ବାଲେଶ୍ବର : ବାହାନଗା ହାଇସ୍କୁଲକୁ ୫-ଟିରେ ସାମିଲ କରାଯାଇ ପୁନଃନିର୍ମାଣ କରାଯିବ। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ୨ କୋଟି ୪୯ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ଦୁଇଦିନିଆ ବାଲେଶ୍ବର ଗସ୍ତରେ ଆସିଥିବା ଅବସରରେ ୫ଟି ସଚିବ ଭି.‌କେ.ପାଣ୍ଡିଆନ ଏହି ସୂଚନା ଦେଇଛନ୍ତି।

Advertisment

ସଚିବ ଶ୍ରୀ ପାଣ୍ଡିଆନ ଆସି ଗୁରୁବାର ପୂର୍ବାହ୍ନ ୯.୧୦ରେ ଖଇରା ବ୍ଳକ୍‌ କୁପାରୀ ହେଲିପ୍ୟାଡ୍‌ରେ ଓହ୍ଲାଇଥିଲେ। କୁପାରୀ ପଡ଼ିଆରେ ଆୟୋଜିତ ସମାବେଶରେ ଯୋଗଦେଇ ଜନସାଧାରଣ ଓ ମିସନ ଶକ୍ତି ଗ୍ରୁପ୍‌ର ମା’ମାନଙ୍କୁ ଉଦ୍‌ବୋଧନ ଦେଇଥିଲେ। ସାଧାରଣ ଲୋକଙ୍କ ଅଭିଯୋଗ ଗ୍ରହଣ କରି ତୁରନ୍ତ ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଗସ୍ତ ଅବସରରେ ସେ ବାହାନଗା ହାଇସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ଜନପ୍ରତିନିଧି, ସ୍କୁଲ ପରିଚାଳନା କମିଟି କର୍ମକର୍ତ୍ତାଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ। ବାହାନଗାକୁ ଆଦର୍ଶ ପଞ୍ଚାୟତ ଭାବେ ଗଢ଼ି ତୋଳିବା ସାଙ୍ଗକୁ ଚାଷୀଙ୍କ ଉନ୍ନତି ଉପରେ ଗୁରୁତ୍ୱ ଦେଇଥିଲେ। ଏହାପରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ସଚିବ ଶ୍ରୀ ପାଣ୍ଡିଆନ। ଶେଷରେ, ବାମପଦାସ୍ଥିତ ନୋସି ବିଜ୍‌ନେସ୍‌ ପାର୍କରେ ଅନୁଷ୍ଠିତ ବୈଠକରେ ଯୋଗ ଦେଇ ସିଭିଲ୍‌ ‌‌ସୋସାଇଟି ଗ୍ରୁପ୍‌, ମିସନ ଶକ୍ତି ଗ୍ରୁପ୍‌ ଓ କଲେଜ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇଥିଲେ।

୫-ଟି ସଚିବଙ୍କ ଗସ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ, ପୂର୍ବାଞ୍ଚଳ ପୁଲିସ ଆଇଜି ହିମାଂଶୁ ଲାଲ, ଏସ୍‌ପି ସାଗରିକା ନାଥ, ଉପଜିଲ୍ଲାପାଳ କୁନାଲ ମୋତିରାମ ଚୌହାନଙ୍କ ସହିତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆସନ୍ତାକାଲି ୫-ଟି ସଚିବ ବାଲେଶ୍ୱର ସଦର, ବସ୍ତା, ଜଳେଶ୍ବର, ବାଲିଆପାଳ, ଭୋଗରାଇ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି।