କଟକରେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ ୫-ଟି ସଚିବ

ତାଳଦଣ୍ତା କେନାଲର ଉଭୟ ପାର୍ଶ୍ବ ସୌନ୍ଦର୍ଯ୍ୟୀକରଣ ପାଇଁ ହେବ ମାଷ୍ଟରପ୍ଲାନ୍

କଟକ : ୫-ଟି ସଚିବ ଭି କେ ପାଣ୍ତିୟାନ୍‌ ଆଜି କଟକରେ ଏକାଧିକ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ନେତାଜୀ ବସ୍‌ ଟର୍ମିନାଲ୍‌ (ସିଏନ୍‌ବିଟି)ର ସ୍ଥିତି ଅନୁଧ୍ୟାନ କରି ଉପସ୍ଥିତ ଅଧିକାରୀଙ୍କ ସହିତ ଉକ୍ତ ଟର୍ମିନାଲର କାର୍ଯ୍ୟକ୍ଷମ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହାପରେ ଚଣ୍ଡୀ ମନ୍ଦିରର ଉନ୍ନୟନ କାର୍ଯ୍ୟ ଅନୁଧ୍ୟାନ କରି ସେବାୟତଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ସେଠାରେ ନିର୍ମାଣ ହେବାକୁ ଥିବା ଯଜ୍ଞ ମଣ୍ତପ, ରୋଷେଇଶାଳା, ପୁଲିସ କଣ୍ଟ୍ରୋଲ୍‌ ରୁମ୍‌, ପ୍ରସାଦ ବିତରଣ କେନ୍ଦ୍ର, ମାର୍କେଟ୍‌ କମ୍ପ୍ଲେକ୍ସ ପାଚେରି, ପାର୍କିଂ ସ୍ଥଳ, କ୍ଲକ୍‌ ରୁମ୍ ନିର୍ମାଣ ସମ୍ପର୍କରେ ପଚାରି ବୁଝିବା ସହିତ କାମ ତ୍ବରାନ୍ବିତ ପାଇଁ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।

ପରେ ତାଳଦଣ୍ତା କେନାଲର ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ବୁଲି ଦେଖିଥିଲେ। ସେଠାରେ ଚାଲିଥିବା କେତେକ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ଆଗାମୀ ଦିନରେ ଯୋବ୍ରାଠାରୁ ତାଳଦଣ୍ତା କେନାଲ୍‌ର ଉଭୟ ପାର୍ଶ୍ବକୁ ସୌନ୍ଦର୍ଯ୍ୟୀକରଣ ପାଇଁ ସିଏମ୍‌ସି-ସିଡିଏ ପକ୍ଷରୁ ଏକ ମାଷ୍ଟର୍‌ ପ୍ଲାନ୍‌ ପ୍ରସ୍ତୁତ କରାଯାଉଛି ବୋଲି ସିଏମ୍‌ସି କମିସନର ନିଖିଲ ପୱନ କଲ୍ୟାଣ ଗଣମାଧ୍ୟମକୁ ସୂଚନା ଦେଇଥିଲେ।

ସେହପରି ରାଣୀହାଟ ପୋଲ ନିକଟରେ ନବନିର୍ମିତ କ୍ଲକ୍ ଟାୱାର୍‌ ବୁଲି ଦେଖିଥିଲେ। ପରେ ସେ ଛତ୍ରବଜାରସ୍ଥିତ ନବନିର୍ମିତ ଅର୍ବାନ୍‌ ହାଟ ପରିଦର୍ଶନ କରି ତୁରନ୍ତ ସଂଯୁକ୍ତ ରାସ୍ତା ନିର୍ମାଣ ପାଇଁ ପରାମର୍ଶ ଦେଇଥିଲେ। ସହରରେ ଚାଲିଥିବା ଉପରୋକ୍ତ ସମସ୍ତ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଧାର୍ଯ୍ୟ ସମୟରେ ଶେଷ ହେବାକୁ ଯାଉଛି ଏବଂ ଏହି ସବୁ କେବଳ ଉଦ୍‌ଘାଟନ ଅପେକ୍ଷାରେ ରହିଛି ବୋଲି କମିସନର ଶ୍ରୀ କଲ୍ୟାଣ ସୂଚନା ଦେଇଛନ୍ତି। ଏହି ପରିଦର୍ଶନ ସମୟରେ ସିଡିଏ ଅଧ୍ୟକ୍ଷ ଅନୀଲ ସାମଲ, ଜିଲ୍ଲାପାଳ ଡକ୍ଟର ଭବାନୀ ଶଙ୍କର ଚୟନୀ, ଡିସିପି ପିନାକ ମିଶ୍ରଙ୍କ ସମେତ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର