ପାରଳାଖେମୁଣ୍ଡି: ୫ଟି ତଥା ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନ ଆଜି ଦିନିକିଆ ଗଜପତି ଗସ୍ତ କରିଛନ୍ତି। ସେ ଜିଲ୍ଲା ମୁଖ୍ୟାଳୟ ପାରଳାଖେମୁଣ୍ଡିସ୍ଥିତ ଗଜପତି ଷ୍ଟାଡିୟମରେ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ସଫଳତାର ଟିପ୍ସ ଦେଇଛନ୍ତି। ସେ ଛାତ୍ରଛାତ୍ରୀଙ୍କୁ ଜୀବନରେ ସଫଳ ହେବା ପାଇଁ ମନ୍ତ୍ର ଦେଇଛନ୍ତି। ପାଠପଢା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାର ବିକାଶ ଉପରେ ଗୁରୁତ୍ବାରୋପ କରିଛନ୍ତି।
୫ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ୍ କହିଛନ୍ତି, ପାଠପଢା ସହ ଅନ୍ତର୍ନିହିତ ପ୍ରତିଭାର ବିକାଶ ହୋଇପାରିଲେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବ୍ୟକ୍ତିତ୍ବର ବିକାଶ ହେବ। ଆଉ ଏହି ବ୍ୟକ୍ତିତ୍ବ ବୃଦ୍ଧି କରିବାକୁ ଏହି ନୂଆ-ଓ କାର୍ଯ୍ୟକ୍ରମ ବୋଲି କହିଛନ୍ତି। କୌଣସି ପ୍ରତିଯୋଗିତାରେ ଜିତିବା ଅପେକ୍ଷା ଅଂଶଗ୍ରହଣ ଅତି ଗୁରୁତ୍ବପୂର୍ଣ୍ଣ। ଏହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମଗ୍ରିକ ବ୍ୟକ୍ତିତ୍ବର ବିକାଶ କରିବାରେ ସହାୟକ ହେବ। ଏହାଦ୍ବାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବ୍ୟକ୍ତିତ୍ବର ବିକାଶ ସହ ଆତ୍ମବିଶ୍ବାସ ବୃଦ୍ଧି ପାଇବ। ଛାତ୍ରଛାତ୍ରୀ ସଫଳତା ହାସଲ କରିବାକୁ ଫିଟ୍ ରହିବା ଜରୁରୀ। ଏଥିଲାଗି ପ୍ରତିଦିନ ୩୦ ମିନିଟ ଶାରିରୀକ ବ୍ୟାୟାମ କରିବାକୁ ହେବ।
ଶାରିରୀକ ବ୍ୟାୟାମ ସହ ଦୈନିକ ମାନସିକ ୧୫ ମିନିଟ ଧ୍ୟାନ କରିବାକୁ ହେବ। ଦିନରାତି ଯିଏ ଏକା କରି ଖଟିବ ସିଏ ଉପରକୁ ଯିବ। ସଫଳତାର ମୂଳ ମନ୍ତ୍ର କଠିନ ପରିଶ୍ରମ, ଏହାର କୌଣସି ବିକଳ୍ପ ନାହିଁ। ୫ ବର୍ଷ ପରିଶ୍ରମ କଲେ ୫୦ ବର୍ଷ ଖୁସିରେ ରହିବେ। ଆପଣମାନଙ୍କର ଭବିଷ୍ୟତ ଉଜ୍ଜଳ ହେଲେ ଓଡ଼ିଶାର ଭବିଷ୍ୟତ ଉଜ୍ଜଳ ହେବ ବୋଲି ୫ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ୍ କହିଛନ୍ତି।
/sambad/media/post_attachments/wp-content/uploads/2024/01/dba7504d-0a79-4aea-94dd-fc5d13f17fd3-e1706007130299.jpeg)
ରାମଗିରି ଆୟୋଜିତ ସଭାରେ ୫ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ୍ ବିକାଶର ହିସାବ ଦେଇଛନ୍ତି। ସେ କହିଛନ୍ତି ଯେ, ୭ ମାସ ଭିତରେ ଗଜପତି ଜିଲ୍ଲାକୁ ପ୍ରାୟ ୧୨୦ କୋଟି ଟଙ୍କା ମିଳିଛି। ସ୍ଥାନୀୟ ନୀଳମଣି ଦୁର୍ଗା ମନ୍ଦିର ପଡ଼ିଆରେ ସେ କହିଛନ୍ତି ଯେ, ଗତ ମେ’ ୧୦ତାରିଖରେ ସେ ଆସି ୩୮୦ ଦରଖାସ୍ତ ପାଇଥିଲି। ଏହା ମଧ୍ୟରୁ ୩୫୦ଟି ଦରଖାସ୍ତ ସମାଧାନ ହୋଇଛି। ଗୁମ୍ମାରେ ନୂଆ ସରକାରୀ ଡିଗ୍ରୀ କଲେଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି।
ଗୁମ୍ମା ହାଇସ୍କୁଲକୁ ହାୟର ସେକେଣ୍ଡାରୀ ସ୍କୁଲ କରିବାକୁ ମଂଜୁରୀ ମିଳିଛି। ପାରଳାଖେମୁଣ୍ଡିରେ ୪ଲେନ୍ ବିଶିଷ୍ଟ ବାଇପାସ୍ ରାସ୍ତା ପାଇଁ ୫୦କୋଟି ଟଙ୍କା, ପାରଳାଖେମୁଣ୍ଡି ଏସକେସିଜି କଲେଜର ଉନ୍ନତିକରଣ ପାଇଁ ୨କୋଟି ୨୫ଲକ୍ଷ ଟଙ୍କା, କାଶୀନଗର ଶ୍ରୀରାମ ଡିଗ୍ରୀ କଲେଜର ୫ଟି ରୂପାନ୍ତରଣ ଲାଗି ୫୦ଲକ୍ଷ ଟଙ୍କା, ଗୁମ୍ମା ଏସସି ଏସଟି ବିଭାଗର ତୁମୁଲ ହାଇସ୍କୁଲ ପାଇଁ ୫୦ଲକ୍ଷ, କୃଷ୍ଣସାଗର ପାଇଁ ୩କୋଟି ୧୦ଲକ୍ଷ, ରାମସାଗର ପାଇଁ ୩କୋଟି ୫୦ ଲକ୍ଷ, ଗଜପତି ସାଗର ଉନ୍ନତିକରଣ ପାଇଁ କୋଟିଏ ୪୦ଲକ୍ଷ ଟଙ୍କା ମଂଜୁର କରାଯାଇଛି। ଗୁମ୍ମାରେ ମଡେଲ୍ ବସଷ୍ଟାଣ୍ଡ କାମ ସରିଛି। ପିଇବା ପାଣି ପ୍ରତି ଘରେ ପାଇପ୍ ଯୋଗେ ପହଞ୍ଚାଇବାକୁ କାମ ଆରମ୍ଭ ହେବ। ୭ମାସ ଭିତରେ ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀ ପାଇଁ ୧୧୮ କୋଟି ୩୦ଲକ୍ଷ ମଂଜୁର କରାଯାଇଛି। ମନ୍ଦିର, ମସଜିଦ୍, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ସଂପର୍କିତ ଦରଖାସ୍ତ ନେଇ ୧୦ଦିନ ଭିତରେ ଖୁସି ଖବର ପାଇବେ।
ଗଜପତି ଜିଲ୍ଲାରେ ଲକ୍ଷ୍ମୀ ଯୋଜନାରେ ବସ୍ ଚାଲିଛି। ଖୁବ୍ ଶୀଘ୍ର ଭତ୍ତା ସହ ଆଶା, ଅଙ୍ଗନବାଡ଼ି ଦିଦି, ସ୍ବଚ୍ଛ ସାଥୀଙ୍କ ଦରମା ବୃଦ୍ଧି ନେଇ ଖୁସି ଖବର ଦେବେ ମୁଖ୍ୟମନ୍ତ୍ରୀ। ପ୍ରତି ପଞ୍ଚାୟତରେ ବ୍ୟାଙ୍କସେବା ସୁବିଧା ମିଳିବ। ଗ୍ରାମାଞ୍ଚଳରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ନଥିବା ଲୋକଙ୍କୁ ବିଏସକେଓ୍ବାଇ ନବୀନ କାର୍ଡ ପାଇଁ ଆବେଦନ କରନ୍ତୁ। ଗାଁର ପ୍ରତି ପରିବାରକୁ ମିଳିବ ସ୍ବାସ୍ଥ୍ୟକାର୍ଡ। ଗରିବ ଜନତାଙ୍କ ପରିବାରରେ ବଡ଼ ରୋଗ ଆସିଲେ ଦୃଢ ଇଚ୍ଛାଶକ୍ତି ସହ ମୁକାବିଲା କରିବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ସଶକ୍ତ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/a31f1903-18b2-4ccb-ad18-ab4d3f036579.jpeg)