ପ୍ରତିଷ୍ଠା ହେବ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ୧୫ ଫୁଟ୍‌ର ବ୍ରୋଞ୍ଜ ପ୍ରତିମୂର୍ତ୍ତି, ସଂଗ୍ରହାଳୟ

ମଧୁବାବୁଙ୍କ ଜନ୍ମପୀଠ ପରିଦର୍ଶନ କଲେ ୫-ଟି ସଚିବ

ସାଲେପୁର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଶନିବାର ଦିନ ଓଡ଼ିଶା ଦିବସ ଅବସରରେ ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ ଅଚାନକ ସାଲେପୁର ବ୍ଲକ୍‌ ସତ୍ୟଭାମାପୁରସ୍ଥିତ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ ପରିଦର୍ଶନ କରିଛନ୍ତି। ଏହି ଅବସରରେ ଶ୍ରୀ ପାଣ୍ଡିଆନ୍‌ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ପୀଠ ପରିସର ବୁଲି ଦେଖିଛନ୍ତି। ଏଠାରେ ମଧୁବାବୁଙ୍କ ୧୫ ଫୁଟ୍‌ର ବ୍ରୋଞ୍ଜ ପ୍ରତିମୂର୍ତ୍ତି ଓ ସଂଗ୍ରହାଳୟ ସ୍ଥାପନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ପ୍ରାରମ୍ଭରେ ବିଭାଗୀୟ ଅଧିକାରୀମାନେ ୫-ଟି ସଚିବଙ୍କୁ ମ୍ୟାପ୍‌ ମାଧ୍ୟମରେ ଜନ୍ମପୀଠର ଅବସ୍ଥିତି ଓ ଇତିହାସ ସମ୍ପର୍କରେ ଅବଗତ କରାଇଥିଲେ। ପରେ ସେ ପୀଠ ପରିସରରେ ଥିବା ସଂଗ୍ରହାଳୟ ବୁଲି ଦେଖିଥିଲେ। ଏଠାରେ ଥିବା ସ୍ମୃତି ଫଳକ ଓଡ଼ିଆ ସମେତ ଅନ୍ୟ ଭାଷାରେ କରିବାକୁ ଶ୍ରୀ ପାଣ୍ଡିଆନ୍‌ ପରାମର୍ଶ ଦେଇଥିଲେ। ପରେ ସେ ପୀଠ ପରିସରରେ ଥିବା ଗାନ୍ଧୀଜୀଙ୍କ ଅବସ୍ଥାନସ୍ଥଳ ଦର୍ଶନ କରିଥିଲେ।

ଜନ୍ମପୀଠ ଓ କର୍ମଭୂମିକୁ ସଂଯୋଗ କରୁଥିବା ଗଳିରାସ୍ତାର ପୁନରୁଦ୍ଧାର, ଐତିହ୍ୟସ୍ଥଳର ସଂରକ୍ଷଣ କରାଯିବ
‘ସିଙ୍ଗଲ୍‌ ମ୍ୟୁଜିୟମ୍‌ କମ୍ପ୍ଲେକ୍ସ ଭାବେ ବିକଶିତ ହେବ ଜନ୍ମପୀଠ ଓ କର୍ମଭୂମି

୫-ଟି ସଚିବ ମଧୁବାବୁଙ୍କ ଅନ୍ତୁଡ଼ିଶାଳକୁ ଯାଇ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ବିରଳ ଫଟୋ ଓ ହସ୍ତଲିପି ସମ୍ପର୍କରେ ଟ୍ରଷ୍ଟ କର୍ମକର୍ତ୍ତାଙ୍କୁ ପଚାରି ବୁଝିଥିଲେ। ସେହିପରି ମଧୁସ୍ମୃତି ପୀଠରେ ମଧୁବାବୁଙ୍କ ଜୀବନୀକୁ ନେଇ ‘ଲାଇଟ୍‌ ଆଣ୍ଡ ସାଉଣ୍ଡ ବ୍ୟବସ୍ଥା କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ସେ ପରାମର୍ଶ ଦେଇଥିଲେ। ଏଥିରେ ମଧୁବାବୁଙ୍କ ଗୌରବମୟ ଜୀବନୀ ଓ କୀର୍ତ୍ତିର ବ୍ୟାଖ୍ୟାନ କରାଯିବ। ଓଡ଼ିଶା ତଥା ରାଜ୍ୟ ବାହାରୁ ଆସୁଥିବା ଦର୍ଶକମାନଙ୍କ ସୁବିଧା ପାଇଁ ବହୁଭାଷୀ ବ୍ୟାଖ୍ୟାନର ବ୍ୟବସ୍ଥା କରାଯିବ। ଏଥିସହ ପୀଠର ଉନ୍ନତୀକରଣ ପାଇଁ ବିସ୍ତୃତ ପ୍ରସ୍ତାବ ଦେବାକୁ ସେ ପରାମର୍ଶ ଦେବା ସହିତ ବିକାଶ କାର୍ଯ୍ୟ ସମ୍ପର୍କରେ ସ୍ଥାନୀୟ ଲୋକ ଓ ପ୍ରଶାସନ ସହ ଆଲୋଚନା କରିଥିଲେ। ୫-ଟି କାର୍ଯ୍ୟକ୍ରମରେ ମଧୁବାବୁଙ୍କ ଜନ୍ମପୀଠର ବିକାଶ କାର୍ଯ୍ୟ ହେବ। ଆସନ୍ତା ୧୫ ତାରିଖ ସୁଦ୍ଧା ଏହାର ପ୍ଲାନ୍‌ ପ୍ରସ୍ତୁତ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନିମନ୍ତେ  ଉପସ୍ଥାପନ କରାଯିବ। ମଧୁବାବୁଙ୍କ ଜନ୍ମପୀଠରେ ଏକ ସଂଗ୍ରହାଳୟ ପ୍ରତିଷ୍ଠା କରାଯିବ। ମଧୁବାବୁଙ୍କ ଜୀବନୀ ଓ ଐତିହ୍ୟସ୍ଥଳ ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କ ସହ ଆଲୋଚନା କରାଯାଇ ଏହାର ବିକାଶ କରାଯିବ।

ମଧୁବାବୁଙ୍କ ଶହେବର୍ଷ ପୁରୁଣା ଜନ୍ମପୀଠ ଓ କର୍ମଭୂମିକୁ ‘ସିଙ୍ଗିଲ୍‌ ମ୍ୟୁଜିୟମ୍‌ କମ୍ପ୍ଲେକ୍ସ ଭାବେ ବିକଶିତ କରାଯାଇ ଐତିହ୍ୟସ୍ଥଳର ସଂରକ୍ଷଣ କରାଯିବ। ସେହିପରି ମଧୁବାବୁଙ୍କ ମା ଜନ୍ମପୀଠରୁ କର୍ମଭୂମିକୁ ତାଙ୍କ ପାଇଁ ପ୍ରତିଦିନ ଖାଦ୍ୟ ନେଇ ଆସୁଥିବା ଗଳିରାସ୍ତାର ଉନ୍ନତି ଓ ପୁନରୁଦ୍ଧାର କରାଯିବ। ଏହି କାର୍ଯ୍ୟର ମାନକୁ ଅତ୍ୟନ୍ତ ଉଚ୍ଚକୋଟିର କରିବା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ଶ୍ରୀ ପାଣ୍ଡିଆନ୍ ପରିଦର୍ଶନ ସମୟରେ ନିର୍ଦ୍ଦେଶ ଦେଇଥିଲେ। ଶେଷରେ ଉପସ୍ଥିତ ମିସନ୍‌ଶକ୍ତିର ମହିଳାମାନଙ୍କ ସହ ସେ ଆଲୋଚନା କରିଥିଲେ। ଏହି ଅବସରରେ ମଧୁସୂଦନ ସାଂସ୍କୃତିକ ପରିଷଦ ପକ୍ଷରୁ ୧୨ଟି ପ୍ରସ୍ତାବ ସମ୍ବଳିତ ଏକ ପତ୍ର ୫-ଟି ସଚିବଙ୍କୁ ପ୍ରଦାନ କରାଯାଇଥିଲା। ୫-ଟି ସଚିବଙ୍କ ପରିଦର୍ଶନ ସମୟରେ ଆର୍‌ଡିସି ସୁରେଶଚନ୍ଦ୍ର ଦଳାଇ, ସିଡିଏ ଅଧ୍ୟକ୍ଷ ଅନିଲ ସାମଲ, ଜିଲ୍ଲାପାଳ ଡକ୍ଟର ଭବାନୀଶଙ୍କର ଚୟନୀ, ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅମ୍ବର କର, ଡିସିପି ପିନାକ ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ସାଲେପୁର ବ୍ଲକ୍‌ ମିସନ୍‌ଶକ୍ତି ସଭାପତି ତୃପ୍ତିରେଖା ପରିଡ଼ା, ସ୍ଥାନୀୟ ଜନସାଧାରଣ ଓ ମଧୁପ୍ରେମୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର