ମାଲକାନଗିରିରେ ୫-ଟି ସଚିବ; ସ୍ବାଭିମାନ ଅଞ୍ଚଳ ଓ ସୀତାକୁଣ୍ଡ ବୁଲି ଦେଖିଲେ

ମାଲକାନଗିରି/ମାଥିଲି/ଖଇରପୁଟ/ଚିତ୍ରକୋଣ୍ଡା: ରାଜ୍ୟ ସରକାରଙ୍କ ୫ଟି ସଚିବ ଭି.କେ ପାଣ୍ଡିଆନ ଦୁଇଦିନିଆ ମାଲକାନଗିରି ଜିଲ୍ଲା ଗସ୍ତରେ ଆସିଛନ୍ତି। ସରକାରଙ୍କ ପକ୍ଷରୁ ମାଲକାନଗିରି ଜିଲ୍ଲାର ନୂଆ ରୂପ ଦେବା ପାଇଁ ପ୍ରୟାସ ରହିଥିବା ବେଳେ ୫ଟି ସଚିବ ବିଭିନ୍ନ ସ୍ଥାନ ଗସ୍ତ କରି ବୁଲି ଦେଖିଛନ୍ତି। ଜିଲ୍ଲାରେ ପାନୀୟଜଳ, ଜଳସେଚନ, ମିଶନଶକ୍ତି, ବିଦ୍ୟାୟଳର ରୂପାନ୍ତରିତ କାର୍ଯ୍ୟ, ପର୍ଯ୍ୟଟନ ବିକାଶ ହେବ ସେନେଇ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ପ୍ରଥମ ଦିନରେ ସେ ମାଥିଲି, ଖଇରପୁଟ ଓ ଚିତ୍ରକୋଣ୍ଡା ବ୍ଲକର ବିଭିନ୍ନ ସ୍ଥାନକୁ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିଛନ୍ତି। ଏହି ଗସ୍ତ ସମୟରେ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ସଚିବ ଭିନିଲ କ୍ରିଷ୍ଣା, ଉନ୍ନୟନ କମିସନର ତଥା ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗ ଓ ମାଲକାନଗିରି ଜିଲ୍ଲାପାଳ ବିଶାଳ ସିଂ ପ୍ରମୁଖ ଉପସ୍ଥିତ ଥିଲେ।

ଆଜି ଅପରାହ୍ନ ୩ଟା ୧୫ ମିନିଟରେ ହେଲିକେପ୍ଟର ଯୋଗେ ୫ଟି ସଚିବ ମାଥିଲି ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟର ଖେଳ ପଡିଆରେ ଓହ୍ଲାଇଥିଲେ। ସେଠାରୁ ୩୨୬ ନମ୍ବର ଜାତୀୟ ରାଜପଥ କଡରେ ମାଥିଲିସ୍ଥିତ ଶିବ ସାଗରକୁ ଯାଇଥିଲେ। ସେହି ସାଗର ପୁନରୁଦ୍ଧାର ଓ ‌ସୌନ୍ଦର୍ଯୀକରଣ କରି ପର୍ଯ୍ୟଟନର ବିକାଶ ପାଇଁ ଆଲୋଚନା କରିଥିଲେ। ଏହି ଜଳାଶୟ ଦ୍ବାରା ଚାଷୀ ସୁବିଧାରେ ଜମିରେ ଜଳସେଚନ ସୁବିଧା ମଧ୍ୟ ହୋଇପାରିବ। ଏଥିସହ ସପ୍ତଧାରା ନଦୀରେ ହେବାକୁଥିବା ପ୍ରସ୍ତାବିତ ମେଗା ଜଳସେଚନ ପ୍ରକଳ୍ପ ବିଷୟରେ ଜଳସମ୍ପଦ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହି ପ୍ରକଳ୍ପ ଦ୍ବାରା ଚାଷୀମାନ‌େ ବହୁତ ଉପକୃତ ହୋଇପାରିବେ। ଏଥିସହ ଜୟପୁର ମାଲକାନଗିରି ପ୍ରସ୍ତାବିତ ରେଳ ପ୍ରକଳ୍ପର ବିଷୟରେ ଆଲେଚନା କରିଥିଲେ।

ମାଥିଲି ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ଭବନକୁ ଯାଇ ସେଠାରେ ସହିଦ ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସେଠାରେ ଥିବା କଲ୍ୟାଣ ମଣ୍ଡପରେ ଆୟୋଜିତ ଜନଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେଇ ବିଭିନ୍ନ ସମସ୍ୟା ବୁଝିବା ସହ ଦାବିପତ୍ରକୁ ଗ୍ରହଣ କରିଥିଲେ। ସେଥିରେ ୧୯୪୨ ମସିହା ଅଗଷ୍ଟ ୨୧ ତାରିଖରେ ମାଥିଲି ଠାରେ ହୋଇଥିବା ଗୁଳିକାଣ୍ଡକୁ ସରକାରୀ ମାନ୍ୟତା, ଗ‌ୋବିନ୍ଦପାଲି ଶ୍ରୀଜଗନ୍ନାଥ ମନ୍ଦିରର ଉନ୍ନତିକରଣ, ଭଣ୍ଡାରିପାଙ୍ଗାମ ପଞ୍ଚାୟତର ସର୍ବାଙ୍ଗୀନ ବିକାଶ, ପାନୀୟ ଜଳ ଆଦି ସମସ୍ୟା ଓ ବିଭିନ୍ନ ସମାଜ ପକ୍ଷରୁ ୫ଟି ସଚିବଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ।

