ବାଲେଶ୍ବର : ଆସନ୍ତା ଡିସେମ୍ବର ସୁଦ୍ଧା ବାଲେଶ୍ବର ଜିଲ୍ଲାର ସମସ୍ତ ହାଇସ୍କୁଲ୍‌ ଓ କଲେଜକୁ ୫-ଟିରେ ସାମିଲ କରାଯିବ। ବାଲେଶ୍ବର ଗସ୍ତରେ ଆସିଥିବା ୫-ଟି ସଚିବ ଭିକେ ପାଣ୍ଡିଆନ ଆଜି ଏହି ଘୋଷଣା କରିଛନ୍ତି।

Advertisment

ସଚିବ ଶ୍ରୀ ପାଣ୍ଡିଆନ ଶୁକ୍ରବାର ଗସ୍ତର ଦ୍ବିତୀୟଦିନରେ ବାଲେଶ୍ବର ସହର ସହ ସଦର ବ୍ଲକ୍‌, ବସ୍ତା, ବାଲିଆପାଳ, ଭୋଗରାଇ ଓ ଜଳେଶ୍ବର ବ୍ଲକ୍‌ର ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ସେ ବିଭିନ୍ନ ଘୋଷଣା କରିଥିଲେ। ସେଥିମଧ୍ୟରେ, ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ବର ମନ୍ଦିରର ନବକଳେବର ସାଙ୍ଗକୁ ଚାନ୍ଦିପୁର ବେଳାଭୂମି ଓ ବଳରାମଗଡ଼ି ମାଛଧରା କେନ୍ଦ୍ରର ବିକାଶ କାର୍ଯ୍ୟ ତ୍ବରାନ୍ବିତ କରାଯିବ। ଲକ୍ଷ୍ମଣନାଥଠାରେ ବସ୍‌ଷ୍ଟାଣ୍ଡ ଓ ସୁବର୍ଣ୍ଣରେଖା ସଂସ୍କାର ଯୋଜନା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ। ବାଲିଆପାଳ ବୋଳଂଠାରେ ନୂଆ ଇଣ୍ଡଷ୍ଟ୍ରିଆଲ୍‌ ପାର୍କ ନିର୍ମାଣ ହେବ। ମୋ ହସ୍‌ପିଟାଲ୍‌ ଯୋଜନାରେ ବାଲେଶ୍ବର ଡାକ୍ତରଖାନାର ଭିତ୍ତିଭୂମି ବିକାଶ କରାଯିବ ବୋଲି କହିଥିଲେ।

ଶ୍ରୀ ପାଣ୍ଡିଆନ ଶୁକ୍ରବାର ସକାଳେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜନ୍ମସ୍ଥାନ ବାଲେଶ୍ବର ସହ ମଲ୍ଲିକାଶପୁରର ଶାନ୍ତିକାନନ ପରିଦର୍ଶନ କରିଥିଲେ। ସେଠାରେ ବ୍ୟାସକବିଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏଥିସହିତ, ପଦ୍ମବିଭୂଷଣ ମନୋଜ ଦାସଙ୍କ ଜନ୍ମସ୍ଥାନ ଶଙ୍ଖାରୀ ଗ୍ରାମରେ ପହଞ୍ଚି ନିର୍ମାଣାଧୀନ ମନ୍ମଥ-ମନୋଜ ସ୍ମାରକୀ କାର୍ଯ୍ୟ ତଦାରଖ କରିଥିଲେ। ତାଳସାରୀ ଓ ଲକ୍ଷ୍ମଣନାଥ ଯାଇ ଏକ ଜନସଭାରେ ଯୋଗ ଦେଇଥିଲେ। ଗସ୍ତ ସମୟରେ ଶ୍ରୀ ପାଣ୍ଡିଆନ ବିଭିନ୍ନ ସଂଗଠନ, ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କଠାରୁ ଶତାଧିକ ଦରଖାସ୍ତ ଗ୍ରହଣ କରିଥିବା ବେଳେ ସେମାନଙ୍କୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ।
ସୂଚନାଥାଉକି; ଗତକାଲି ୫-ଟି ସଚିବ ହେଲିକପ୍ଟର ଯୋଗେ ଆସି ୯ଟା ବେଳେ ଖଇରାରେ ପହଞ୍ଚିଥିଲେ। ପରେ ସେ ସିମୁଳିଆ, ସୋର, ବାହାନଗା, ଔପଦା, ନୀଳଗିରି, ରେମୁଣା ବ୍ଲକ୍‌ ପରିଦର୍ଶନ କରି ବାଲେଶ୍ବର ସର୍କିଟ୍‌ ହାଉସ୍‌ରେ ରାତ୍ରିଯାପନ କରିଥିଲେ।