କାକଟପୁର: ପୁରୀ ଜିଲ୍ଲା କାକଟପୁରର ପ୍ରସିଦ୍ଧ ମା ମଙ୍ଗଳାଙ୍କ ପୀଠରେ ଆଜି ସକାଳେ ୫ଟି ସଚିବ ଭି କେ ପାଣ୍ଡିଆନ୍ ପହଞ୍ଚି ସେଠାକାର ସୌନ୍ଦର୍ଯ୍ୟକରଣ କାମର ସମୀକ୍ଷା କରିଛନ୍ତି। ୫ଟି ସଚିବ ସକାଳ ୭ଟା ୧୦ ମିନିଟ ସମୟରେ ମଙ୍ଗଳାଙ୍କ ପୀଠରେ ପହଞ୍ଚି ମାଙ୍କ ଦର୍ଶନ କରିଥିଲେ। ଏହି ଅବସରରେ ତାଙ୍କ ସହ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ଜିଲ୍ଲାପାଳ ସମର୍ଥ ବର୍ମା ପ୍ରମୁଖ ବି ଉପସ୍ଥିତ ଥିଲେ।
ମନ୍ଦିରରେ ପହଞ୍ଚିବା ମାତ୍ରେ ୫ଟି ସଚିବ ଭି କେ ପାଣ୍ଡିଆନଙ୍କୁ ସେବକ ସଂଘ ପକ୍ଷରୁ ସ୍ବାଗତ କରାଯାଇଥିଲା। ଏଠାକାର ପାର୍କିଂ ବ୍ୟବସ୍ଥା, ରୋଷଶାଳା ଓ ପାରିପାର୍ଶ୍ବିକ ସ୍ଥିତିର ଅନୁଧ୍ୟାନ କରିଥିଲେ ୫ଟି ସଚିବ। ମନ୍ଦିରରେ ସ୍ବଳ୍ପ ସମୟ ରହି ସେ ଏଠାରୁ ଚାଲିଯାଇଥିଲେ। ଏହାପରେ ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ ଯେ ସେବକ ସଂଘର ଦାବି ସଂପର୍କରେ ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କୁ ଜଣାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ଭି କେ ପାଣ୍ଡିଆନ ଏଠାକୁ ଆସିଥିଲେ। ମଙ୍ଗଳା ମନ୍ଦିରର ରକ୍ଷଣାବେକ୍ଷଣ ଓ ସୌନ୍ଦର୍ଯ୍ୟକରଣ ଉପରେ ଅଧିକ ଧ୍ୟାନ ଦିଆଯିବ। ମା ମଙ୍ଗଳାଙ୍କ ପୀଠକୁ ଆସିଥିବାରୁ ସେ ୫ଟି ସଚିବଙ୍କୁ ଦନ୍ୟବାଦ ଜଣାଇଥିଲେ।
ସୂଚନାଯୋଗ୍ୟ, ପୂର୍ବରୁ ୫ଟି ସଚିବ ପୁରୀ ଯାଇ ଶ୍ରୀଜଗନ୍ନାଥ ମେଡିକାଲ କଲେଜର ପରିଦର୍ଶନ କରିବା ସହ ଏହାର କାର୍ଯ୍ୟକୁ ଶୀଘ୍ର ସଂପୂର୍ଣ୍ଣ କରିବାକୁ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ।ଏହାଛଡ଼ା ସେ ଚନ୍ଦ୍ରଭାଗାରେ ପହଞ୍ଚି ପାରିପାର୍ଶ୍ବିକ ଉନ୍ନତିମୂଳକ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଛନ୍ତି । ଚନ୍ଦଭାଗାରୁ କୋଣାର୍କ ଯାଇଥିଲେ ୫ଟି ସଚିବ ।