୫-ଟି ସଚିବଙ୍କ ନିଯୁକ୍ତିର ବୈଧତାକୁ ହାଇକୋର୍ଟରେ ଚାଲେଞ୍ଜ

କଟକ : ୫-ଟି ସଚିବଙ୍କ ନିଯୁକ୍ତିର ବୈଧତାକୁ ଚାଲେଞ୍ଜ କରି ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ଭାରତୀୟ ବିକାଶ ପରିଷଦ ରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ ୫-ଟି କୌଣସି ବିଭାଗ ହୋଇ ନଥିବା ବେଳେ ଏଥିରେ ଜଣେ ଆଇଏଏସ୍ ଅଫିସରଙ୍କକୁ ନିଯୁକ୍ତି ଦିଆଯିବା ଆଇନ ସମ୍ମତ ନୁହେଁ। ଏପରି ପରିସ୍ଥିତିରେ ୫-ଟି ସଚିବଙ୍କ ନିଯୁକ୍ତି ଓଡ଼ିଶା ଗଭର୍ଣ୍ଣମେଣ୍ଟ ରୁଲ୍ସ ଅଫ୍ ବିଜନେସ୍, ୧୯୫୬ର ନିୟମାବଳୀ ୨(ଘ), ୬, ୧୨ ଓ ୧୩ର ଉଲ୍ଲଂଘନ କରୁଛି। ୫-ଟି ସଚିବ ଜଣେ କନିଷ୍ଠ ଆଏଏସ ଅଧିକାରୀ ହୋଇଥିବା ବେଳେ ତାଙ୍କ ଗସ୍ତ ସମୟରେ ମୁଖ୍ୟ ଶାସନ ସଚିବଙ୍କ ସହିତ ଅନ୍ୟ ବିଭାଗର ବରିଷ୍ଠ ସଚିବ ଓ ଅଧିକାରୀ ଉପସ୍ଥିତ ରହୁଛନ୍ତି। ୫-ଟି ସଚିବ ରାଜ୍ୟର ବିଭିନ୍ନ ସ୍ଥାନ ଗସ୍ତ କରି ବିଭିନ୍ନ ପ୍ରକଳ୍ପ ଓ କାର୍ଯ୍ୟ ଅନୁଧ୍ୟାନ କରୁଛନ୍ତି। ଏହା ଆଇନ ଅନୁମୋଦିତ ନୁହେଁ ବୋଲି ଆବେଦନକାରୀ ଦର୍ଶାଇବା ସହିତ ୨୦୧୯, ଅଗଷ୍ଟ ୨୮ରେ ୫-ଟି ସଚିବଙ୍କ ନିଯୁକ୍ତି ସଂପର୍କିତ ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତିକୁ ରଦ୍ଦ କରାଯାଉ ବୋଲି ପ୍ରାର୍ଥନା କରିଛନ୍ତି। ଏଥି ସହିତ ୫-ଟି ସଚିବ ବିଭିନ୍ନ ସ୍ଥାନ ଗସ୍ତ କରିବା ବାବଦ ଖର୍ଚ୍ଚ ଆଦାୟ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଆବେଦନରେ ମୁଖ୍ୟ ଶାସନ ସଚିବ, ସାଧାରଣ ପ୍ରଶାସନ ବିଭାଗ ସଚିବ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନ୍ ଓ ଭାରତ ସରକାରଙ୍କ କ୍ୟାବିନେଟ୍ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର