ଶିଳ୍ପ ଓ ୫-ଟି ସଚିବଙ୍କ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଗସ୍ତ: ପ୍ରତି ଶିଳ୍ପାଞ୍ଚଳରେ ୨ହଜାର ଶ୍ରମିକଙ୍କ ପାଇଁ ନିର୍ମାଣ ହେବ ହଷ୍ଟେଲ

୩ ମାସ ଭିତରେ ସମସ୍ୟା ସମାଧାନର ପ୍ରତିଶ୍ରୁତି

ଖୋର୍ଦ୍ଧା: ପ୍ରତି ଶିଳ୍ପାଞ୍ଚଳରେ ୨ହଜାର ଶ୍ରମିକଙ୍କ ପାଇଁ ନିର୍ମାଣ ହେବ ହଷ୍ଟେଲ। ରାଜ୍ୟ ସରକାରଙ୍କ ୫-ଟି ସଚିବ ଭିକେ ପାଣ୍ତିଆନ୍, ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା ପ୍ରମୁଖ ଆଜି ଖୋର୍ଦ୍ଧା ଶିଳ୍ପାଞ୍ଚଳ ପରିଦର୍ଶନ ଅବସରରେ ଏହା କହିଛନ୍ତି। ଏଥିସହିତ, ସେଠାରେ ଶିଳ୍ପପତିଙ୍କ ସହ ଶିଳ୍ପାଞ୍ଚଳର ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ସମ୍ପର୍କରେ ଆଲୋଚନା କରିଛନ୍ତି। ଆସନ୍ତା ୩ ମାସ ମଧ୍ୟରେ ସମସ୍ୟାର ସମାଧାନ ସହ ପୁନର୍ବାର ଏହାର ସମୀକ୍ଷା କରାଯିବ।

ଆଜି ଅପରାହ୍ନରେ ରାଜ୍ୟ ସରକାରଙ୍କ ୫-ଟି ସଚିବ ଭିକେ ପାଣ୍ତିଆନ୍, ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା, ଅତିରକ୍ତ ସଚିବ ତଥା ଇଡ୍‌କୋର ପରିଚାଳନା ନିର୍ଦ୍ଦେଶକ ଭୂପିନ୍ଦର ସିଂହ ପୁନିଆ ଖୋର୍ଦ୍ଧା ଶିଳ୍ପାଞ୍ଚଳ ପହଞ୍ଚିଥିଲେ। ଶିଳ୍ପାଞ୍ଚଳର ଏସ୍‌ଏମ୍ଏସ୍‌ କାରଖାନାର ସମ୍ମିଳନୀ କକ୍ଷରେ ୫୦ ଶିଳ୍ପାନୁଷ୍ଠାନର ପ୍ରତିନିଧି, ଶିଳ୍ପାନୁଷ୍ଠାନ ମାଲିକ ସଂଘର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ପ୍ରାୟ ୪୫ ମିନିଟ୍ ଧରି ଆଲୋଚନା ଚାଲିଥିଲା। ଏହି ଗସ୍ତ ସମ୍ପର୍କରେ ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି, ବିଭିନ୍ନ ସମସ୍ୟା ସମ୍ପର୍କରେ ଶିଳ୍ପାନୁଷ୍ଠାନର ମାଲିକମାନଙ୍କ ସହ ଆଲୋଚନା କରାଯାଇଛି। ଶିଳ୍ପାନୁଷ୍ଠାନର ମାଲିକମାନେ ବିଦ୍ୟୁତ୍ ଯୋଗାଣକୁ ଅଧିକ ଉନ୍ନତ କରିବାକୁ ଅନୁରୋଧ କରିଛନ୍ତି, ଏ ନେଇ ଇଡ୍‌କୋ ପକ୍ଷରୁ କାମ ଆରମ୍ଭ ହେବ। ଜଳଯୋଗାଣର ସଂପ୍ରସାରଣ କାର୍ଯ୍ୟ ଆରମ୍ଭ ହୋଇଛି। ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ପାଚେରି ଭାଙ୍ଗିଯାଇଛି, ଏହାର ନିର୍ମାଣ ପାଇଁ ପଦକ୍ଷେପ ନିଆଯିବ। କେବଳ ଖୋର୍ଦ୍ଧା କିମ୍ବା ଜୟମଙ୍ଗଳ ନୁହେଁ ରାଜ୍ୟର ସମସ୍ତ ଶିଳ୍ପାଞ୍ଚଳରେ ୨ହଜାରରୁ ୩ହଜାର କର୍ମଚାରୀ ଓ ଶ୍ରମିକଙ୍କ ରହିବା ପାଇଁ ହଷ୍ଟେଲ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିସହିତ, ଏମ୍ଏସ୍‌ଏମ୍ଇ ଶିଳ୍ପଗୁଡ଼ିକର ଆନୁଷଙ୍ଗିକ ସମସ୍ୟାର ସମାଧାନ ପାଇଁ ଆଲୋଚନା ହୋଇଛି। ୧୬ନମ୍ବର ଜାତୀୟ ରାଜପଥର ଖୋର୍ଦ୍ଧାଠାରୁ ବ୍ରହ୍ମପୁର ମଧ୍ୟରେ ଏକାଧିକ ଶିଳ୍ପାଞ୍ଚଳ ସ୍ଥାପନ କରିବାକୁ ମଧ୍ୟ ଆଲୋଚନା ହୋଇଛି।

