥିଲା। ଜିଲ୍ଲା ସ୍ତରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମୋ ସ୍କୁଲ ଜିଲ୍ଲାସ୍ତରୀୟ କମିଟି ଗଠନ ହୋଇଥିଲା। ଉକ୍ତ କମିଟି କାର୍ଯ୍ୟ କିଏ କରିବ ଏବଂ ପାଣ୍ଠି କିଭଳି ଦିଆଯିବ ତାହା ନିର୍ଦ୍ଧାରଣ କରୁଥିଲା।
୨୦୨୪ ଅକ୍ଟୋବରରୁ ୨୦୨୫ ମାର୍ଚ୍ଚ ମଧ୍ୟରେ ହୋଇଛି ଅଡିଟ୍
ଟ୍ରେଜେରି ନିୟମକୁ ଫୁ
୫-ଟିରେ ସ୍ବଚ୍ଛତା ଓ ସମୟର ଧଜିଆ ଉଡ଼ିଛି
ଏଜି କାର୍ଯ୍ୟାଳୟ ପକ୍ଷରୁ ୨୦୨୪ ଅକ୍ଟୋବରରୁ ୨୦୨୫ ମାର୍ଚ୍ଚ ମଧ୍ୟରେ ଅଡିଟ୍ କରାଯାଇଥିଲା। ରାଜ୍ୟସ୍ତରରେ ବିଦ୍ୟାଳୟ, ଏମ୍ଏସ୍ଏପିଏସ୍ ଏବଂ ଗଣଶିକ୍ଷା ବିଭାଗର ରେକର୍ଡ ଓ ତଥ୍ୟକୁ ପରଖା ଯାଇଥିଲା। ସେହିଭଳି ଜିଲ୍ଲାସ୍ତରରେ ୬ଟି ଜିଲ୍ଲାରେ ଡିଇଓ ତଥା ଡିପିସି ତଥ୍ୟ ଅନୁଧ୍ୟାନ କରାଯାଇଥିଲା। ଏସବୁ ୬ଟି ଜିଲ୍ଲା ମଧ୍ୟରୁ ସ୍କୁଲ ରୂପାନ୍ତରଣ କାର୍ଯ୍ୟ କରିଥିବା ୩ଟି ଲେଖାଏଁ ସଂସ୍ଥାକୁ ନିଆଯାଇଥିଲା। କାର୍ଯ୍ୟ କରିଥିବା ୩ଟି ଲେଖାଏଁ ଏଜେନ୍ସି ମଧ୍ୟରୁ ୩ଟି ଲେଖାଏଁ ମାଧ୍ୟମିକ ବିଦ୍ୟାଳୟ କାର୍ଯ୍ୟକୁ ଅନୁଧ୍ୟାନ କରାଯାଇଥିଲା। ଏଥିସହିତ ଆବଶ୍ୟକ ସ୍ଥଳରେ କେତେକ ବିଦ୍ୟାଳୟର ମିଳିତ କ୍ଷେତ୍ର ମଧ୍ୟ ଅନୁଧ୍ୟାନ ହୋଇଥିଲା। ଅଡିଟ୍ ଟିମ୍ ଜାଣିବାକୁ ପାଇଛନ୍ତି ଯେ ରାଜ୍ୟସ୍ତରରେ ମନଇଚ୍ଛା ପାଣ୍ଠି ମଞ୍ଜୁର କରାଯିବା ସହ ପ୍ରଦାନ କରାଯାଇଛି। ପରିଚାଳନା ପରିଷଦର ବିନା ଅନୁମତିରେ ଏବଂ ମାର୍ଗଦର୍ଶିକାର ବିନା ସଂଶୋଧନରେ ଏମ୍ଏସ୍ଏପିଏସ୍ ଗଞ୍ଜାମ ଜିଲ୍ଲାର ୪୨ଟି ବିଦ୍ୟାଳୟକୁ ୨୦୨୨ ଏପ୍ରିଲରେ ମ୍ୟାଚିଂ ଗ୍ରାଣ୍ଟ୍ ବାବଦରେ ୧୮.୯୩ କୋଟି ଟଙ୍କା ପ୍ରଦାନ କରିଛି। ମ୍ୟାଚିଂ ଗ୍ରାଣ୍ଟ୍ ବାବଦରେ ବିଦ୍ୟାଳୟ ପିଛା ୩୦ ଲକ୍ଷ ଟଙ୍କା ଦେବାର ନିୟମ ଥିବାବେଳେ ସେଥିରେ ୩୩.୩୩ ଲକ୍ଷ ଟଙ୍କାରୁ ୧ କୋଟି ୦୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥ ଦିଆଯାଇଛି। ତେଣୁ ଗଞ୍ଜାମ ଜିଲ୍ଲାରେ ଏ ବାବଦରେ ଅଧିକ ୬.୩୩ କୋଟି ଟଙ୍କା ଦିଆଯାଇଛି।
ଏପରିକି ସରକାରଙ୍କ ଟ୍ରେଜେରି ନିୟମକୁ ମଧ୍ୟ ଏହି ଯୋଜନାରେ ଉଲ୍ଲଂଘନ କରାଯାଇଛି। ଅର୍ଥ ପ୍ରଦାନ ଇଲେକ୍ଟ୍ରୋନିକ୍ ଉପରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିବାର ନିୟମ ରହିଛି। କିନ୍ତୁ କଟକ ରାଣୀହାଟ ହାଇସ୍କୁଲରେ ଏହି ନିୟମକୁ କେହି ମାନିନାହାନ୍ତି। ସେହିଭଳି କଟକ ଜିଲ୍ଲାର ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକ୍ରେ ହୋଇଥିବା ଅଡିଟ୍ରେ ଭିତ୍ତିଭୂମି ବ୍ୟୟରେ ଅନିୟମିତତା ହୋଇଥିବା କୁହାଯାଇଛି। ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ୍ ଅଧୀନ ନନ୍ଦୀପୁର ହାଇସ୍କୁଲ କାର୍ଯ୍ୟରେ ତୃତୀୟ ପକ୍ଷକୁ ୩୦ ଟଙ୍କା ପ୍ରଦାନ କରାଯାଇ ନିୟମ ଭଙ୍ଗ କରାଯାଇଛି। ବାଲେଶ୍ବର ଜିଲ୍ଲାର ଜଳେଶ୍ବର ବ୍ଲକ୍ରେ ଡୁଆଲ୍ ଡେସ୍କ ମରାମତି କରା ନଯାଇ ଅର୍ଥ ପୈଠ କରାଯାଇଛି। ଏ ବାବଦରେ ୪.୯୫ ଲକ୍ଷ ଟଙ୍କାର ଠକେଇ ହୋଇଥିବା ଅଡିଟ୍ ଟିମ୍ ସନ୍ଦେହ କରିଛନ୍ତି। ସେହିଭଳି ସ୍କୁଲ ରୂପାନ୍ତରଣ କାର୍ଯ୍ୟରେ ବିନିଯୋଗ ପ୍ରମାଣପତ୍ର ମିଳିନାହିଁ। ଶିକ୍ଷା ବିଭାଗକୁ ମାତ୍ର ୪୫ ପ୍ରତିଶତ କାର୍ଯ୍ୟର ବିନିଯୋଗ ପ୍ରମାଣପତ୍ର ମିଳିଥିବା ଅଡିଟ୍ରୁ ଜଣାଯାଇଛି। ଅର୍ଥାତ ୫୫ ପ୍ରତିଶତ କାର୍ଯ୍ୟର ବିନିଯୋଗ ପ୍ରମାଣପତ୍ର ମିଳିନାହିଁ। ୫-ଟି ଯୋଜନା ଅଧୀନରେ ଏହି କାର୍ଯ୍ୟ ହୋଇଥିଲେ ମଧ୍ୟ ସ୍ବଚ୍ଛତା ଓ ନିର୍ଦ୍ଧାରିତ ସମୟରେ କାର୍ଯ୍ୟ କରିବା ଭଳି ମୂଳ ପ୍ରସଙ୍ଗର ଧଜିଆ ଏଥିରେ ଉଡ଼ାଯାଇଛି। ଫଳରେ ଅନେକ ଅନିୟମିତତା ହୋଇଛି। ଯେଉଁ ଖର୍ଚ୍ଚକୁ ଏଡ଼ାଇ ଦିଆଯାଇ ପାରିଥାନ୍ତା ତାହା ହୋଇନାହିଁ। ଖର୍ଚ୍ଚର ଫଳ ମଧ୍ୟ ମିଳିନାହିଁ। ଆବଶ୍ୟକତାଠାରୁ ଅଧିକ ଖର୍ଚ୍ଚ କରାଯାଇଛି।
ଟେଣ୍ଡର ପ୍ରକ୍ରିୟାକୁ ଅନୁସରଣ କରା ନଯାଇ ଉଚ୍ଚମୂଲ୍ୟର ସାମଗ୍ରୀ କ୍ରୟ କରାଯାଇଛି। ଏ ବାବଦରେ ୩୧.୭୨ କୋଟି ଟଙ୍କାର ଅନିୟମିତତା ହୋଇଥିବା ସିଏଜି ଜାଣିବାକୁ ପାଇଛନ୍ତି। ଇପିଏମ୍ ରେଟ୍ ଧାରୀଙ୍କଠାରୁ ଡୁଆଲ୍ ଡେସ୍କ କିଣା ନଯିବା କାରଣରୁ ଏହି ଯୋଜନାରେ ଅଧିକ ୪୨.୩୩ କୋଟି ଟଙ୍କା ବ୍ୟୟ କରାଯାଇଛି। ସେହିଭଳି ଜିଇଏମ୍ ପୋର୍ଟାଲର ଉପଯୋଗ ନ କରିବା କାରଣରୁ ରାଜକୋଷକୁ ଅଧିକ ୨.୬୭ କୋଟି ଟଙ୍କା ସାମଗ୍ରୀ କ୍ରୟ ବାବଦରେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିଛି। ଅଡିଓ ରେକର୍ଡିଂ, ଭିଡିଓ ରେକର୍ଡିଂ ଉପକରଣ କ୍ରୟରେ କରାଯାଇଥିବା ୬୦.୯୩ ଲକ୍ଷ ଟଙ୍କା ଫଳପ୍ରଦ ହୋଇ ନଥିବା ଦର୍ଶାଯାଇଛି। ଇ-ପାଠାଗାର ଏବଂ ବିଜ୍ଞାନ ଲାବରେଟୋରିଗୁଡ଼ିକର ଉଦ୍ଦେଶ୍ୟ ସାଧିତ ହୋଇନାହିଁ। ସେଗୁଡ଼ିକ ଶିକ୍ଷକଙ୍କ କମନ୍ ରୁମ୍ ଭଳି କାର୍ଯ୍ୟରେ ବ୍ୟବହାର ହେଉଛି। ଛାତ୍ରମାନେ ସେଗୁଡ଼ିକୁ ବ୍ୟବହାର କରୁନାହାନ୍ତି। ପୂର୍ବ ସରକାରଙ୍କ ସମୟରେ ହୋଇଥିବା ଏହି କାର୍ଯ୍ୟକୁ ନୂଆ ସରକାର ବନ୍ଦ କରି ଦେଇଛନ୍ତି।