ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ୍‌ ପାଣ୍ଡିଆନ ଶୁକ୍ରବାର ନା ନନେଇ ଗଂଜାମ ଜିଲ୍ଲାର ଜଣେ ଲୋକ ପ୍ରତିନିଧିଙ୍କୁ ଟାର୍ଗେଟ କରିଛନ୍ତି। ୫-ଟି ସଚିବ ଶ୍ରୀ ପାଣ୍ଡିଆନ କହିଛନ୍ତି କୋଭିଡ ସଂକ୍ରମଣ ସମୟରେ ଗଂଜାମ ଜିଲ୍ଲାର ଜଣେ ଲୋକପ୍ରତିନିଧି ମୁଖ୍ୟମନ୍ତ୍ରୀଙ୍କୁ ମୋବାଇଲ୍‌ ଫୋନ୍‌ରେ କହିଥିଲେ ଓଡ଼ିଶା ବାହାରେ ଫସି ରହିଥିବା ଲୋକଙ୍କୁ ଗଂଜାମ ଆଣିବା ନାହିଁ। ବାହାରେ ଫସି ରହିଥିବା ଲୋକଙ୍କୁ ଗଂଜାମ ଆଣିଲେ ପରିସ୍ଥିତି ବିଗିଡ଼ି ଯିବ। ଆଗ ନିଜେ ବଞ୍ଚିବା। କୋଭିଡ ସମୟରେ କ’ଣ ହୋଇଥିଲା ଆପଣମାନେ ଜାଣିବା ଦରକାର ବୋଲି ପାଣ୍ଡିଆନ ଗଂଜାମବାସୀଙ୍କୁ ସମ୍ବୋଧିତ କରିବା ସମୟରେ କହିଛନ୍ତି। ସେ ସମ୍ଭବତଃ ନାମ ନନେଇ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଟାର୍ଗେଟ କରିଥାଇ ପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Advertisment

ଏହି କ୍ରମରେ ସେ କହିଥିଲେ, ଗଂଜାମରୁ ଫୋନ୍‌ କରିଥିବା ଲୋକ ପ୍ରତିନିଧିଙ୍କ ଉପରେ ମୁଖ୍ୟମନ୍ତ୍ରୀ ରାଗି ଯାଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏମାନେ ତ ଗଂଜାମ ଜିଲ୍ଲାର ବାସିନ୍ଦା। କାହାର ବାପା ଥିବେ, କାହାର ପୁଅ ଥିବେ, କାହାର ଭାଇ ଥିବେ ବାହାରେ । ଏମାନଙ୍କୁ ଆମେ କେମିତି ଛାଡ଼ିବା? ଲୋକ ପ୍ରତିନିଧି ଜଣକ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ, ସାର୍‌ ପ୍ରଥମେ ଆମେ ବଞ୍ଚିବା। ମୁଖ୍ୟମନ୍ତ୍ରୀ ଲୋକଙ୍କର ସେବା କରିବା ପାଇଁ ଆମକୁ ସବୁବେଳେ ପରାମର୍ଶ ଦେଉଛନ୍ତି। ଆପଣମାନେ ଆଶୀର୍ବାଦ ଦେଇଛନ୍ତି, ଲୋକଙ୍କର ସେବା କରିବା ପାଇଁ। ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଯଦି କିଛି ନିଷ୍ପତ୍ତି ନେବେ, ତାହା ମହାପାପ ହୋଇଯିବ। ସେହି ମହାପାପ ହେଲା ସେହି ମାନ୍ୟବର ଲୋକ ପ୍ରତିନିଧିଙ୍କ କ୍ଷେତ୍ରରେ।

କୋଭିଡ-୧୯ ସମୟରେ ବାହାରୁ ହଜାର ହଜାର ବ୍ୟକ୍ତି ଗଂଜାମ ତଥା ଓଡ଼ିଶାକୁ ଟ୍ରେନ୍‌ ଓ ବସ୍‌ରେ ଆସିଲେ। କିନ୍ତୁ ଲୋକ ପ୍ରତିନିଧି ଜଣକ ଚାହୁଁ ନଥିଲେ ଯେ, ପ୍ରବାସୀ ଓଡ଼ିଆମାନେ ଓଡ଼ିଶାକୁ ଫେରନ୍ତୁ। ଲୋକ ପ୍ରତିନିଧି ଜଣକ ଲୋକଙ୍କୁ ଡରାଇଲେ। ଗଂଜାମ ବୁଡ଼ିଯିବ। ଗଂଜାମରେ ବହୁ ଲୋକଙ୍କର ମୃତ୍ୟୁ ହୋଇଯିବ। ନକରାତ୍ମକ ଚିନ୍ତା ନେଇ ସାମାଜିକ ଗଣମାଧ୍ୟମରେ ସେ ସେୟାର କରିଥିଲେ। ଜିଲ୍ଲାପାଳ, ଜିଲ୍ଲା ପ୍ରଶାସନ, ସରପଞ୍ଚ ଭାଇଭଉଣୀମାନେ ଉତ୍ତର ଦେଲେ କାହିଁକି ଜଣେ ଲୋକ ଏମିତି କହି ଆମର ଆତ୍ମବିଶ୍ବାସ ଭାଙ୍ଗୁଛନ୍ତି। ଏହା ପରେ ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ସରପଞ୍ଚ ଓ ମିସନ ଶକ୍ତିର ସଦସ୍ୟଙ୍କ ସହିତ ଭିଡିଓ କନଫରେନ୍ସରେ କହିଲେ- ଆପଣ ଦୁଇ ଜଣ ଲାଗିପଡନ୍ତୁ ଦେଖିବା ଆମେ କୋଭିଡକୁ ଠିକ୍‌ଠାକ୍‌ ମୁକାବିଲା କରିପାରିବା। ଗଂଜାମବାସୀଙ୍କୁ କୋଭିଡରୁ ବଞ୍ଚାଇବା।

୫-ଟି ସଚିବ କହିଛନ୍ତି, ସାରା ଭାରତ ବର୍ଷରେ ଗଂଜାମ ସୁନାମ ଅର୍ଜନ କରିଛି। ଆପଣ, ମିସନଶକ୍ତିଙ୍କ ଉଦ୍ୟମରେ ଓ ମା’ ତାରାତାରିଣୀଙ୍କ ଆଶୀର୍ବାଦରେ ଗଂଜାମର ଲୋକଙ୍କୁ ଆମେ ବଞ୍ଚାଇବାରେ ସକ୍ଷମ ହେଲୁ। ଯିଏବି ନିଜ ସ୍ବାର୍ଥ ପାଇଁ ଲୋକଙ୍କର ‌ସେବାରେ ଏପଟସେପଟ କରିବେ, ତାଙ୍କ ପାଇଁ ମା’ ତାରାତାରିଣୀ ଅଛନ୍ତି। ଭଗବାନ ଅଛନ୍ତି।