ଆଲୋଚନାରେ ଅବସରରେ ୫-ଟି ସଚିବ ଆସନ୍ତା ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ଶିଳ୍ପାଞ୍ଚଳରୁ ବର୍ଷା ଜଳ ନିଷ୍କାସନ ପାଇଁ ନାଳ, ଡିସେମ୍ବର ସୁଦ୍ଧା ଟ୍ରକ୍ ଆଦି ଭାରୀଯାନ ପାଇଁ ପାର୍କିଂ ବ୍ୟବସ୍ଥା, ଶିଳ୍ପାଞ୍ଚଳରେ ଦାଦାବଟି ଆଦାୟ ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରତି ଶୂନ୍ୟ ସହନଶୀଳତା ଆଦି ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ପୌରପରିଷଦ ମନଇଚ୍ଛା ହୋଲଡିଂ ଟିକସ ଆଦାୟ ଏବଂ ଏହା ଇଡ୍‌କୋ ସହ ଚୁକ୍ତିର ପରିପନ୍ଥୀ ବୋଲି ଶିଳ୍ପାନୁଷ୍ଠାନ ମାଲିକ ସଂଘ ପକ୍ଷରୁ ୫-ଟି ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ ବୋଲି ସଚିବ ପ୍ରତିଶ୍ରୁତି ଦେଇଛନ୍ତି। ସେହିଭଳି ୩ ମାସ ପରେ ସେ ନିଜେ ଆସି ଏହି ସମସ୍ତ ପ୍ରତିଶ୍ରୁତିର ପାଳନ ନେଇ ପୁନର୍ବାର ଆଲୋଚନା କରିବେ ବୋଲି ୫-ଟି ସଚିବ କହିଛନ୍ତି।

ଶିଳ୍ପପତିଙ୍କ ସହ ନିବୁଜ କୋଠରିରେ ଆଲୋଚନା କଲେ ୫-ଟି ସଚିବ

ବାହାରେ ଠିଆ ହେଲେ ଶିଳ୍ପ ସଚିବ, ଇଡ୍‌କୋ ନିର୍ଦ୍ଦେଶକ, ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ୫-ଟି ସଚିବଙ୍କ ଗସ୍ତ ସମୟରେ ଏକ ଭିନ୍ନ ତଥା ରୋଚକ କଥା ଦେଖିବାକୁ ମିଳିଛି। ଏସ୍‌ଏମ୍ଏସ୍‌ କାରଖାନାର ପ୍ରକୋଷ୍ଠରେ ହୋଇଥିବା ଆଲୋଚନାରେ ୫-ଟି ସଚିବ ଭିକେ ପାଣ୍ତିଆନ୍ ନିଜ ସହ ଯାଇଥିବା ଶିଳ୍ପ ବିଭାଗ ପ୍ରମୁଖ ସଚିବ, ଇଡ୍‌କୋ ନିର୍ଦ୍ଦେଶକ, ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକଙ୍କୁ ବାହାରେ ଠିଆହେବାକୁ କହି ଶିଳ୍ପାନୁଷ୍ଠାନର ମାଲିକଙ୍କ ସହ ଆଲୋଚନା କରିଥିଲେ। ସମସ୍ତ ଅଧିକାରୀ ପ୍ରକୋଷ୍ଠ ବାହାରେ ପ୍ରାୟ ୩୦ମିନିଟ୍ କାଳ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। ଆଲୋଚନା ପରେ ପ୍ରଥମେ ଇଡ୍‌କୋ ନିର୍ଦ୍ଦେଶକ ଭୂପିନ୍ଦର ସିଂହ ପୁନିଆଙ୍କୁ ଡକାଇ ଇଡ୍‌କୋ କାହିଁକି ଏହି ସମସ୍ୟାଗୁଡ଼ିକର ସମାଧାନ ପାଇଁ ପ୍ରତିଶ୍ରୁତି ଦେଉନାହିଁ ବୋଲି ତାଗିଦ୍‌ କରିଥିଲେ। ପରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆଙ୍କୁ ଡାକି ଅନୁରୂପ ଭାବେ ଶିଳ୍ପାଞ୍ଚଳରେ ଅପରାଧ ପ୍ରତି ଶୂନ୍ୟ ସହନଶୀଳତା କେବେଠାରୁ ଲାଗୁହେବ ବୋଲି ପଚାରିଥିଲେ। ଉଭୟ ଅଧିକାରୀ ଆଜିଠାରୁ ତଥା ଏହିକ୍ଷଣି ଲାଗୁ ହେବ ବୋଲି ସମସ୍ତ ଶିଳ୍ପାନୁଷ୍ଠାନର ମାଲିକଙ୍କ ସମ୍ମୁଖରେ ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧିତ ଖବର