ରାୟଗଡ଼ା : ଆଜି ରାୟଗଡ଼ା ଜିଲ୍ଲା ଗସ୍ତରେ ଆସୁଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ। ସଚିବଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଦିନକ ପୂର୍ବରୁ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ରାୟଗଡ଼ା ଆସି ଡେରା ପକାଇଛନ୍ତି। ପ୍ରଥମେ ବିଷମକଟକ ଏବଂ ପରେ ଗୁଣପୁର ଗସ୍ତ କରି ସଚିବଙ୍କ କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ସମୀକ୍ଷା କରିଛନ୍ତି। ସଚିବ ଆସୁଥିବାରୁ ପ୍ରଶାସନିକ ଅଧିକାରୀ ମଧ୍ୟ ସଜାଗ ରହିଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ଆଜି ୫-ଟି ସଚିବଙ୍କ ଗସ୍ତ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇ ସାରିଥିବାରୁ ମନ୍ତ୍ରୀ ଶ୍ରୀ ନାୟକ ଏବଂ ଶ୍ରୀ ଦାସ କିଛି ଅଞ୍ଚଳ ମଙ୍ଗଳବାର ଦିନ ପରିଦର୍ଶନରେ ଯାଇଥିଲେ। ଏହିସମୟରେ ଗୋଟିଏ ଗାଡ଼ିରେ ପୂର୍ବତନ ସାଂସଦ ଏନ୍.ଭାସ୍କର ରାଓ, ଜିଲ୍ଲା ବିଜେଡି ସଭାପତି ସୁଧୀର ଦାସଙ୍କୁ ବସିଥିବା ଦେଖିବାକୁ ମିଳିଥିଲା। ସଚିବଙ୍କ ଗସ୍ତ ସମୟରେ ବିଭିନ୍ନ ନିର୍ମାଣାଧୀନ ପ୍ରକଳ୍ପର ସମୀକ୍ଷା ସହ ଅନେକ ପ୍ରକଳ୍ପ ନିମନ୍ତେ ଘୋଷଣା ହେବାର ସମ୍ଭାବନା ରହିଛି। ସେହିପରି ବିଭିନ୍ନ ବର୍ଗର ଲୋକଙ୍କୁ ଭେଟିବା ଭିନ୍ନ ଭିନ୍ନ ପ୍ରସଙ୍ଗରେ ସିଧାସଳଖ ଆଲୋଚନା କରିବେ ବୋଲି ଜଣାପଡ଼ିଛି।