ବିନା ବିଜୁଳି ସଂଯୋଗରେ ଚାଲିଛି ୫-ଟି ସ୍କୁଲ୍‌

ବୈଶିଙ୍ଗା: ବେତନଟୀ ବ୍ଲକ୍‌ ଅଧୀନ ରଘୁପୁର ପଞ୍ଚାୟତର ଖୁଣ୍ଟାପୁରସ୍ଥିତ ଶ୍ରୀସତ୍ୟସାଇ ସରକାରୀ ଉଚ୍ଚବିଦ୍ୟାଳୟକୁ ୫-ଟି ଯୋଜନାରେ ସାମିଲ କରି ରୂପାନ୍ତରଣ କରିଛନ୍ତି ସରକାର। ହେଲେ ଏଠାରେ ବିଦ୍ୟୁତ୍‌ ସଂଯୋଗ ଭଳି ମୌଳିକ ସୁବିଧା ଟିକକ ନାହିଁ। ୧୯୭୪ ମସିହାରେ ସ୍ଥାପିତ ଉକ୍ତ ସ୍କୁଲରେ ଆଜିଯାଏ ସ୍କୁଲ ନାଁରେ ବିଜୁଳି ସଂଯୋଗ ହୋଇନାହିଁ। ସ୍ଥାନୀୟ ଲୋକଙ୍କ କହିବା ମୁତାବକ ବହୁ ପୂର୍ବରୁ ଉକ୍ତ ବିଦ୍ୟାଳୟରେ କାର୍ଯ୍ୟରତ ସ୍ବର୍ଗତ ମହେନ୍ଦ୍ରନାଥ ମହାନ୍ତିଙ୍କ ନାମରେ ଏକ ଘରୋଇ ବିଦ୍ୟୁତ ସଂଯୋଗ ନିଆଯାଇ ସେଥିରୁ ସ୍କୁଲକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଥିଲା। ଅଦ୍ୟାବଧି ଉକ୍ତ ନାମରେ ମାସକୁ ମାସ ବିଦ୍ୟୁତ ଦେୟ ପୈଠ କରାଯାଉଥିଲା। ହେଲେ ଗତ ଫେବ୍ରୁଆରି ମାସରେ ବିଦ୍ୟୁତ ବିଭାଗର କର୍ମଚାରୀ ପହଞ୍ଚି ଲୋଡ୍‌ ଅଧିକ ଅଛି କହି ୨ ଲକ୍ଷରୁ ଅଧିକ ଟଙ୍କାର ଏକ ଫାଇନ୍‌ କାଟିଥିଲେ ଓ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରି ଦେଇଥିଲେ। ଫଳରେ ଗରମ ଗୁଳୁଗଳିରେ ମାଟ୍ରିକ ପରୀକ୍ଷା ଦେଉଥିଲେ ଛାତ୍ରଛାତ୍ରୀ। ଏ ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ପାଖ ହଷ୍ଟେଲରୁ ଅସ୍ଥାୟୀ ଭାବେ ବିଜୁଳି ସଂଯୋଗ କରାଯାଇଥିଲା ଓ ପରୀକ୍ଷା ସରିବା ପରେ ପୁଣି ବିଜୁଳି ସଂଯୋଗ କାଟି ଦେଇଥିଲେ ବିଦ୍ୟୁତ୍‌ ବିଭାଗ କର୍ମଚାରୀ।

ଏ ସମ୍ପର୍କରେ ପ୍ରଧାନଶିକ୍ଷକଙ୍କ କହିବା କଥା ହେଲା ଜରିମାନା ଟଙ୍କା ପୈଠ କରିବାକୁ କୌଣସି ପାଣ୍ଠି ନାହିଁ। ଆମେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛୁ। ଆମ ହାତରେ କିଛି ନାହିଁ। ଏ ବାବଦରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପଚାରିବାରୁ ସେ ଏଥିପାଇଁ ପ୍ରଧାନଶିକ୍ଷକଙ୍କୁ ଦୋଷାରୋପ କରି ଦାୟିତ୍ବ ସାରି ଦେଇଥିଲେ। ବେତନଟୀ ବିଡିଓଙ୍କ କହିବା କଥା ହେଲା ସେ ଘଟଣା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଇଛନ୍ତି। ତେବେ ତଳୁ ଉପର ସମସ୍ତ ଅଧିକାରୀ ଘଟଣା ସମ୍ପର୍କରେ ଜାଣିଥିଲେ ବି କେବେ ଘଟଣାର ସମାଧାନ କରୁଛନ୍ତି ଦେଖିବାକୁ ବାକି ରହିଲା

ସମ୍ବନ୍ଧିତ ଖବର