ଏହାପରେ ୫ଟି ସଚିବ ଖଇରପୁଟ ବ୍ଲକର ବଣ୍ଡାଘାଟିରେ ପହଞ୍ଚି ଆଦିମ ବଣ୍ଡା ଜନଜାତିରେ ବିକାଶ କ୍ଷେତ୍ରରେ ସରକାର ଅନୁଦାନ ପ୍ରଦାନ କରୁଥିବା ବେଳେ ଆଗକୁ ଅଧିକ ବିକାଶ କିଭଳି ହୋଇପାରିବ ସେ ନେଇ ଆଲୋଚନା କରିଥିଲେ। ପାକୃତିକ ପରିବେଶରେ ରହିଥିବା ସୀତାକୁଣ୍ଡ ନିକଟରେ ୫ଟି ସଚିବ ପହଞ୍ଚିଥିଲେ। ପୌରାଣିକ କିମ୍ବଦନ୍ତୀ ରହିଥିବା ସୀତାକୁଣ୍ଡରେ ଉନ୍ନତୀକରଣ ପାଇଁ ସଚିବ ପ୍ରକାଶ କରିଥିଲେ। ବଣ୍ତାଘାଟିରେ ଅନେକ ସ୍ଥାନରେ ରାସ୍ତା ନିର୍ମାଣ ହୋଇଥିବା ‌ବେଳେ ପାତ୍ରପୁଟ, ବିଶୋୟୀଗୁଡା, ଭୋଜଗୁଡା ଆଦି ଗାଁ ଅଞ୍ଚଳରେ ଆମ୍ବୁଲାନ୍ସ ପହଞ୍ଚି ପାରୁନାହିଁ, ଖଇରପୁଟ ଠାରେ କଲେଜ ନିର୍ମାଣ, ଚିକିତ୍ସାଳୟ ନିର୍ମାଣ, ଆମାକୁଣ୍ଡର ଉନ୍ନତୀକରଣ, ବଣ୍ଡା ସମ୍ପ୍ରଦାୟର ଯୁବକଯୁବତୀଙ୍କ ପାଇଁ ସ୍ପୋଟର୍ସ ହଷ୍ଟେଲ, ଆବାସଗୃହର ଅଟକଳ ମୂଲ୍ୟ ଅଧିକ ରଖିବା ପାଇଁ ଲୋକମାନ‌େ ସଚିବଙ୍କୁ ଜଣାଇଥିଲେ।

ଏହାପରେ ହେଲିକେପ୍ଟର ଯୋଗେ ସ୍ବାଭିମାନ ଅଞ୍ଚଳର ହନ୍ତାଳଗୁଡା ବିଏସ୍‌ଏଫ୍ କ୍ୟାମ୍ପରେ ପହଞ୍ଚି ଥିଲେ। ହନ୍ତାଳଗୁଡା ଠାରେ ନିର୍ମାଣ ହୋଇଥିବା ଭିଉ ପଏଣ୍ଟ ବୁଲି ଦେଖିଥିଲେ। ଏହାପରେ ହନ୍ତାଳଗୁଡା ଗ୍ରାମକୁ ଯାଇ ଜନସାଧାରଣଙ୍କୁ ଭେଟିବା ସହ ଲୋକଙ୍କ ସମସ୍ୟା ବୁଝିଥିଲେ। ଏହାପରେ ହନ୍ତାଳଗୁଡା ବିଏସ୍‌ଫ୍ ଅଧିକାରୀ ଓ ପୁଲିସ କର୍ମଚାରୀଙ୍କ ଆଲୋଚନା କରିଥିଲେ। ଏହାପରେ ଚିତ୍ରକୋଣ୍ଡା ବ୍ଲକର ବଡପଡା ଠାରେ ନିର୍ମାଣ ହେବାକୁ ଥିବା ଶିକ୍ଷାଭିତ୍ତିକ କମ୍ପ୍ଲେକ୍ସ ବୁଲି ଦେଖିଥିଲେ। ଏଥିସହ ବଡପଡା ଗ୍ରାମରେ ସ୍ଥାନୀୟ ଜନସାଧାରଣଙ୍କୁ ମଧ୍ୟ ଭେଟିଥିଲେ। ୫ଟି ସଚିବ ଓ ଅଧିକାରୀମାନଙ୍କୁ ଲୋକମାନ‌େ ପାରମ୍ପରିକ ବାଦ୍ୟ, ହୁଳହୁଳି ଓ ପୁଷ୍ପ ଦେଇ ସ୍ବାଗତ କରିଥିବାର ଦେଖିବାକୁ ମିଳିଥିଲା। ଏଥିସହ ଆସ୍ତାକାଲି ମଧ୍ୟ ୫ଟି ସଚିବଙକ୍ ବିଭିନ୍ନ ବ୍ଲକ ଗସ୍ତ ରହିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର